ଘଟଗାଁ: କେନ୍ଦୁଝର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳ ଘଟଗାଁ ବ୍ଲକ୍ର ସୀତାବିଞ୍ଜକୁ ଅବହେଳା କରାଯାଉଛି। ପାଞ୍ଚବର୍ଷ ତଳୁ ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଥିବା ବେଳେ ଏଠାରେ ପାନୀୟଜଳ ଓ ବିଦ୍ୟୁତ୍ ପରି ସର୍ବନିମ୍ନ ମୌଳିକ ସୁବିଧା ନାହିଁ। ଐତିହ୍ୟ ଓ ପର୍ଯ୍ୟଟନସ୍ଥଳକୁ ଏଭଳି ଅବହେଳାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହି ସ୍ଥାନର ସ୍ବତନ୍ତ୍ରତା ହେଲା ଏଠାରେ ମା’ ସୀତା ଠାକୁରାଣୀଙ୍କ ସମେତ ଲବକୁଶ ପୂଜା ପାଉଛନ୍ତି।
କିଂବଦନ୍ତି ଅନୁସାରେ ଏଠାରେ ମା’ ସୀତା ଲବକୁଶଙ୍କୁ ଜନ୍ମ ଦେଇଥିଲେ। ପାହାଡ଼ ଉପରେ ଲବକୁଶଙ୍କ ଅନ୍ତୁଡ଼ିଶାଳ, ଭଣ୍ଡାରଘର, ରାବଣଛାୟା ଓ ପ୍ରାଚୀନ ଶିଳାଲିପି ରହିଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଲବକୁଶଙ୍କ ଅନ୍ତୁଡ଼ିଶାଳ, ରାବଣଛାୟା, ପ୍ରାଚୀନ ଶିଳାଲିପିର ସୁରକ୍ଷା ପାଇଁ ଚାରିପଟେ ପାଚେରି ନିର୍ମାଣ କରାଯିବା ସହ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ନିକଟରେ ସୀତା ଠାକୁରାଣୀଙ୍କ ବିଜେସ୍ଥଳ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ଥାନକୁ ଗତ ୨୦୧୮-୧୯ରେ ପର୍ଯ୍ୟଟନସ୍ଥଳ ମାନ୍ୟତା ପ୍ରଦାନ କରାଯାଇଛି। ତେବେ ମା’ଙ୍କ ପୂଜା ପାଇଁ ଏଠାରେ ପାଣି ଟୋପାଏ ମିଳୁନଥିବା ଅଭିଯୋଗ ହୋଇଛି। ପୂଜକ ନିକଟରେ ଥିବା ସୀତାନଦୀରୁ ପାଣି ଆଣି ପୂଜାର୍ଚ୍ଚନା କରୁଛନ୍ତି। ପୂର୍ବରୁ ଏଠାରେ ଏକ ନଳକୂପ ଥିଲା। ବହୁଦିନରୁ ତାହା ଅଚଳ ହୋଇଯାଇଥିଲେ ମଧ୍ୟ ମରାମତି କରାଯାଉନି। ପ୍ରତିଦିନ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଛନ୍ତି। ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଏହି ସ୍ଥାନକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇପାରିନି। ପାର୍ବଣ ସମୟରେ ନିକଟସ୍ଥ ଡାଙ୍ଗୁଆପଶି ଗ୍ରାମରୁ ଅସ୍ଥାୟୀ ଭାବେ ବିଦ୍ୟୁତ୍ ସଂଯୋଗ ଅଣାଯାଉଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଏକ ସୌରଚାଳିତ ଲାଇଟ୍ ଲଗାଯାଇଥିଲା। ଲାଇଟ୍ ଓ ତାରକୁ କେହି ଦୁର୍ବୃତ୍ତ ଚୋରି କରି ନେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ଥାନକୁ ଉନ୍ନତୀକରଣ କରାଯାଉଛି। କଲ୍ୟାଣମଣ୍ଡପ, ଓଭରହେଡ୍ ପାଣିଟାଙ୍କି, ସ୍ବାଗତ ତୋରଣ, ପାର୍କ ନିର୍ମାଣ କରାଯିବା ସହ ରାସ୍ତାରେ ପେଭର୍ସ ବ୍ଲକ୍ ବିଛାଯାଉଛି। ହେଲେ କେତେ ଟଙ୍କାର କାମ ହେଉଛି, ଠିକାଦାର କିଏ, ସେ ସଂପର୍କରେ କୌଣସି ସୂଚନାଫଳକ ନଥିବାରୁ ଲୋକେ କିଛି ଜାଣିପାରୁନାହାନ୍ତି। ପେଭର୍ସ ବ୍ଲକ୍ କାମ ନିମ୍ନମାନର ହୋଇଥିବାରୁ ତାହା ମଧ୍ୟ ଭାଙ୍ଗିରୁଜି ଗଲାଣି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ମହେଶ୍ବର ପାଶାଙ୍କୁ ପଚାରିବାରୁ ସେ କହିଥିଲେ, ୧ କୋଟି ୮୦ ଲକ୍ଷ ଟଙ୍କାର କାମ ହେଉଛି। ପ୍ରକଳ୍ପ ଆରମ୍ଭ ଓ ଶେଷ ମୁଣ୍ଡରେ ଲୁହା ଆଙ୍ଗେଲ୍ ଦେଇ ସୂଚନାଫଳକ ଲଗାଯାଇଥିଲା। ତାହାକୁ କେହି କାଟି ନେଇଛି। ସେହିପରି ପେଭର୍ସ ବ୍ଲକ୍ ବିଛାଇବା କାମ କିଛି ବାକି ରହିଛି। ଖୁବଶୀଘ୍ର ତାହାକୁ ସମ୍ପୂର୍ଣ୍ଣ କରାଯିବ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକଙ୍କ କହିବା କଥା, ପାନୀୟଜଳ ଓ ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଆମେ ଅବଗତ ଅଛୁ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିପାଇଁ ସାଢ଼େ ତିନିକୋଟି ଟଙ୍କା ମଞ୍ଜୁର ହୋଇଛି। ଖୁବଶୀଘ୍ର କାମ ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/22/bWmuB51GnYTyeW90kprF.jpg)