ଭୁବନେଶ୍ବର : ଡେଣ୍ଟାଲ୍ ପିଜି ପାଠ୍ୟକ୍ରମ-୨୦୧୯ରେ ନାମଲେଖା ପାଇଁ ଡିସେମ୍ବର ୧୪ରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍-ଏମ୍ଡିଏସ୍) ଅନୁଷ୍ଠିତ ହେବ। ସାରା ଦେଶରେ ଥିବା ଡେଣ୍ଟାଲ ଇନ୍ଷ୍ଟିଚ୍ୟୁଟ୍ ପାଇଁ ଏହି ଏକକ ପରୀକ୍ଷା କରାଯିବ। ରାଜ୍ୟ କିମ୍ବା ଶିକ୍ଷାନୁଷ୍ଠାନରେ ଏବର୍ଷ କୌଣସି ପ୍ରକାର ପରୀକ୍ଷା ହେବ ନାହିଁ। ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍(ଏନ୍ବିଏ) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ନଭେମ୍ବର ୬ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏଥିପାଇଁ ‘www.nbe.edu.in’ରେ ଫର୍ମ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀ ଫର୍ମ ପୂରଣ କରିବା ସମୟରେ େକଉଁ ସହରରେ ପରୀକ୍ଷା ଦେବାକୁ ଇଚ୍ଛୁୂକ ତାହା ଉଲ୍ଲେଖ କରିବେ। ଫର୍ମ ପୂରଣ କରିବା ପୂର୍ବରୁ ସୂଚନା ପୁସ୍ତିକାକୁ ଭଲ ଭାବେ ପଢ଼ିବାକୁ ନିଟ୍-ଏମ୍ଡିଏସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଡିସେମ୍ବର ୧୪ରେ ହେବାକୁ ଥିବା ଏହି ପରୀକ୍ଷା କମ୍ପ୍ୟୁଟର ମାଧ୍ୟମରେ ହେବ। ପରୀକ୍ଷା ସମୟରେ ମୋବାଇଲ୍ ଫୋନ୍ ଓ ଇଲୋକ୍ଟ୍ରୋନିକ୍ ସାମଗ୍ରୀ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ପରିସରରେ ଯଦି କୌଣସି ଛାତ୍ରଛାତ୍ରୀଙ୍କ ନିକଟରେ ଏଭଳି କୌଣସି ସମଗ୍ରୀ ମିଳିବ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସାଧାରଣ ବର୍ଗ/ଓବିସି ପରୀକ୍ଷାର୍ଥୀଙ୍କ ପାଇଁ ୩୭୫୦ ଟଙ୍କା ଫି’ ରଖାଯାଇଥିବା ବେଳେ ଏସ୍ସି/ଏସ୍ଟି/ପିଡବ୍ଲୁଡି/ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨୭୫୦ ଟଙ୍କା ପରୀକ୍ଷା ଫି’ ରହିଛି। ୨୦୧୯ ଜାନୁଆରି ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ।