ଦିଲ୍ଲୀ ଏମ୍‌ସରେ ପଢ଼ିବା ମୋର ଲକ୍ଷ୍ୟ: ଓଡ଼ିଶା ନିଟ୍ ଟପର ସମୀର

ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଦ୍ୱାଦଶ ଶ୍ରେଣୀ ଛାତ୍ର ରାୟଗଡ଼ାର ସମୀର କୁମାର ପାତ୍ର ‘ନିଟ୍‌’ରେ ସଫଳତା ହାସଲ କରିଛନ୍ତି । ଓଡ଼ିଶା ଟପର୍‌ ହେବା ସହ ସର୍ବଭାରତୀୟ ର‍୍ୟାଙ୍କର ୩୦ତମ ସ୍ଥାନରେ ରହିଛନ୍ତି। ଅବସରପ୍ରାପ୍ତ ପ୍ରଫେସର ସଞ୍ଜୟ କୁମାର ପାତ୍ର ଓ ଶିକ୍ଷୟିତ୍ରୀ ସସ୍ମିତା ପାତ୍ରଙ୍କ ଏକମାତ୍ର ପୁତ୍ର ସମୀର ଓଡ଼ିଶାର ୩୨ ହଜାର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଏହି କୃତିତ୍ୱ ହାସଲ କରିଛନ୍ତି। ତାଙ୍କୁ ଭେଟିଥିଲେ ‘ସମ୍ବାଦ’ ପ୍ରତିନିଧି କେଶବ ପାଣି।

ଶ୍ରେଷ୍ଠ ଶହେ ଭିତରେ ରହିବେ ବୋଲି ଆଶା କରିଥିଲେ?
-ଶ୍ରେଷ୍ଠ ଶହେ ଭିତରେ ଆସିବି ବୋଲି ଭାବିଥିଲି। ହେଲେ ୩୦ତମ ସ୍ଥାନରେ ରହି ଓଡ଼ିଶା ଟପର୍‌ ହେବି ବୋଲି ଭାବି ନ ଥିଲି। ଏଭଳି ସଫଳତାର ଶ୍ରେୟ ବାପା, ମା’, ସ୍କୁଲ ଓ କୋଚିଂ ସେଣ୍ଟର୍‌ର ଶିକ୍ଷକମାନଙ୍କୁ ଦେବି।

ସ୍କୁଲ ପାଠପଢ଼ା ସାଙ୍ଗକୁ କୋଚିଂ ଗ୍ରହଣ କିଭଳି ଥିଲା?
-ସ୍କୁଲରେ ଯେଉଁ ପାଠପଢ଼ା ହେଉଥିଲା ତାହାକୁ ବାରମ୍ବାର ଅଭ୍ୟାସ କରୁଥିଲି। ଯେଉଁଥିପାଇଁ ଆଜି ଏଭଳି ସଫଳତା ମିଳିଛି। ଏଥିସହ ‘ଆକାଶ’ ଇନଷ୍ଟିଚ୍ୟୁଟ୍‌ ଶିକ୍ଷକଙ୍କ ପାଠପଢ଼ା ଶୈଳୀ ‘ନିଟ୍‌’ ପାଇଁ ବେଶ ସହାୟକ ହେଲା। କ୍ଲାସ୍‌ ଓ କୋଚିଂ ବ୍ୟତୀତ ପ୍ରତିଦିନ ୫ରୁ ୬ ଘଣ୍ଟା ଅଧିକ ପରିଶ୍ରମ କରୁଥିଲି।

କେଉଁଠି ପଢ଼ିବାକୁ ଲକ୍ଷ୍ୟ?
-ଏମ୍‌ସ ପ୍ରବେଶିକା ପରୀକ୍ଷା ଫଳକୁ ଅପେକ୍ଷା କରିଛି। ଯଦି ସେଥିରେ ଭଲ ର‍୍ୟାଙ୍କ ମିଳିବ ତେବେ ଦିଲ୍ଲୀ ଏମ୍‌ସରେ ପଢ଼ିବି। ଯଦି ସେଠାରେ ନ ହୁଏ ତେବେ ମୌଲାନା ଆଜାଦ୍‌ ମେଡିକାଲ କଲେଜରେ ପଢ଼ିବାକୁ ଚାହିଁବି। ଦ୍ୱାଦଶ ଶ୍ରେଣୀରେ ୯୬.୬ ପ୍ରତିଶତ ମାର୍କ ରହିଥିଲା। ତେଣୁ ‘ନିଟ୍‌’ରେ ଆଉ ଟିକିଏ ଭଲ ର‍୍ୟାଙ୍କ ରହିବ ବୋଲି ଆଶା ରହିଥିଲା।

ଡାକ୍ତର ହେବା ପରେ କେଉଁଠି କାର୍ଯ୍ୟ କରିବାକୁ ପସନ୍ଦ କରିବେ?
-ଦଶମ ପରୀକ୍ଷା ପରେ ସ୍ୱପ୍ନ ଥିଲା ଡାକ୍ତର ହେବି। ବାପା, ମା’ ମୋତେ ସମର୍ଥନ ଦେଇଥିଲେ। ସେମାନଙ୍କ ଆଶା ପୂରଣ କରିବି। ଓଡ଼ିଶାର ଚିକିତ୍ସା ବ୍ୟବସ୍ଥାକୁ ସୁଧାର ଆଣିବା ସହ ଏଠାରେ ରହି ଲୋକଙ୍କ ସେବା କରିବାକୁ ଚାହୁଁଛି।

‘ନିଟ୍‌’ ଦେବାକୁ ଥିବା ପରୀକ୍ଷାର୍ଥୀଙ୍କୁ କ’ଣ କହିବେ?
-‘ନିଟ୍‌’ରେ ଆସୁଥିବା ପ୍ରଶ୍ନଗୁଡ଼ିକ ଏବେ ଏନ୍‌ସିଇଆର୍‌ଟି ଉପରେ ରହୁଛି। ବିଶେଷକରି ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଅଧିକ କଷ୍ଟକର ହେଉଛି। ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବାକୁ ପଡ଼ିବ। ଯେଉଁମାନେ ବି ଆଗାମୀ ଦିନରେ ପରୀକ୍ଷା ଦେବାକୁ ଯାଉଛନ୍ତି ସେମାନେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତୁ। ପ୍ରଶ୍ନପତ୍ର କଷ୍ଟକର ନୁହେଁ। ଛାତ୍ରଛାତ୍ରୀଙ୍କୁ ବିଷୟ ଭିତରକୁ ଯିବାକୁ ପଡ଼ିବ। ଲାଇନ୍‌ ଅନୁଯାୟୀ ପଢ଼ିବାକୁ ହେବ।

ସମ୍ବନ୍ଧିତ ଖବର