ସୀମା ସୁରକ୍ଷା କଡ଼ାକଡ଼ି, ଆଶ୍ରୟସ୍ଥଳୀ ମୁକୁଳା: ଦୁଇ ଦିନରେ ଚମ୍ପଟ ମାରିଲେଣି ୩୫, ବଢ଼ୁଛି ପ୍ରଶାସନର ମୁଣ୍ଡବ୍ୟଥା

ରାୟଗଡ଼ା: ସୀମା ସୁରକ୍ଷା କଡ଼ାକଡ଼ି, ଆଶ୍ରୟସ୍ଥଳୀରେ କିନ୍ତୁ ମୁକୁଳା। ୨୪ ଘଣ୍ଟିଆ ଡ୍ୟୁଟିରେ ପୁଲିସ୍, ଯବାନ ଥିବା ସତ୍ବେ ଆଶ୍ରୟସ୍ଥଳୀରୁ ଚମ୍ପଟ ମାରୁଛନ୍ତି ଅନ୍ତେବାସୀ। ତାହା ପୁଣି ଝରକା କାଟି, କବାଟ ତାଡ଼ି। ଯାହାର ସାମାନ୍ୟ ସୁରାକ୍ ପାଉନାହାନ୍ତି ଦାୟିତ୍ବରେ ଥିବା ଅଧିକାରୀ। ଦୁଇ ଦିନରେ ଜିଲ୍ଲାର ଆଶ୍ରୟସ୍ଥଳୀରୁ ୩୫ ଅନ୍ତେବାସୀ ଚମ୍ପଟ ଘଟଣା ପୁଲିସ୍, ପ୍ରଶାସନର ମୁଣ୍ଡ ବ୍ୟଥାକୁ ବଢ଼ାଇଛି।

କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୩ ତାରିଖରୁ ଆନ୍ଧ୍ର-ଓଡ଼ିଶା ସୀମା ସିଲ୍ ହେବା ପରେ ଜିଲ୍ଲାର ବିଭିନ୍ନ ବ୍ଲକରେ ଖୋଲିଛି ଆଶ୍ରୟସ୍ଥଳୀ। ଆନ୍ଧ୍ର, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶରେ ସ୍ଥିତି ଅଣାୟତ୍ତ ହେବା ପରେ ଲକଡାଉନ୍ ସତ୍ତ୍ବେ ଖସି ଆସୁଛନ୍ତି ଶ୍ରମିକ। ମାଲବାହୀ ଟ୍ରେନ୍, ଟ୍ରକରେ ଆସୁଥିବା ଶ୍ରମିକଙ୍କୁ ସୀମାନ୍ତରେ ଅଟକି ରଖାଯାଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ କ୍ବାରାଣ୍ଟିନରେ ରଖାଯାଉଛି। ଏଥି ସହିତ ରେଳପଥ‌ ଓ ସଡ଼କ ପଥରେ ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଆଶ୍ରୟସ୍ଥଳୀରେ ଖାଦ୍ୟପେୟ, ରହଣିରେ କୌଣସି ଅସୁବିଧା ନାହିଁ।

ସ୍ବାସ୍ଥ୍ୟବସ୍ଥା ମଧ୍ୟ ନିୟମିତ ଭାବେ  ଯାଞ୍ଚ କରାଯାଉଛି। ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସୁଖଦୁଃଖ ବୁଝୁଛନ୍ତି। ନିକଟରେ ନୂଆ ଲୁଗା ମଧ୍ୟ ଅନ୍ତେବାସୀଙ୍କୁ ପ୍ରଦାନ କରାଯାଇଛି। ତଥାପି ପୁଲିସ୍, ପ୍ରଶାସନ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି ଅନ୍ତେବାସୀ। ଗତ ବୁଧବାର ରାତିରେ ରାୟଗଡ଼ା ବ୍ଲକ୍ କେରେଡ଼ା ଆଶ୍ରୟସ୍ଥଳୀର ଏକ କକ୍ଷରେ ଥିବା ୧୯ ଟ୍ରକ୍ ଡ୍ରାଇଭର, କର୍ମଚାରୀ ଫେରାର୍ ହୋଇ ଯାଇଛନ୍ତି। ବିଳମ୍ବିତ ରାତିରେ ପଛପାର୍ଶ୍ବ ଝରକା ତାଡ଼ି ପଞ୍ଜାବର ୧୭ ଏବଂ ଉତ୍ତରପ୍ରଦେଶର ୨ ଜଣ ଚମ୍ପଟ ମାରିଛନ୍ତି। ଶେଷଖାଲ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି। ଏଯାବତ୍ ଚମ୍ପଟ ଶ୍ରମିକଙ୍କ ସଂପର୍କରେ କୌଣସି ସୂଚନା ମିଳିପାରିନି।

ସେହିପରି ଗତକାଲି ରାତିରେ ମୁନିଗୁଡା ବ୍ଲକ୍ ଅମ୍ବାଦଳା ହାଇସ୍କୁଲ୍ ଆଶ୍ରୟସ୍ଥଳୀରୁ ୧୬ ଜଣ ଶ୍ରମିକ ସମାନ ଢ଼ଙ୍ଗରେ ଝରକା ତାଡ଼ି ଫେରାର୍ ହୋଇ ଯାଇଛନ୍ତି। ଫେରାର୍ ଥିବା ସମସ୍ତ ଶ୍ରମିକ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର। କେନାଲ କାମରେ ଆସି ଲକଡାଉନ୍ ଯୋଗୁ ଶ୍ରମିକମାନେ ଫସି ଯାଇଥିଲେ। ଗୋଷ୍ଠୀ ସଂକ୍ରମଣ ରୋକିବାକୁ ସୀମା ସିଲ୍ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେବା ପରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା, କଳାହାଣ୍ଡି ସୀମାନ୍ତ ଅମ୍ବାଦଳା, କୋରାପୁଟ ସୀମାନ୍ତ ରାୟଗଡ଼ାରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସୀମାରେ ୧୨ ଟିମ୍ ସହ ୯ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ବାହାର ରାଜ୍ୟ ଓ ବାହାର ଜିଲ୍ଲାର ଶ୍ରମିକଙ୍କ ପାଇଁ ଗଳା ବାଟ ପାଲଟି ଥିବାରୁ ଶ୍ରମିକଙ୍କ ଉପରେ ଅଧିକ ନଜର ରଖୁଛନ୍ତି ମୁତୟନ ହୋଇଥିବା ଯବାନ ଓ ପୁଲିସ୍ କର୍ମଚାରୀ। ପ୍ରତିଦିନ ପୁଲିସ୍ ପେଟ୍ରୋଲିଂ ଟିମ୍ ଲକଡାଉନ୍ ନିୟମ ଉଲ୍ଲଂଘନ କରି ବାଇକ୍, ସାଇକେଲ, ଗାଡ଼ିରେ ଗାଁ ମୁହାଁ ହେଉଥିବା ୨୦ରୁ ୩୦ ଶ୍ରମିକଙ୍କୁ ଉଦ୍ଧାର କରୁଛି। ଏହା ଛଡ଼ା ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୫ ଜଣ ଯବାନଙ୍କୁ ମୁତୟନ କରାଯାଇଛି। ୧୧ ବ୍ଲକରେ ଥିବା ଆଶ୍ରୟସ୍ଥଳୀରେ ବାହାର ରାଜ୍ୟର ୬୮୨ ଏବଂ ବାହାର ଜିଲ୍ଲାର ୭୮୩ ଅନ୍ତେବାସୀ ରହୁଛନ୍ତି। ମୋଟ ୧୪୬୫ ଅନ୍ତେବାସୀ ଆଶ୍ରୟସ୍ଥଳୀରେ ରହୁଥିବା ବେଳେ ଲକଡାଉନ୍ ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଏମାନଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ହୋଇଛି ନିର୍ଦେଶ। ୧ ମାସ ଧରି ଆଶ୍ରୟସ୍ଥଳୀରେ ରହିବା ପରେ ଘରକୁ ଚାଲିଯିବାକୁ ଉଦ୍ୟମ କରୁଛନ୍ତି ଅନ୍ତେବାସୀ। ରାତିରେ ଅନ୍ତେବାସୀ କରୁଥିବା କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପୁଲିସ୍, ପ୍ରଶାସନ ପକ୍ଷରେ କଷ୍ଟକର ହୋଇ ପଡ଼ୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢ଼ାଇବାକୁ ଚିନ୍ତା କରୁଛି ଜିଲ୍ଲା ପ୍ରଶାସନ।

ସମ୍ବନ୍ଧିତ ଖବର