ନିଟ୍‌ ପରୀକ୍ଷା: ନେକ୍ତା ଓଡ଼ିଶା ଟପର୍‌, ଦେଶରେ ୮.୭୦ ଲକ୍ଷ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଓଡ଼ିଶାରୁ ୧୫ ହଜାର ଉତ୍ତୀର୍ଣ୍ଣ, ଶ୍ରେଷ୍ଠ ଶ‌ହେରେ ଦୁଇ

ଭୁବନେଶ୍ବର: ମେଡ଼ିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାରୁ ପରୀକ୍ଷା ଦେଇଥିବା ୩୫ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପ୍ରାୟ ଦୁଇ ହଜାର ମେଡ଼ିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଛାତ୍ର ନେକ୍ତା ଏନ୍ ସ୍ୱସ୍ତି ଶ୍ରବଣ ମିଶ୍ର ସର୍ବଭାରତୀୟସ୍ତରରେ ୭୫ତମ ରୢାଙ୍କ ହାସଲ କରିବା ସହ ଓଡ଼ିଶା ଟପର୍‌ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା କରିଲୋପାଟଣା ଅଞ୍ଚଳର ମୂଳଅଧିବାସୀ ଛାତ୍ର ନେକ୍ତା ୯୯.୯୯୩ ପର୍ସେଣ୍ଟାଇଲ୍ ସହ ମୋଟ ୭୦୫ ମାର୍କ ରଖିଛନ୍ତି। ବର୍ତ୍ତମାନ ସେ ପିତାମାତାଙ୍କ ସହ ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳରେ ରହୁଛନ୍ତି।

ସାଇ ଇଣ୍ଟରନ୍ୟାସନାଲର ଛାତ୍ରୀ ଗୀତି ଗାୟତ୍ରୀ ପଣ୍ଡା ମଧ୍ୟ ୭୦୫ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୧୦୦ତମ ସ୍ଥାନରେ ରହି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ଗୀତି ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଅଢ଼େଇକଣା ଅଞ୍ଚଳର ମୂଳଅଧିବାସୀ ହୋଇଥିବା ଜଣାପଡ଼ିଛି। ସେହିପରି ଛାତ୍ର ସୂରଜ ନନ୍ଦ ୭୦୧ ମାର୍କ ରଖି ସର୍ବଭାରତୀୟସ୍ତରରେ ୧୨୪ତମ ସ୍ଥାନରେ ରହିଛନ୍ତି। ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ଵଳମୟ ଭବିଷ୍ୟତ କାମନା କରିଛନ୍ତି। ନିଟ୍‌ ପରୀକ୍ଷା ପାଇଁ ମୋଟ ୧୬ଲକ୍ଷ ୧୪ ହଜାର ୭୭୭ଜଣ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୫ଲକ୍ଷ ୪୪ ହଜାର ୨୭୫ ଜଣ ନିଟ୍‌ ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ୮ଲକ୍ଷ ୭୦ ହଜାର ୭୪ଜଣ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ୧୫ଜଣ ଛାତ୍ରଛାତ୍ରୀ କପି କରି ଧରାପଡ଼ିଥିବାରୁ ସେମାନଙ୍କ ପରୀକ୍ଷାଫଳ ସ୍ଥଗିତ ରଖାଯାଇଛି। ଯୋଗ୍ୟତା ଅର୍ଜନ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୩ଲକ୍ଷ ୭୫ହଜାର ୨୬୦ଜଣ ଛାତ୍ର ଓ ୪ ଲକ୍ଷ ୯୪ ହଜାର ୮୦୬ ଛାତ୍ରୀ ରହିଛନ୍ତି। ୮ ଜଣ କିନ୍ନର ବି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସାଧାରଣ ବର୍ଗଙ୍କ ପାଇଁ କଟ୍‌ ଅଫ୍‌ ମାର୍କ ୭୨୦-୧୩୮ ରହିଥିବା ବେଳେ ଏସ୍‌ସି/ଏସ୍‌ଟି/ଓବିସିଙ୍କ ପାଇଁ ୧୩୭-୧୦୮ ରହିଛି।

ଦେଶର ଶ୍ରେଷ୍ଠ ୨୦ ମଧ୍ୟରେ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ତିନିଜଣ ଲେଖାଏଁ ଛାତ୍ରଛାତ୍ରୀ ରହିଛନ୍ତି। ଯେତେବେଳେ କି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଦିଲ୍ଲୀର ଦୁଇଜଣ ଲେଖାଏଁ, କେରଳ, ପଶ୍ଚିମବଙ୍ଗ, ବିହାର, ହରିଆନା, ପଞ୍ଜାବ ଓ ଗୁଜୁରାଟର ଜଣେ ଲେଖାଏଁ ଅଛନ୍ତି। ଦୁଇଜଣ ଛାତ୍ରୀ ଶ୍ରେଷ୍ଠ ୨୦ ମଧ୍ୟରେ ସ୍ଥାନ ପାଇଛନ୍ତି। ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏସ୍‌ସି ବର୍ଗର ୧୩.୧୨% ଥିବା ବେଳେ ୪୫.୬% ଓବିସି, ୪.୬୧% ଏସ୍‌ଟି ବର୍ଗର ରହିଛନ୍ତି। ମେଡିକାଲ କଲେଜଗୁଡ଼ିକର ସର୍ବଭାରତୀୟ କୋଟାର ୧୫% ସିଟ୍‌ରେ ନାମଲେଖା ପାଇଁ ମେଡିକାଲ କାଉନସିଲ୍‌ କମିଟି(ଏମ୍‌ସିସି) କାଉନସେଲିଂ କରିବାକୁ ଥିବା ବେଳେ ୮୫% ସିଟ୍‌ ରାଜ୍ୟସ୍ତରୀୟ କାଉନସେଲିଂରେ ପୂରଣ ହେବ। ଏମ୍‌ବିବିଏସ୍‌, ବିଡିଏସ୍‌, ବ୍ୟାଚଲର୍‌ ଅଫ୍‌ ଆୟୁର୍ବେଦ, ମେଡିସିନ୍‌ ଓ ସର୍ଜରି, ବ୍ୟାଚଲର ଅଫ୍‌ ୟୁନାନି ମେଡିସିନ୍‌ ଓ ସର୍ଜରି, ବ୍ୟାଚଲର ଅଫ୍‌ ହୋମିଓପାଥି ମେଡିସିନ୍‌ ଓ ସର୍ଜରି ଏବଂ ବିଏମ୍‌ସି ନର୍ସିଂ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ।

ସମ୍ବନ୍ଧିତ ଖବର