ଅବସରପ୍ରାପ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା

ଆର୍ଥିକ ମୂଲ୍ୟାୟନରେ ଅସଙ୍ଗତି ପାଇଁ କ୍ଷତି ସହୁଛନ୍ତି ବୟସାଧିକ ଅବସରପ୍ରାପ୍ତ କର୍ମଚାରୀ

ଭୁବନେଶ୍ବର : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ହୋଇଛି। ୨୦୦୬ ମସିହା ପୂର୍ବରୁ ଅବସର ନେଇଥିବା ଲକ୍ଷାଧିକ ସରକାରୀ କର୍ମଚାରୀ ରାଜ୍ୟ ସରକାରଙ୍କ ଆର୍ଥିକ ମୂଲ୍ୟାୟନରେ ଅସଙ୍ଗତି ପାଇଁ କ୍ଷତି ସହୁଥିବା କହିଛନ୍ତି। ଏହାକୁ ନେଇ ପେନସନଭୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

୨୦୦୬ ମସିହା ପୂର୍ବରୁ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କ ବୟସ ଏବେ ୭୫ବର୍ଷରୁ ଅଧିକ। ରାଜ୍ୟ ସରକାର ଷଷ୍ଠ ଓ ୭ମ ବେତନ କମିସନ ନାଁରେ ୨୦୦୬ ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କୁ ମୂଳ ଦରମାର ଫିଟମେଣ୍ଟ ଟେବୁଲରେ ପରିବର୍ଦ୍ଧିତ ମୂଲ୍ୟର ୫୦ ପ୍ରତିଶତ ଅବସରକାଳୀନ ଭତ୍ତା ପ୍ରଦାନ କରାଯିବାର ନିର୍ଦେଶ ରହିଛି। ମାତ୍ର ଏଥିରେ ବ୍ୟତିକ୍ରମ କରାଯାଇଛି। ବହୁ ସ୍ଥାନରେ ରାଜ୍ୟ ସରକାର ଗ୍ରେଡ୍‌ ପେ’କୁ ପରିବର୍ତନ କରିଛନ୍ତି, ଯାହାଫଳରେ ସ୍କେଲଗୁଡ଼ିକ ବଦଳି ଯାଉଛି। ତେଣୁ ଅବସରପ୍ରାପ୍ତ କର୍ମଚାରୀ ଯେଉଁ ନିର୍ଦ୍ଦିଷ୍ଟ ସ୍କେଲ ଆଧାରରେ ପେନସନ ପାଇବା କଥା ତାହା ସମ୍ଭବ ହେଉନାହିଁ। ୨୦୦୬ ମସିହା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ଦରମାର ପରବର୍ତୀ ବର୍ଦ୍ଧିତ ଦରମାରୁ ପେନସନଭୋଗୀଙ୍କ ୫୦ ପ୍ରତିଶତ ପ୍ରାପ୍ୟ ନ ଦିଆଯାଇ ୪୦ ପ୍ରତିଶତ ବୃଦ୍ଧି କରାଯାଇଛି। ସେହିପରି ଅବସରକାଳୀନ ବୟସ ସୀମା ୫୮ରୁ ୬୦ବର୍ଷକୁ ବୃଦ୍ଧି ହୋଇଥିବାରୁ ପେନସନରେ ଏହାକୁ ୬ ପ୍ରତିଶତ ବୃଦ୍ଧି କରିବା ଓ ୬୦-୮୦ବର୍ଷ ପେନସନକାରୀଙ୍କୁ ୫-୧୫ ପ୍ରତିଶତ ବର୍ଦ୍ଧିତ ହାରରେ ପେନସନ ପ୍ରଦାନ କରାଯିବା ଉପରେ ବିଚାର କରାଯିବା ଉଚିତ୍ ବୋଲି ସେମାନେ କହିଛନ୍ତି।

ଗ୍ରେଡ୍‌ ପେ’ ଜନିତ ଅସଙ୍ଗତି ହେତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୬ ମସିହାରୁ ଏହାକୁ ଉଚ୍ଛେଦ କରିଛନ୍ତି। କେନ୍ଦ୍ର ସରକାର ୨୦୧୭ ମସିହାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ବେତନ କମିସନରେ ଥିବା ସମସ୍ତ ଅସଙ୍ଗତିକୁ ଦୂର କରି ୨୦୦୬ ମସିହା ପୂର୍ବରୁ ଓ ପରେ ଅବସର ନେଇଥିବା ସମସ୍ତ କର୍ମଚାରୀଙ୍କୁ ଉଚିତ୍ ପ୍ରାପ୍ୟ ପ୍ରଦାନ କରିଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର ୨୦୧୭ ମସିହା ପେ ମାଟ୍ରିକ୍ସ ଜରିଆରେ ୨୦୦୬ ସୁଦ୍ଧା କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବର୍ଦ୍ଧିତ ହାରରେ ବେତନ ଓ ଭତ୍ତା ପ୍ରଦାନ କରିବାରେ ଘୋର ଅବହେଳା କରି ଆସୁଥିବା କହିଛନ୍ତି ସଚିବାଳୟ ସଂଘର ପୂର୍ବତନ ସାଧାରଣ ସଂପାଦକ ରବି ନାରାୟଣ ମିଶ୍ର।

ଶ୍ରୀ ମିଶ୍ର କହିଛନ୍ତି ଯେ ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଯେଉଁ ଅସଙ୍ଗତି ରହିଛି ତାହାକୁ ସଂଶୋଧନ କରିବା ଲାଗି ବହୁବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସରକାରଙ୍କ ଅବିଚାର ପାଇଁ ଲକ୍ଷାଧିକ ବୟସ୍କ ପେନସନଭୋଗୀ ସେମାନଙ୍କର ଅବସରକାଳୀନ ଭତ୍ତା ବାବଦକୁ ମାସିକ ୩ହଜାର ଟଙ୍କା କମ୍ ପାଉଛନ୍ତି। ଆଗକୁ ଏହି ବ୍ୟବଧାନ ବଢ଼ି ବଢ଼ି ଚାଲିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର