ନିଟ୍‌-ୟୁଜି ଫଳ ପ୍ରକାଶ: ସାଇ ଇଣ୍ଟରନ୍ୟାସନାଲର ସୋମଦତ୍ତ ଓଡ଼ିଶା ଟପର୍‌

ଓଡ଼ିଶାରୁ ଯୋଗ୍ୟତା ଅର୍ଜନ କଲେ ୨୬,୨୭୯, ଓଡ଼ିଆ ଭାଷାରେ ପରୀକ୍ଷା ଲାଗି ଆଗ୍ରହ ନାହିଁ

ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାସନାଲ ଏଲିଜିବୁଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଛାତ୍ର ପ୍ରିୟ ସୋମଦତ୍ତ ନାୟକ ସର୍ବଭାରତୀୟ ସ୍ତରରେ ୩୯ତମ ରୢାଙ୍କ ହାସଲ କରିବା ସହ ଓଡ଼ିଶା ଟପର୍‌ ହୋଇଛନ୍ତି। ସେ ୯୯.୯୯୭ ପର୍ସେଣ୍ଟାଇଲ୍ ସହ ୭୨୦ରୁ ୭୦୫ ମାର୍କ ରଖି ଏଭଳି ସଫଳତା ପାଇଛନ୍ତି। ପଦାର୍ଥ ବିଜ୍ଞାନ ବିଷୟରେ ୧୮୦ରୁ ୧୮୦ ମାର୍କ ରଖିଥିବା ବେଳେ ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଷୟରେ ୧୮୦ରୁ ୧୭୫ ମାର୍କ ଅକ୍ତିଆର କରିଛନ୍ତି। ପରୀକ୍ଷା ଲାଗି ସେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ରେ କୋଚିଂ ନେଉଥିଲେ। ପ୍ରିୟ ସୋମଦତ୍ତଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ପିତା ସଞ୍ଜୀବ ନାୟକ ଆଇଟିସିରେ ସେଲ୍ସ ମ୍ୟାନେଜର୍‌ ଅଛନ୍ତି। ତାଙ୍କ ମା’ ଅନୁପମା ନାୟକ ଜଣେ ଗୃହିଣୀ।

ଚଳିତ ବର୍ଷ ଦେଶ ବାହାରର ୧୪ଟି ସହର ସମେତ ଦେଶର ମୋଟ ୪୯୭ ସହରର ୩୫୭୦ କେନ୍ଦ୍ରରେ ୧୮ଲକ୍ଷ ୭୨ ହଜାର ୩୪୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୭ଲକ୍ଷ ୬୪ହଜାର ୫୭୧ଜଣ ପରୀକ୍ଷା ଦେଇଥିବା ବେଳେ ୯ଲକ୍ଷ ୯୩ ହଜାର ୬୯ଜଣ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ସମେତ ମୋଟ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ଓଡ଼ିଆ ଭାଷାରେ ପରୀକ୍ଷା ଦେବା ଲାଗି ମାତ୍ର ୮୨୨ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ, ଯାହାକି ୨୦୨୧ ତୁଳନାରେ କମ୍‌। ଗତବର୍ଷ ୧୦୧୬ଜଣ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିଲେ। ପଞ୍ଜାବୀ ପରେ ଓଡ଼ିଆ ଦ୍ବିତୀୟ ଭାଷା ଯେଉଁଥିରେ କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେବାକୁ ପସନ୍ଦ କରିଛନ୍ତି। ଚଳିତବର୍ଷ ଓଡ଼ିଶାରୁ ୪୪ ହଜାର ୯୪୭ଜଣ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୩ହଜାର ୮୦ଜଣ ପରୀକ୍ଷା ଦେଇଥିଲେ ଏବଂ ୨୬ ହଜାର ୨୭୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଗତବର୍ଷ ତୁଳନାରେ ଏଥର ଓଡ଼ିଶାର ପିଲାମାନେ ଭଲ ଫଳ କରିଛନ୍ତି।

ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ଏବେ କାଉନସେଲିଂ ଉପରେ ଗୁରୁତ୍ବ ଦିଆଯାଉଛି। ଦେଶର ୧୫% ସର୍ବଭାରତୀୟ କୋଟା ସିଟ୍‌ ସମେତ ଡିମ୍‌ଡ ବିଶ୍ବବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଇଏସ୍‌ଆଇସି ସିଟ୍‌, ଏଏଫ୍‌ଏମ୍‌ସି, ବିଏଚ୍‌ୟୁ ଓ ଏଏମ୍‌ୟୁ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସେବା ମହାନିର୍ଦେଶାଳୟ(ଡିଜିଏଚ୍‌ଏସ୍‌) ପକ୍ଷରୁ କାଉନ‌ସେଲିଂ କରାଯିବ। ଯୋଗ୍ୟ ଛାତ୍ରଛାତ୍ରୀ www.mcc.nic.in ୱେବସାଇଟ୍‌ରେ ଏନେଇ ଅଧିକ ତଥ୍ୟ ଜାଣିପାରିବେ। ରାଜ୍ୟଗୁଡ଼ିକରେ ଥିବା ମେଡିକାଲ କଲେଜର ସିଟ୍‌ ଲାଗି ସମ୍ପୃକ୍ତ ରାଜ୍ୟ ସରକାର କାଉନସେଲିଂ କରିବେ। ତେଣୁ ଛାତ୍ରଛାତ୍ରୀ ନିୟମିତ ଭାବେ ୱେବସାଇଟ୍‌ଗୁଡ଼ିକୁ ଯାଞ୍ଚ କରିବାକୁ ଏନ୍‌ଟିଏ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର