ଓଡ଼ିଶାରେ ହେବନି ନିଟ୍‌

୪୨ ହଜାର ପରୀକ୍ଷାର୍ଥୀଙ୍କୁ ବଡ଼ ଆଶ୍ବସ୍ତି, ଓଡ଼ିଶା ପାଇଁ ‌ହେବ ସ୍ବତନ୍ତ୍ର ତାରିଖ ଘୋଷଣା

ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୫(ରବିବାର) ଅନୁଷ୍ଠିତ ହେବାକୁ ଥିବା ନେସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)ରୁ ଓଡ଼ିଶାକୁ ବାଦ୍‌ ଦିଆଯାଇଛି। ‘ଫନି’ ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନିଟ୍‌କୁ ଏବେ ସ୍ଥଗିତ ରଖାଯାଇଛି। ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ରବିବାର ହେବାକୁ ଥିବା ବେଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟର ସଚିବ ଆର୍‌ ସୁବ୍ରମଣ୍ୟମ୍‌ ଟୁଇଟ୍‌ କରି କହିଛନ୍ତି ଯେ ବାତ୍ୟା ‘ଫନି’ ଯୋଗୁଁ ଓଡ଼ିଶାରେ ବ୍ୟାପକ କ୍ଷତି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ନିଟ୍‌ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ପରେ ଏନେଇ ତାରିଖ ଘୋଷଣା କରାଯିବ ବୋଲି ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।

ଚଳିତବର୍ଷ ସାରା ଦେଶରୁ ରେକର୍ଡ ସଂଖ୍ୟକ ୧୫ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ‌ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟ‌ରେ ଓଡ଼ିଶାର ପ୍ରାୟ ୪୨ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ରବିବାର ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍‌ ୫ରେ ଫଳ ପ୍ରକାଶ ପାଇବ। ଚଳିତ ବର୍ଷ ୧୫୦ଟି ସହରରେ ପରୀକ୍ଷା କରାଯାଉଛି। ଏଥିରେ ଓଡ଼ିଶାର ଭୁବନେଶ୍ବର, ବ୍ରହ୍ମପୁର ଓ ରାଉରକେଲା ରହିଥିଲା। ବାତ୍ୟାରେ ଭୁବନେଶ୍ବରରେ ବ୍ୟାପକ କ୍ଷତି ହୋଇଛି। ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ତେଣୁ ପରୀକ୍ଷା କରିବା ଏବେ ସମ୍ଭବପର ନୁହେଁ। ବହୁ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସମ୍ଭବପର ହେଉ ନାହିଁ। ଏହାକୁ ନେଇ ଗତ ୪ ଦିନ ହେଲା ଓଡ଼ିଶାର ଛାତ୍ରଛାତ୍ରୀ ଚିନ୍ତାରେ ରହିଥିଲେ। ଏପରିକି କିଛି ପରୀକ୍ଷାର୍ଥୀ ଭୁବନେଶ୍ବରରେ ହୋଟେଲ ଭଡ଼ା ନେଇ ସେଠାରେ ରହୁଥିଲେ। ପରୀକ୍ଷା ବାତିଲ୍‌ ପରେ ଅନିଶ୍ଚିତତରେ ଥିବା ପରୀକ୍ଷାର୍ଥୀ ଆଶ୍ବସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର