ବଡ଼ ଡାକ୍ତରଖାନାରେ ପୁଣି ରୋଗୀଙ୍କୁ ଅବହେଳା: ପ୍ରସୂତି ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ବର: ବାଲେଶ୍ବର ବଡ଼ ଡାକ୍ତରଖାନାରେ ପୁଣି ରୋଗୀ ଅବହେଳାକୁ ନେଇ ଉତ୍ତେଜନା ଦେଖାଯାଇଛି। ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ଯୋଗୁ ଜଣେ ପ୍ରସୂତି ଶିଶୁପୁତ୍ରକୁ ଜନ୍ମ ଦେଇ ପ୍ରାଣ ହରାଇଛନ୍ତି। ଏନେଇ ପରିବାର ଲୋକେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ଡାକ୍ତରଖାନା ପରିସରରେ ପାଟିତୁଣ୍ଡ କରିଥିଲେ। ମୃତ ପ୍ରସୂତି ଜଣକ ହେଲେ ବସ୍ତା ବ୍ଲକ ଦରଡ଼ା ଅଞ୍ଚଳର ଅନୁରାଧା ମଣ୍ଡଳ(୩୦)।

ସୂଚନା ମୁତାବକ, ଅନୁରାଧା ଆଜି ରେମୁଣା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ପ୍ରସବଜନିତ ଜଟିଳତା ଦେଖାଦେବାରୁ ଡାକ୍ତର ଅନୁରାଧାଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଅନୁରାଧା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ହେଲେ କେହି ଡାକ୍ତର ତାଙ୍କ ପାଖ ମାଡ଼ିନଥିଲେ। ବାରମ୍ବାର ପରିବାର ଲୋକେ ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ଡାକ୍ତର ଡାକିବାକୁ କହିଥିଲେ ସୁଦ୍ଧା କେହି ଗୁରୁତ୍ବ ଦେଇନଥିଲେ। ଏଭଳି ବହୁ ସମୟ ଅନୁରାଧା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବି କେହି ଡାକ୍ତର ଦେଖିବାକୁ ଆସିନଥିଲେ। ଅପରାହ୍ନ ୪ଟାରେ ଅନୁରାଧାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ ଅବହେଳା ପାଇଁ ଭଉଣୀ ଚାଲିଗଲା ବୋଲି ଭାଇ ନବ କୁମାର ଜେନା ଅଭିଯୋଗ କରିଛନ୍ତି। ତେବେ ଏନେଇ ଫାଣ୍ଡିରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର