କରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ‘ନେଗେଟିଭ୍ ରିପୋର୍ଟ’ ପ୍ରଦାନ କରାଯାଉ

ହାଇକୋର୍ଟରେ ମାମଲା

କଟକ : କରୋନା ଭୂତାଣୁ ସଂକ୍ରମିତ ହୋଇ ଚିକିତ୍ସିତ ହେବା ପରେ ଅରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କୁ ‘କରୋନା ନେଗେଟିଭ୍ ରିପୋର୍ଟ ପ୍ରଦାନ ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ଉପସଭାପତି କିଶୋର ଚନ୍ଦ୍ର ପାତ୍ରଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପରେ ‌କୋଭଡି କେନ୍ଦ୍ରରୁ ଡିସଚାର୍ଜ କରାଯାଉଛି। କିନ୍ତୁ ଡିସଚାର୍ଜ ପୂର୍ବରୁ କୌଣସି ପରୀକ୍ଷା କରାଯାଉ ନାହିଁ କି କରୋନା ନେଗେଟିଭ୍ ରିପୋର୍ଟ ପ୍ରଦାନ କରାଯାଉ ନାହିଁ। ଫଳରେ କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖା ଯାଉଛି। ବହୁ ଲୋକ ଏଭଳି ବ୍ୟକ୍ତିଙ୍କ ସହିତ ମିଳାମିଶା କରିବାକୁ ଭୟ କରୁଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ସାମାଜିକ ବାସନ୍ଦ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ ହେଉଛି। ଯଦି କରୋନା ଭୂତାଣୁ ଚିକିତ୍ସା ପରେ ଅରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କୁ କ‌େରାନା ନେଗେଟିଭ୍ ରିପୋର୍ଟ ପ୍ରଦାନ କରାଯାଉଥାନ୍ତା ତେବେ ଏଭଳି ସମସ୍ୟା ରୁହନ୍ତା ନାହିଁ।

କେନ୍ଦ୍ର ଓ ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଚିକିତ୍ସା ପ୍ରସଂଗରେ ଜାରି କରିଥିବା ନିୟମାବଳୀ ପାଳନ କ୍ଷେତ୍ରରେ ମଧ୍ୟ ଅବହେଳା ଅଭିଯୋଗ ହେଉଛି। ଏଭଳି ଘଟଣାରେ ଦୋଷୀ କର୍ତ୍ତୃପକ୍ଷ ଓ ଅଧିକାରୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ସ୍ବାସ୍ଥ୍ୟ ସଚିବ, ସ୍ବତନ୍ତ୍ର ରିଲିଫ କମିସନର ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆଜି ହାଇକୋର୍ଟର ଡ୍ରପ୍ ବକ୍ସରେ ଏ ସଂପର୍କିତ ମାମଲା ଦାଖଲ କରାଯାଇଛି ବୋଲି ପରିଷଦର ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର