କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁଯାୟୀ ହେବ ପରୀକ୍ଷା
ପରୀକ୍ଷା ଦେଇପାରିବେନି କରୋନା ପଜିଟିଭ୍‌

Advertisment

ଭୁବନେଶ୍ୱର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ରବିବାର ନିଟ୍‌(ନ୍ୟାସନାଲ ଏଲିଜିବିଲିଟି କମ୍‌ ‌ଏଣ୍ଟ୍ରାନ୍ସ ଟେଷ୍ଟ) ଅନୁଷ୍ଠିତ ହେବ। କୋଭିଡ୍‌-୧୯ କଟକଣା ମଧ୍ୟରେ ଅଫ୍‌ଲାଇନ୍‌ରେ ହେଉଥିବା ଏହି ପରୀକ୍ଷାରେ ଦେଶର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶାରୁ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାର ୭ଟି ସହରରେ ୮୪ଟି ପରୀକ୍ଷା କେନ୍ଦ୍ର ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ କଟକର ୧୪ଟି ପରୀକ୍ଷା କେନ୍ଦ୍ରରେ ୫୯୪୯, ସମ୍ବଲପୁରର ୧୪ଟି କେନ୍ଦ୍ରରେ ୪୮୮୮, ବାଲେଶ୍ବରର ୧୧ଟି କେନ୍ଦ୍ରରେ ୩୮୩୧, ବ୍ରହ୍ମପୁରର ୭ଟି କେନ୍ଦ୍ରରେ ୩୯୪୧, ରାଉରକେଲାର ୫ଟି କେନ୍ଦ୍ରରେ ୧୯୬୦ ଓ ଅନୁଗୁଳର ୨ଟି ପରୀକ୍ଷା କେନ୍ଦ୍ରରେ ୧୨୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେ‌ବେ।

ନିଟ୍‌ର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ କହିଛନ୍ତି ଯେ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମ୍‌ ରହିବ। ପରୀକ୍ଷକମାନେ ପିପିଇ କିଟ୍‌ ପିନ୍ଧିବେ। ପରୀକ୍ଷାର୍ଥୀଙ୍କ ସହ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ଗୁରୁତ୍ବ ଦିଆଯାଇଛି। ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ପରୀକ୍ଷା ହେବାକୁ ଥିବାରୁ ପୂର୍ବାହ୍ନ ୧୧ଟାରେ ପରୀକ୍ଷା କେନ୍ଦ୍ର ଗେଟ୍‌ ଖୋଲିବ ଓ ଅପରାହ୍ନ ୧ଟା ୩୦ରେ ବନ୍ଦ କରାଯିବ। ପରୀକ୍ଷା ପୂର୍ବରୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି। ପରୀକ୍ଷା କେନ୍ଦ୍ର ନିକଟରେ ଭିଡ଼ ଏଡ଼ାଇବା ଲାଗି ଡାକବାଜି ଯନ୍ତ୍ରରେ ଘୋଷଣା ସହ ସ୍ବତନ୍ତ୍ର ପୁଲିସ ମୁତୟନ ହେବେ ବୋଲି ସେ କହିଛନ୍ତି।

ଏନ୍‌ଟିଏ(ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷା ହେବ। ପରୀକ୍ଷାର୍ଥୀଙ୍କ ମଧ୍ୟରେ ୬ ଫୁଟ୍‌ର ଦୂରତ୍ବ ରହିବ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନିୟମିତ ବ୍ୟବଧାନରେ ୪୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବାକୁ ହେବ। ଛେପ ପକାଇ ପାରିବେ ନାହିଁ। ପରୀକ୍ଷା ଦେବାକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ସହ ବର୍ତମାନର ସ୍ବାସ୍ଥ୍ୟ ସମ୍ପର୍କରେ ନିଜସ୍ବ ଘୋଷଣା ପତ୍ର ସାଙ୍ଗରେ ଆଣିଥିବେ। ‌ଯେ କୌଣସି ସରକାରୀ ପ୍ରମାଣପତ୍ର ନିତାନ୍ତ ଜରୁରୀ। ନିଜସ୍ବ ପାଣି ବୋତଲ, ୫୦ ମିଲିର ସାନିଟାଇଜର, ମାସ୍କ ଓ ଗ୍ଲୋଭ୍‌ସ ଆଦି ଆଣିବାକୁ ପରାମର୍ଶ ଦିଆଯାଇଛି। ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ‌ହେବ। ସେହିପରି କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବା ଲାଗି ସୁଯୋଗ ମିଳିବ ନାହିଁ। ସେମାନଙ୍କ ଲାଗି ପରବର୍ତୀ ସମୟରେ ପରୀକ୍ଷା କରାଯିବ। ୧୩ ତାରିଖରେ ପରୀକ୍ଷା ସରିବା ପରେ ଏନେଇ ଏନ୍‌ଟିଏ ପକ୍ଷରୁ ତାରିଖ ଘୋଷଣା ହେବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ନିଟ୍‌ ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଆଜି ଅପରାହ୍ନରେ ୪ଟି ସ୍ବତନ୍ତ୍ର ଟ୍ରେନ୍‌ ବିଭିନ୍ନ ଷ୍ଟେସନରୁ ବାହାରି ପରୀକ୍ଷା ହେଉଥିବା ସହରରେ ପହଞ୍ଚିଛି। ଭଦ୍ରକ-ଭୁବନେଶ୍ବର, କେନ୍ଦୁଝରଗଡ଼-ଭୁବନେଶ୍ବର, ରାୟଗଡ଼ା-ସମ୍ବଲପୁର, ଖରିଆର ରୋଡ-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିଥିବା ସୂଚନା ମିଳିଛି। ପରୀକ୍ଷାର୍ଥୀଙ୍କ ରହିବା ଲାଗି ୭ଟି ସହରରେ ରହଣୀ କେନ୍ଦ୍ର ମଧ୍ୟ ହୋଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ପରୀକ୍ଷା ପାଇଁ ୭ଟି ଜିଲ୍ଲାର ୭ଟି ଯାକ ସହରରେ ଏନ୍‌ଟିଏ ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ ହୋଇଛି। ପରୀକ୍ଷାର୍ଥୀ ବିନା ଭୟରେ ପରୀକ୍ଷାରେ ଭାଗ ନେବାକୁ ସେ ଆହ୍ବାନ ଦେଇଛନ୍ତି।