ଦେବଗଡ଼ : ବାମଣ୍ଡା ରାଜ୍ୟ ତଥା ବର୍ତ୍ତମାନର ଦେବଗଡ଼ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁବେଳେ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ। ବିଭିନ୍ନ ସମୟରେ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ି ଲାଗି ରହିଥାଏ। କିନ୍ତୁ ଜିଲ୍ଲାର ଏହିସବୁ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଯେତିକି ବିକାଶ ହେବା କଥା ସେତିକି ହୋଇପାରି ନାହିଁ। ଅବହେଳିତ ଅବସ୍ଥାରେ ପଡ଼ି ରହିଛି ବାମଣ୍ଡା ତଥା ବର୍ତ୍ତମାନର ଦେବଗଡ଼ ଜିଲ୍ଲାର ପୁରାତନ ଐତିହ୍ୟ। ରକ୍ଷଣା ବେକ୍ଷଣ ଅଭାବରୁ ମାଟିରେ ମିଶି ଯିବାକୁ ବସିଛି ବାମଣ୍ଡା ରାଜାଙ୍କ ଶୈଳ ନିବାସ ‘କୈଳାସ’।
ଦେବଗଡ଼ ସହରଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ କୈଳାସ ଗ୍ରାମ। ଏହି ଗ୍ରାମ ନିକଟରେ ରହିଛି ରାଜା ରାଜୁଡ଼ା ଅମଳରୁ ନିର୍ମିତ ଜିଲ୍ଲାର ଏକ ପ୍ରାଚୀନ ସୌଧ। ଏହା କୈଳାସ ନିବାସ ଭାବେ ପରିଚିତ। କିନ୍ତୁ ବର୍ତ୍ତମାନ ତାହା ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ତତ୍କାଳୀନ ବାମଣ୍ଡା ରାଜ୍ୟର ରାଜା ଦିବ୍ୟଶଙ୍କର ସୁଢଳ ଦେବ ୧୯୧୬ ମସିହାଠାରୁ ୧୯୧୯ ମଧ୍ୟରେ ଏକ ଶୈଳ ନିବାସ ନିର୍ମାଣ କରିଥିଲେ। ରାଜା ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ଗଲେ ଏହି ନିବାସରେ ବିଶ୍ରାମ ନେଉଥିଲେ ବୋଲି ଐତିହାସିକମାନେ ମତ ଦିଅନ୍ତି। ଏହା ସହିତ ରାଜାଙ୍କ ଅଧୀନରେ ଥିବା ଚାଷ ଜମିରୁ ଉତ୍ପନ୍ନ ଶସ୍ୟ ମଧ୍ୟ ଉକ୍ତ ନିବାସରେ ମହଜୁଦ ରଖାଯାଉଥିଲା। ସେଥିରେ ଶସ୍ୟ ରଖାଯାଉଥିବା ସ୍ଥାନକୁ ଖମାର କୁହାଯାଉଥିଲା। ସେହି ନିବାସର କବାଟ ଝରକାରେ ରଙ୍ଗିନ କାଚରେ ପଶୁପକ୍ଷୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟ ଚିତ୍ରିତ ହୋଇଥିଲା। ପାର୍ଶ୍ବରେ ଏକ ବିରାଟ ବନ୍ଧ ରହିଥିଲା। ତାହା ଏବେ ବି ସେହି ସ୍ମୃତି ବଖାଣୁଛି। ଉକ୍ତ ନିବାସ ପାର୍ଶ୍ବରେ ଶିବ ମନ୍ଦିର ମଧ୍ୟ ରହିଛି।
ତେବେ ରାଜତନ୍ତ୍ରର ବିଲୋପ ପରେ ପ୍ରାଚୀନ କାରୁକାର୍ଯ୍ୟରେ ସୁସଜ୍ଜିତ ଏହି ନିବାସ ଧୀରେ ଧୀରେ ଅବକ୍ଷୟ ହେବାକୁ ଲାଗିଲା। ଏବେ ଏହାର ଭଗ୍ନାବଶେଷ ଏଠାରେ ଦେଖିବାକୁ ମିଳିଛି। ମାତ୍ର ପରିତାପର ବିଷୟ ଯେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରାଚୀନ ଐତିହ୍ୟ ସ୍ଥଳୀଟି ନିଜ ଗାରିମା ହରାଇବାକୁ ବସିଛି। ମରାମତି ଅଭାବରୁ କାରୁକାର୍ଯ୍ୟ ଭରା ଏହି କୋଠାଟି ମାଟିରେ ମିଶିଯିବାକୁ ବସିଲାଣି। ଯାହାକି ଏଠାକୁ ଆସୁଥିବା ବହୁ ସଂଖ୍ୟାରେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି। ଜନ ମାନସରୁ ଲୋପ ପାଇବାକୁ ବସିଥିବା ଜିଲ୍ଲାର ଏହି ପ୍ରାଚୀନ କୀର୍ତ୍ତିରାଜିର ପୁନରୁଦ୍ଧାର ଦିଗରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।