ପୁରୀ : ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପ୍ରତି ବିଗତ କିଛି ବର୍ଷ ଧରି ଅହେତୁକ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି। ରକ୍ଷଣାବେକ୍ଷଣ ଅଭାବରୁ ବାରମ୍ବାର ପଥର ଖସିବା ଭଳି ଅଘଟଣ ନଜରକୁ ଆସୁଛି। ତଥାପି ଚେତିନାହାନ୍ତି ଅଧିକାରୀ। ଶ୍ରୀମନ୍ଦିର ପ୍ରଶାସନ, ପ୍ରତ୍ନତତ୍ତ୍ବ ବିଭାଗ କେହି ବି ଏହାକୁ ଗୁରୁତ୍ବ ଦେଉଥିବା ପରିଲକ୍ଷିତ ହୋଇନାହିଁ। ୬ ମାସ ତଳେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ତଥା ଆବଶ୍ୟକ ମରାମତି ପାଇଁ ୫ ବର୍ଷିୟା ଖସଡ଼ା ପ୍ରସ୍ତୁତ କରିବାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ବି ଆଜି ପର୍ଯ୍ୟନ୍ତ ଝୁଲି ରହିଛି। ଫଳସ୍ବରୂପ ୧୨ଶହ ଶତାବ୍ଦୀର ଶ୍ରୀମନ୍ଦିର ଆଜି ବିପଦ ଭିତରକୁ ଠେଲି ହୋଇଯାଇଛି।
ଶ୍ରୀମନ୍ଦିରରୁ ପଥର ଖସିବା ଘଟଣା ନୁହେଁ। କିଛିଦିନ ତଳେ ପ୍ରାୟ ୩ କେଜିର ପଥର ମୁଦୁଲି ଦ୍ବାର ନିକଟରେ ଗଳି ପଡ଼ିଥିଲା। ଚଳିତବର୍ଷ ଅଗଷ୍ଟ ୨ ତାରିଖରେ ଶ୍ରୀମନ୍ଦିର ରତ୍ନବେଦି ପଛପାର୍ଶ୍ବ କାନ୍ଥରୁ ବି ଚୁନ ଖସିଥିଲା। ଏହା ପୂର୍ବରୁ ୨୦୨୦ ମସିହାରେ ପଶ୍ଚିମଦ୍ବାର ପାର୍ଶ୍ବରେ ଥିବା ହିରଣ୍ୟକଶ୍ୟପଙ୍କ ପଥର ମୂର୍ତ୍ତି ଭାଙ୍ଗି ଗଳି ପଡ଼ିଥିଲା। ଏଥିରେ ଜନୈକ ସେବାୟତ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେହିଭଳି ୨୦୧୧ ମସିହାରେ ପଶ୍ଚିମ ଦ୍ବାର ପାର୍ଶ୍ବ ଗୁମୁଟରୁ କଳସ ଖସି ପଡ଼ିଥିଲା। ୧୯୯୨ ମସିହାରେ ଗର୍ଭଗୃହ ଛାତରୁ ପଥର ଖସିଥିଲା। ୧୯୯୦ ମସିହାରେ ଦକ୍ଷିଣଦ୍ବାର ପଟେ ଅଁଳା ବେଢ଼ାରୁ ୫ ଟନ୍ ଓଜନର ଏକ ପଥର ଖସି ପଡ଼ିଥିଲା। ଶ୍ରୀମନ୍ଦିରରୁ ବାରମ୍ବାର ପଥର ଖସୁଥିବାବେଳେ ଶ୍ରୀମନ୍ଦିରର ଅନେକ ସ୍ଥାନରୁ ଏବେ ପାଣି ଗଳୁଛି। ନାଟମଣ୍ଡପ ଗରୁଡ଼ ସ୍ତମ୍ଭ ନିକଟ ଛାତ ଓ ବେହେରଣ ଦ୍ବାର ନିକଟ ଛାତ ଏହାର ଜ୍ବଳନ୍ତ ଉଦାହରଣ। ବିଭିନ୍ନ ପାର୍ଶ୍ବ ଦେବାଦେବୀ ମନ୍ଦିର ବି ରକ୍ଷଣାବେକ୍ଷଣ ଅଭାବରୁ ଅସୁରକ୍ଷିତ ଅବସ୍ଥାରେ ରହିଛି। ଅନେକ ସ୍ଥାନରୁ ପଥର ଖସି ପଡ଼ିଥିବାବେଳେ ବର୍ଷା ହେଲେ ପାଣି ଗଳୁଛି।
/sambad/media/post_attachments/wp-content/uploads/2021/02/srimandir-1.jpg)
ଏହାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଶ୍ରୀମନ୍ଦିର ପ୍ରଶାସନ ତନାଘନା ଆରମ୍ଭକରିଥିଲା। ତତ୍କାଳୀନ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଏକ ବୈଠକ ଡାକିଥିଲେ। ଗଜପତି ମହାରାଜାଙ୍କ ସହ ପ୍ରତ୍ନତତ୍ତ୍ବ ବିଭାଗର ଦିଲ୍ଲୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ, ଭୁବନେଶ୍ବର କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ନେଇ ଏହି ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଅବହେଳାକୁ ନେଇ ଏଥିରେ ଉଦ୍ବେଗ ପ୍ରକାଶ ପାଇଥିଲା। ବିସ୍ତୃତ ଆଲୋଚନା ପରେ ଏହି ବୈଠକରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷିୟା ଖସଡ଼ା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା। ଯେଉଁଥିରେ ଶ୍ରୀମନ୍ଦିର ଆବଶ୍ୟକ ମରାମତି ପାଇଁ ଏକ ଖର୍ଚ୍ଚ ଅଟକଳ କରିବାକୁ କୁହାଯାଇଥିଲା। ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ବି ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି କହିଥିଲା। ଏହା ପରେ ବାରମ୍ବାର ପରିଚାଳନା କମିଟି ବୈଠକରେ ବି ଏ ସଂପର୍କରେ ଆଲୋଚନା ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ପ୍ରସ୍ତାବିତ ୫ ବର୍ଷିୟା ଯୋଜନାର ବିସ୍ତୃତ ଡିପିଆର ଦେବାକୁ କୁହାଗଲାଣି। ଏ ଭିତରେ ଆଲୋଚନାକୁ ବର୍ଷେ ବିତିବାକୁ ବସିଲାଣି, କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ଏହି ଡିପିଆର ଦେବ ଦେବ କହି ଭଣ୍ଡାଇ ଚାଲିଛି। ଏଥିରୁ ଶ୍ରୀମନ୍ଦିର ପ୍ରତି କେତେ ଅବହେଳା ପ୍ରଦର୍ଶନ କରାଯାଉଛି, ତାହା ଜଳଜଳ ଦିଶୁଛି।
ସେପଟେ ପରିଚାଳନା କମିଟି ବୈଠକକୁ ଛାଡ଼ିଦେଲେ, ଅନ୍ୟ ସମୟରେ ଶ୍ରୀମନ୍ଦିର ରକ୍ଷଣାକ୍ଷେଣ ନେଇ ପ୍ରସ୍ତାବିତ ଏହି ୫ ବର୍ଷିୟା ଯୋଜନା ସଂପର୍କରେ ଆଲୋଚନା ହେଉନି। ଏ ସଂପର୍କରେ ଶ୍ରୀମନ୍ଦିର ବୈଷୟିକ କୋର କମିଟି ସଦସ୍ୟ ଏସ ସି ପାଲ କହିଛନ୍ତି, ପ୍ରସ୍ତାବିତ ୫ ବର୍ଷିୟା ଯୋଜନା ଭିତରେ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ସହ ପାର୍ଶ୍ବ ଦେବାଦେବୀ ମରାମତି ରହିଛି। ପ୍ରତ୍ନତତ୍ତ୍ବ ବିଭାଗକୁ ଏ ସଂପର୍କରେ ବିଭିନ୍ନ ସମୟରେ ଆମେ ଆବଶ୍ୟକ ପରାମର୍ଶ ଦେଇ ଆସୁଛି। ତଥାପି ଖୁବଶୀଘ୍ର ଏହି ଯୋଜନା ସଂପର୍କିତ ରିପୋର୍ଟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଦେବ ବୋଲି ଆଶା ରଖିଛୁ। ଶ୍ରୀମନ୍ଦିର ପ୍ରଶାସନର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, ୫ ବର୍ଷିୟା ଯୋଜନା ସଂପର୍କରେ ଆମେ ବାରମ୍ବାର ପ୍ରତ୍ନତତ୍ତ୍ବ ବିଭାଗକୁ ଅବଗତ କରିସାରିଛୁ। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ଅଦ୍ୟାବଧି ଆମକୁ ଏହା ଦେଇନି ବୋଲି ସେ କହିଛନ୍ତି।