ପ୍ରସ୍ତୁତି ଶେଷ, ରାତି ପାହିଲେ ରାଜ୍ୟର ୭ଟି ସହରରେ ନିଟ ପରୀକ୍ଷା ଦେବେ ୩୭ ହଜାର ୪୫୯ ଛାତ୍ରଛାତ୍ରୀ

ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌(ନ୍ୟାସନାଲ ଏଲିଜିବିଲିଟି କମ୍‌ ‌ଏଣ୍ଟ୍ରାନ୍ସ ଟେଷ୍ଟ) ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋଭିଡ୍‌-୧୯ କଟକଣା ମଧ୍ୟରେ ଅଫ୍‌ଲାଇନ୍‌ରେ ହେଉଥିବା ଏହି ପରୀକ୍ଷା ଲାଗି ଓଡ଼ିଶାରେ ୮୪ଟି ପରୀକ୍ଷା କେନ୍ଦ୍ର ହୋଇଛି। ଯେଉଁଥିରେ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଭୁବନେଶ୍ବରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ କଟକର ୧୪ଟି କେନ୍ଦ୍ରରେ ୫୯୪୯, ସମ୍ବଲପୁରର ୧୪ଟି କେନ୍ଦ୍ରରେ ୪୮୮୮, ବାଲେଶ୍ବରର ୧୧ଟି କେନ୍ଦ୍ରରେ ୩୮୩୧, ବ୍ରହ୍ମପୁରର ୭ଟି କେନ୍ଦ୍ରରେ ୩୯୪୧, ରାଉରକେଲାର ୫ଟି କେନ୍ଦ୍ରରେ ୧୯୬୦ ଓ ଅନୁଗୁଳର ୨ଟି ପରୀକ୍ଷା କେନ୍ଦ୍ରରେ ୧୨୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି।

ପରୀକ୍ଷାର ସୁପରିଚାଳନା ନେଇ ନିଟ୍‌ର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ କହିଛନ୍ତି ଯେ ଜେଇଇ ମେନ୍‌ ପରି ନିଟ୍‌ ପାଇଁ ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ୍‌ ରୁମ୍‌ ରହିବ। ଅଧିକ ତାପମାତ୍ରା ବା ଅସୁସ୍ଥ ପରୀକ୍ଷାର୍ଥୀ ସେଠାରେ ପରୀକ୍ଷା ଦେବେ। ସେମାନଙ୍କ ଲାଗି ଦୁଇଜଣ ପରୀକ୍ଷା ନିୟନ୍ତ୍ରକ ପିପିଇ କିଟ୍‌ ପିନ୍ଧି ପରୀକ୍ଷା ପରିଚାଳନା କରିବେ। ଏଥିସହ ଶାରୀରିକ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଛି। ଏଥର ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାକୁ କେହି ପରୀକ୍ଷକ ସ୍ପର୍ଶ କରିବେ ନାହିଁ। ଛାତ୍ରଛାତ୍ରୀ କେବଳ ଦସ୍ତଖତ କରିବେ। ପରୀକ୍ଷାର୍ଥୀଙ୍କ ସହ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଯେପରି ସୁରକ୍ଷିତ ରହିବେ, ସେଥିପାଇଁ ଗୁରୁତ୍ବ ଦିଆଯାଇଛି। ଭୁବ‌ନେଶ୍ବରରେ ୩୧ଟି ପରୀକ୍ଷା କେନ୍ଦ୍ର ସହ ପରୀକ୍ଷାର୍ଥୀଙ୍କ ପାଇଁ ବସ୍‌ ବ୍ୟବସ୍ଥା ହୋଇଛି। ୪ଟି ଜୋନ୍‌ରେ ୪ଜଣ ଓଏଏସ୍‌ ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି। ପରୀକ୍ଷା ଅପରାହ୍‌ଣ ୨ଟାରୁ ୫ଟା ମଧ୍ୟରେ ଅନୁଷ୍ଠିତ ହେବ। ତେବେ ପୂର୍ବାହ୍ନ ୧୧ଟାରେ ପରୀକ୍ଷା କେନ୍ଦ୍ର ଗେଟ୍‌ ଖୋଲିବ ଏବଂ ଅପରାହ୍‌ଣ ସାଢ଼େ ୧ଟା‌ରେ ବନ୍ଦ କରାଯିବ।

ପରୀକ୍ଷା ପାଇଁ କୋଭିଡ୍‌-୧୯ କଟକଣାକୁ କଡ଼ାକଡ଼ି କରାଯାଇଛି। ପ୍ରବେଶ ପଥରେ ପରୀକ୍ଷାର୍ଥୀଙ୍କୁ ସାନିଟାଇଜର୍‌ ଓ ମାସ୍କ ଯୋଗାଇ ଦିଆଯିବ। ସେମାନେ ସାଙ୍ଗରେ ଆଣିଥିବା ୫୦ ମିଲିର ସାନିଟାଇଜର ହଲ୍‌ ଭିତରକୁ ନେଇ ଯାଇପାରିବେ। ଅପରାହ୍‌ଣ‌ରେ ପରୀକ୍ଷା ହେଉଥିବାରୁ ପରୀକ୍ଷାର୍ଥୀଙ୍କୁ ବିସ୍କୁଟ ଓ ପାଣି ବୋତଲ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ‌ହେବ। ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ। ପ୍ରବେଶ ସମୟରେ ସ‌ାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରତି ୬ ଫୁଟ୍‌ ବ୍ୟବଧାନରେ କୋଠରୀ କରାଯାଇଛି। ପରୀକ୍ଷା କେନ୍ଦ୍ର ନିକଟରେ ଭିଡ଼ ଏଡ଼ାଇବା ଲାଗି ଡାକବାଜି ଯନ୍ତ୍ରରେ ଘୋଷଣା ସହ ସ୍ବତନ୍ତ୍ର ପୁଲିସ ମୁତୟନ ହେବେ। ସେମାନେ ଭିଡ଼କୁ ନିୟନ୍ତ୍ରଣ କରିବେ।

ସମ୍ବନ୍ଧିତ ଖବର