କୋଭିଡ୍‌ ଟେଷ୍ଟ୍‌ ଆଳରେ ଗୁରୁତର ରୋଗୀଙ୍କୁ ଅବହେଳା : ତିନି ଘଣ୍ଟା ହସ୍ପିଟାଲ ବାରଣ୍ଡାରେ ଗର୍ଭବତୀ ଛଟପଟ!

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟର ଚରମ ସୀମାରେ ପହଞ୍ଚି ଯାଇଥିବା ଅଭିଯୋଗ ହୋଇଛି। କୋଭିଡ୍‌ ଟେଷ୍ଟ୍‌ ହୋଇ ନପାରିବାରୁ ଆଜି ଜଣେ ଗର୍ଭବତୀ ଦୀର୍ଘ ୩ ଘଣ୍ଟା କାଳ ହସ୍ପିଟାଲ ବାରଣ୍ଡାରେ ଛଟପଟ ହେଉଥିବା ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନା ବାରଣ୍ଡାରେ ଜଣେ ମହିଳା ଯନ୍ତ୍ରଣାରେ ବିକଳ ହେଉଥିବା ଘଟଣା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ଘଟଣା ମୁଖ୍ୟ ଚିକିତ୍ସାଳୟରେ ହେଉଥିବା ଅବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ଚିକିତ୍ସା ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗର୍ଭବତୀଙ୍କ ସେବା ଯତ୍ନ କରୁଥିବା କୁହାଯାଇଛି। ମାତ୍ର, ଗୁରୁତର ଅବସ୍ଥାରେ ଆସିଥିବା ଜଣେ ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ପୂରେଇ ନଦେବା ଘଟଣାକୁ ସବୁ ମହଲରେ ଦୃଢ଼ ନିନ୍ଦା କରାଯାଇଛି।

ଆଜି ଭୋର ସାଢ଼େ ୫ଟାରେ ବନ୍ଧବାହାଲ ଅଞ୍ଚଳରୁ ପ୍ରୀତି କୁମ୍ଭାର ନାମକ ଜଣେ ଗର୍ଭବତୀଙ୍କୁ ତାଙ୍କ ପରିବାର ଲୋକେ ପ୍ରସବ କରାଇବାକୁ ଆଣିଥିଲେ। ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ଥିଲା। ମହିଳାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା। ମାତ୍ର ହସ୍ପିଟାଲ କର୍ମଚାରୀ ମହିଳାଙ୍କ କୋଭିଡ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ନଥିଲେ ପ୍ରବେଶ କରାଇ ଦିଆ ଯିବନାହିଁ ବୋଲି ଶୁଣାଇ ଚୁପ୍‌ ରହି ଯାଇଥିଲେ। ସେହି ସମୟରେ କୋଭିଡ ଟେଷ୍ଟ୍‌ ପାଇଁ କେହି କର୍ମଚାରୀ ମଧ୍ୟ ନଥିଲେ। କୋଭିଡ ଟେଷ୍ଟ୍‌ ପାଇଁ କର୍ମଚାରୀମାନେ ସାଢେ ୮ ଟାରେ ଆସନ୍ତି। ଯଦି ସାଢ଼େ ୮ ଟାରେ କୋଭିଡ ଟେଷ୍ଟ୍‌ ହୁଏ ତେବେ ଜଣେ ଗୁରୁତର ରୋଗୀ ଯାହାଙ୍କୁ ତୁରନ୍ତ ଚିକିତ୍ସା ଦରକାର, ସେ କୋଭିଡ ଟେଷ୍ଟ୍‌ ପାଇଁ ସେତିକି ସମୟ ଅପେକ୍ଷା କରିବା ସମ୍ଭବ କି ? ଅନ୍ୟପକ୍ଷରେ, ଏହାର ବିକଳ୍ପ ବ୍ୟବସ୍ଥା ନକରି ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ରୋଗୀଙ୍କୁ ହସ୍ପିଟାଲ ଭିତରେ ପୂରେଇ ନଦେବା କେଉଁ ମାନବିକତା ବୋଲି ପ୍ରଶ୍ନ ଉଠିଛି। କେବଳ ଏହି ଗର୍ଭବତୀ ନୁହନ୍ତି, ହସ୍ପିଟାଲକୁ ଆସିଥିବା ସବୁ ରୋଗୀଙ୍କ କୋଭିଡ ଟେଷ୍ଟ୍‌ ଆଳରେ ଅବହେଳା କରାଯାଉଥିବା ଏକ ସାଧାରଣ ଘଟଣା ହେଲାଣି। ରାଜ୍ୟ ସରକାର ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଅନ୍ତତଃପକ୍ଷେ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନଙ୍କ ସ୍ବତନ୍ତ୍ର ବ୍ୟବସ୍ଥା କରି ସେମାନେ କିପରି ତୁରନ୍ତ ଚିକିତ୍ସା ପାଇପାରିବେ, ତାହାର ସୁବ୍ୟବସ୍ଥା କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର