ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ୨୦୨୪-୨୫ ବଜେଟ୍କୁ ଦେଶର ଶ୍ରମିକ, କୃଷକ, ଯୁବକ, ମହିଳା, ଦଳିତ, ଆଦିବାସୀ ବର୍ଗ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଦେଶର ପୁଞ୍ଜିପତି ଓ ବଡ଼ ବ୍ୟବସାୟୀ ସ୍ବାଗତ କରିଛନ୍ତି। ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ପ୍ରଦାନ କରାଗଲା ନାହିଁ। ମାତ୍ର ବିହାର ଓ ଆନ୍ଧ୍ରକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ପ୍ରଦାନ କରାଯାଇଛି। ଭାରତ ଭଳି ଏକ ସଂଘୀୟ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ସବୁ ରାଜ୍ୟକୁ ସମାନ ଅନୁଦାନ ପ୍ରଦାନ ନ କରି ଉପେକ୍ଷା କରାଯିବା ଉଦ୍ବେଗର ବିଷୟ ବୋଲି କହିଛନ୍ତି ସିପିଆଇର ସାଧାରଣ ସଂପାଦକ ଡି.ରାଜା।
ଆଜି ସିପିଆଇ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଜା କହିଲେ, କୃଷକମାନଙ୍କୁ ଏମ୍ଏସ୍ପି ଦିଆଯାଇ ନ ଯାଇ ପ୍ରତାରିତ କରାଯାଇଛି। ମନରେଗା ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ବୃଦ୍ଧି ନ ହେବା, ଦଳିତ, ଆଦିବାସୀ ଓ ଅନ୍ୟ ଅନୁନ୍ନତ ବର୍ଗକୁ କେନ୍ଦ୍ର ବଜେଟ୍ରେ ଉପେକ୍ଷିତ କରାଯାଇଥିବାରୁ ସେମାନେ ରାସ୍ତାକୁ ଓହ୍ଲାଇବା ଏକପ୍ରକାର ନିଶ୍ଚିତ ହୋଇଛି। ୧୪୬ଜଣ ସାଂସଦଙ୍କୁ ସଂସଦରୁ ବହିଷ୍କାର କରି ମୋଦୀ ସରକାର ୩ଟି ନୂତନ ଫୌଜଦାରୀ ଆଇନକୁ ବିନା ଆଲୋଚନାରେ ପାରିତ କରାଇ ନେଇଛନ୍ତି। ତେଣୁ ଏହାକୁ ସ୍ଥଗିତ ରଖି ପୁନର୍ବିଚାର ପାଇଁ ସଂସଦୀୟ କମିଟିକୁ ପଠାଇବାକୁ ସେ ଦାବି କରିଥିଲେ। ସିପିଆଇର ଅନ୍ୟତମ ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା କହିଲେ, ଓଡ଼ିଶାରେ ସାଂପ୍ରଦାୟିକ ବିଜେପିର ଉତ୍ଥାନ ପାଇଁ ବିଜେଡି ଦାୟୀ। ଓଡ଼ିଆ ଅସ୍ମିତା କଥା କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିବା ବେଳେ ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ସରକାର ନିରବ ରହିଛନ୍ତି। ଗତକାଲି ସିପିଆଇର ରାଜ୍ୟ ପରିଷଦ ଅଧିବେଶନରେ ଆଶିଷ କାନୁନ୍ଗୋ ନୂତନ ରାଜ୍ୟ ସଂପାଦକ ଓ କ୍ଷୀରୋଦ ସିଂହଦେଓ ଓ ପ୍ରକାଶ ପାତ୍ର ଦୁଇ ସହ ସଂପାଦକ ଭାବେ ନିର୍ବାଚିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଡି.ରାଜା ଜଣାଇଥିଲେ।