ଭୁବନେଶ୍ବର: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତବର୍ଷ ପ୍ରବେଶିକା ପରୀକ୍ଷା ଦେବାକୁ ୨୨ଲକ୍ଷ ୭୬ ହଜାର ୬୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୨ ଲକ୍ଷ ୯ ହଜାର ୩୧୮ ଜଣ ପରୀକ୍ଷା ଦେଇଥିବା ବେଳେ ୧୨ ଲକ୍ଷ ୩୬ ହଜାର ୫୩୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୭ ଲକ୍ଷ ୨୨ ହଜାର ୪୬୨ ଜଣ ଛାତ୍ରୀ, ୫ ଲକ୍ଷ ୧୪ ହଜାର ୬୩ ଜଣ ଛାତ୍ର ଓ ୬ ଜଣ କିନ୍ନର ରହିଛନ୍ତି। ରାଜସ୍ଥାନର ମହେଶ କୁମାର ଦେଶରେ ଟପର୍ ହୋଇଛନ୍ତି। ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜସ୍ଥାନର ସର୍ବାଧିକ ଛାତ୍ର ରହିଥିବା ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତଥର ପରୀକ୍ଷା ଦେବାକୁ ଓଡ଼ିଶାରୁ ୬୧ ହଜାର ୧୧୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୯ ହଜାର ୨୩୮ଜଣ ପରୀକ୍ଷା ଦେଇଥିବା ବେଳେ ୩୧ ହଜାର ୬୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାର ଏକମାତ୍ର ପରୀକ୍ଷାର୍ଥୀ ଭାବେ ସ୍ନେହାଶିଷ ଦାସ ସର୍ବଭାରତୀୟ ସ୍ତରରେ ୬୦ତମ ସ୍ଥାନରେ ରହିବା ସହ ରାଜ୍ୟ ଟପର୍ ହୋଇଛନ୍ତି। ତେବେ ଖୁସିର ବିଷୟ ହେଉଛି ଯେ ମହିଳା ଦିବ୍ୟାଙ୍ଗ ବର୍ଗରେ ଛାତ୍ରୀ ବୈଶାଳୀ ମହାରଣା ୨୦,୪୯୬ ରୢାଙ୍କ ରଖି ଦେଶରେ ଟପର୍ ହୋଇଛନ୍ତି। ସେହିପରି ଦିବ୍ୟାଙ୍ଗ ପୁରୁଷ ବର୍ଗର ପ୍ରଥମ ୫ଟି ସ୍ଥାନ ମଧ୍ୟରେ ଓଡ଼ିଶାର ରଘୁନାଥ ବେହେରା (୪, ୪୭୮ ରୢାଙ୍କ) ତୃତୀୟ, ଦୁର୍ବାଦଳ ମେହେର (୭,୦୦୭ ରୢାଙ୍କ) ୫ମ ସ୍ଥାନରେ ରହିଛନ୍ତି।
‘ଆଲେନ୍’ରେ କୋଚିଂ ନେଇ ଓଡ଼ିଶା ଟପର୍ ହୋଇଥିବା ସ୍ନେହାଶିଷ ନିଜର ସଫଳତା ସଂପର୍କରେ କହିଛନ୍ତି ଯେ ପରିବାରବର୍ଗଙ୍କ ସହଯୋଗ ପାଇଁ ଆଜି ଏହି ସଫଳତା ପାଇଛି। ସ୍କୁଲରେ ପଢ଼ିବା ସମୟରୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲି। କୋଚିଂ ସହ ସ୍କୁଲ ପାଠପଢ଼ା ଉପରେ ଗୁରୁତ୍ବ ଦେଇଥିଲି। ଦିନକୁ ୬ରୁ ୮ ଘଣ୍ଟା ପର୍ଯ୍ୟନ୍ତ ପଢ଼ୁଥିଲି। ଦୁଇ ବର୍ଷ ହେଲା କୌଣସି ପାରିବାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହିଁ। ଅଧିକ ରାତି ପର୍ଯ୍ୟନ୍ତ ପଢ଼ାପଢ଼ି କରୁ ନଥିଲି। ବରଂ ଯେତିକି ସମୟ ପଢ଼ୁଥିଲି, ପୂରା ପାଠରେ ମନୋନିବେଶ କରୁଥିଲି। ଆଗାମୀ ଦିନରେ ‘ଏମ୍ସ’ରେ ପଢ଼ିବା ସହ ସ୍ନାୟୁ ବିଶେଷଜ୍ଞ (ନ୍ୟୁରୋଲୋଜିଷ୍ଟ) ହେବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।
ଚଳିତବର୍ଷ ଓଡ଼ିଆ ସମେତ ୧୩ଟି ଭାଷାରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଇଂରାଜୀ ଭାଷାରେ ସର୍ବାଧିକ ୧୮ଲକ୍ଷ ୨୨ହଜାର ୪୧୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିଲେ। ସେହିପରି ହିନ୍ଦୀ ଭାଷାରେ ୩ ଲକ୍ଷ ୨୮ ହଜାର ୬୩୪ ଏବଂ ଓଡ଼ିଆରେ ମାତ୍ର ୮୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିଲେ। ଏଥର ବିଦେଶର ୧୪ଟି ସହର ସମେତ ଦେଶର ୫୫୨ଟି ସହରର ୫,୪୫୩ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।