କଟକ : କରୋନା ସମୟରେ ମୂତ୍ରରୋଗର ଚିକିତ୍ସା ଓ ରୋଗୀଙ୍କ ସ୍ବାସ୍ଥ୍ୟର ଯତ୍ନ ସମ୍ପର୍କରେ ଏକ ଅନ୍ଲାଇନ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମୂତ୍ରାଶୟ ସଚେତନତା ସମ୍ପର୍କରେ ଆୟୋଜିତ ଏହି ଆଲୋଚନାରେ ବରିଷ୍ଠ ମୂତ୍ରରୋଗ ବିଶେଷଜ୍ଞମାନେ ଯୋଗଦେଇ କରୋନା ମହାମାରୀ ସମୟରେ ମୂତ୍ରରୋଗ ଚିକିତ୍ସାରେ ଅବହେଳା କରିବା ଅଧିକ ବିପଦଜନକ ହୋଇପାରେ ବୋଲି କହିଛନ୍ତି।
ଭବ୍ୟା ହେଲ୍ଥକେୟାର୍ ପକ୍ଷରୁ ଆୟୋଜିତ ଏହି ଅନ୍ଲାଇନ୍ କାର୍ଯ୍ୟକ୍ରମରେ ଅଜିତ୍ କୁମାର ଅଧ୍ୟକ୍ଷତା କରିଥିବାବେଳେ ଭୁବନେଶ୍ବରସ୍ଥିତ ହାଇଟେକ୍ ମେଡିକାଲ କଲେଜ ମୂତ୍ରରୋଗ ଶଲ୍ୟ ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର କାଳୀପ୍ରସାଦ ମିଶ୍ର ଯୋଗଦେଇ କହିଥିଲେ, କରୋନା ସମୟରେ ସଂକ୍ରମଣ ଭୟରୁ ଅନେକ ରୋଗୀ ମୂତ୍ରରୋଗ ସମସ୍ୟା ଥିଲେ ବି ଚିକିତ୍ସା ପାଇଁ ଆସିବାକୁ ଭୟ କରୁଛନ୍ତି। ଅସ୍ତ୍ରୋପଚାରର ଆବଶ୍ୟକତା ଥିଲେ ବି ଅନେକ ରୋଗୀ ଘରେ ରହି ଯାଉଛନ୍ତି। କିଡ୍ନି ଷ୍ଟୋନ୍ କଢ଼ାଯିବା ଭଳି ସମସ୍ୟାକୁ ବି ଜାଣିଶୁଣି ଗଡ଼ାଇ ଦେଉଛନ୍ତି। ହେଲେ, ଏହା ବଡ଼ ବିପଦକୁ ଟାଣି ଆଣିବାର ଆଶଙ୍କା ରହିଛି। ଡାକ୍ତର ଓ ଡାକ୍ତରଖାନାଗୁଡ଼ିକ କରୋନା ସଂକ୍ରମଣ ନ ହେବା ଭଳି ସୁରକ୍ଷା ନେଇ ଚିକିତ୍ସା କରୁଥିବାରୁ ରୋଗୀମାନେ ଘରେ ନ ରହି ଡାକ୍ତରଙ୍କ ନିକଟକୁ ଆସିବା ଦରକାର। ଅଧିକ ଡେରି କରିବା ଅଧିକ ବିପଦକୁ ଡାକିପାରେ ବୋଲି ସେ କହିଛନ୍ତି।
ସେହିପରି ବରିଷ୍ଠ ମୂତ୍ରରୋଗ ଚିକିତ୍ସକ ଡାକ୍ତର ସମୀର ସ୍ବାଇଁ ଏହି ଆଲୋଚନାରେ ଭାଗନେଇ ଚିକିତ୍ସାରେ ବଳମ୍ବ କରିବା ଅନ୍ୟ ଅନେକ ସମସ୍ୟାକୁ ନିମନ୍ତ୍ରଣ କରିପାରେ ବୋଲି କହିଛନ୍ତି। ମହିଳାମାନଙ୍କ କ୍ଷେତ୍ରରେ ଏହା ମୂତ୍ରାଶୟରେ ଇନ୍ଫେକସନ୍ ହେବାର ଯଥେଷ୍ଟ ଆଶଙ୍କା ରହିଛି। କରୋନା ଲକ୍ଡାଉନ୍ ସମୟରେ ଅନେକ ରୋଗୀ ସ୍ଥାନୀୟ ପରାମର୍ଶରେ ଔଷଧ ସେବନ କରୁଛନ୍ତି। ମୂତ୍ରରୋଗ ବିଶେଷଜ୍ଞଙ୍କ ପରାମର୍ଶ ବିନା ଔଷଧ ନେବା ଅନେକ ସମୟରେ କିଡ୍ନି ଉପରେ ପ୍ରଭାବ ପକାଇଥାଏ। ତେଣୁ, ଡାକ୍ତରଙ୍କ ପରାମର୍ଶ ନେଲେ ମୂତ୍ରରୋଗର ପ୍ରକୃତ ମାତ୍ରା ନିରୂପଣ କରାଯିବା ସହ ଆବଶ୍ୟକ ଚିକିତ୍ସା କରାଯାଇ ରୋଗୀଙ୍କୁ ସୁସ୍ଥ କରାଯାଇପାରିବ ବୋଲି ସେ କହିଛନ୍ତି। ଶେଷରେ ସ୍ବେଚ୍ଛାସେବୀ ପ୍ରଭାତ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/uti.jpg)