ବ୍ରହ୍ମପୁର: ଘର କଟକରେ, ଚାକିରି ବ୍ରହ୍ମପୁର ଏମ୍କେସିଜି ବଡ଼ଡାକ୍ତରଖାନାରେ। ଇଚ୍ଛା ହେଲେ ଆସୁଥିଲେ, ନହେଲେ ନାହିଁ। ବାରମ୍ବାର ତାଗିଦ୍ ସତ୍ତ୍ବେ ନସୁଧୁରିବାରୁ ଏବେ ଡାକ୍ତରଖାନା କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିନା କାରଣ ଓ ଛୁଟି ଦରଖାସ୍ତରେ ଅନୁପସ୍ଥିତ ଯୋଗୁଁ ମେଡିକାଲ କର୍ତ୍ତୃପକ୍ଷ ୩ଜଣ ଡାକ୍ତରଙ୍କ ଦରମା ବନ୍ଦ କରିଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଆଗକୁ ବି ବିନା ଛୁଟି ଦରଖାସ୍ତ ଓ ଅନୁମତିରେ ଯେଉଁ ଡାକ୍ତର ଡ୍ୟୁଟି ବେଳେ ଅନୁପସ୍ଥିତ ରହୁଛନ୍ତି, ସେମାନଙ୍କ ମଧ୍ୟ ଦରମା ବନ୍ଦ କରାଯିବ ବୋଲି ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି।
ଏମ୍କେସିଜି ମେଡିକାଲରେ କାମ କରୁଥିବା କିଛି ନିର୍ଦ୍ଦିଷ୍ଟ ଡାକ୍ତର ଲଗାତାର ଭାବେ ସେମାନଙ୍କ ଦାୟିତ୍ବରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ଆସିଥିଲା। ଏପରିକି ସେମାନେ ଏନ୍ଏମ୍ସିର ଗାଇଡ୍ଲାଇନ୍ ଉଲ୍ଲଂଘନ କରି ବାୟୋମେଟ୍ରିକ୍ ବଦଳରେ ଖାତାରେ ଉପସ୍ଥାନ ପକାଉଥିଲେ। ବାରମ୍ବାର କହିବା ସତ୍ତ୍ବେ ସେହି ଡାକ୍ତରମାନେ ସୁଧୁରୁ ନଥିଲେ। ଏଣୁ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ସେଭଳି ଡାକ୍ତରଙ୍କୁ ଫାଇନାଲ୍ ନୋଟିସ୍ ଦେଇଥିଲେ। ଆଉ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ବରେ ଅବହେଳା କରିଥିବା ଡାକ୍ତରଙ୍କ ଦରମା ବନ୍ଦ ହେବା ପରେ ଅନ୍ୟ ଡାକ୍ତରମାନେ ଏଭଳି ଭୁଲ୍ କରିବେ ନାହିଁ ବୋଲି ଆଶା କରାଯାଉଛି। ୩ଜଣ ଡାକ୍ତର ଲଗାତାର ବିନା ଅନୁମତିରେ ଛୁଟିରେ ରହିବାରୁ ପର୍ଯ୍ୟାୟ କ୍ରମେ ସେମାନଙ୍କ ଦରମା ବନ୍ଦ କରାଯାଇଛି।ଏପରିକି କିଛି ଡାକ୍ତର ମାସାଧିକ କାଳ ପର୍ଯ୍ୟନ୍ତ ମଧ୍ୟ ଛୁଟିରେ ରହିଛନ୍ତି। ସେଭଳି ଡାକ୍ତରଙ୍କ ଦରମା ବନ୍ଦ କରାଯାଇଥିବା ଅଧ୍ୟକ୍ଷ ପ୍ରଫେସର ମିଶ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/doctor-app-online-inner-img1.jpg)