ଶିଶୁ ଅଧିକାର ଅପହୃତ: ରାସ୍ତା କଡ଼ରେ ଶହଶହ ଅବହେଳିତ ଶିଶୁ

ବ୍ରହ୍ମବରଦା : ଶୈଶବ ଅବହେଳିତ। ଦାରିଦ୍ର୍ୟର ତାଡ଼ନାରେ ଶିଶୁ ଅଧିକାର ଅପହୃତ। କେଉଁଠି କ୍ଷେତରେ ଲୋଟୁଛି ତ ପୁଣି କେଉଁଠି ଚାଳିଆରେ। ପାଠପଢ଼ା ବା ଶିକ୍ଷା ଅଧିକାର ଆଇନଠାରୁ ବହୁ ଦୂରରେ ଶହଶହ ଶିଶୁ ରହିଯାଇଥିବା ଦେଖିବାକୁ ମିଳୁଛି। ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ଝୁମ୍ପୁଡ଼ି ଚାଳଛପର ଘରେ ଏଭଳି ଶତାଧିକ ଶିଶୁଙ୍କ ଜୀବନ ବିତୁଛି। ସେମାନଙ୍କ ପାଇଁ ନା ଉତ୍ତମ ଘର ବ୍ୟବସ୍ଥା ରହିଛି, ନା ରହିଛି ଶିକ୍ଷା ଓ ସ୍ବାସ୍ଥ୍ୟର ସୁରକ୍ଷା। ଏଥିମଧ୍ୟରୁ ବହୁ ଶିଶୁ ଶ୍ରମିକ ଭାବରେ ଆଖୁ କ୍ଷେତରେ ନିୟୋଜିତ ହୋଇଥିବାର ଦେଖିବାକୁ ମିଳିଛି।

ଗତ କିଛିବର୍ଷ ହେବ ଏହି ଅଞ୍ଚଳରେ ବ୍ୟାପକ ଭାବରେ ଆଖୁଚାଷ କରାଯାଉଛି। ଏକରଏକର ଜମିରେ ଆଖିପାଉନଥିବା ବିସ୍ତୀର୍ଣ୍ଣ ଇଲାକାରେ ଆଖୁଚାଷ ହେଉଛି। ଏଥିପାଇଁ ବହୁ ଶ୍ରମଶକ୍ତିର ଆବଶ୍ୟକତା ରହିଛି। ବିଶେଷତଃ ଜମି ପ୍ରସ୍ତୁତ ହେବା ପରେ ଆଖୁ ଚାରା ରୋପଣ କରିବାଠାରୁ ଗଛ ବଢ଼ିବା ପର୍ଯ୍ୟନ୍ତ ବହୁ ‌ଶ୍ରମିକ ଏଥିରେ ନିୟୋଜିତ ହେଉଛନ୍ତି। ଏଥିପାଇଁ ଚାଷୀମାନେ ବିଭିନ୍ନ ଅଞ୍ଚଳରୁ ଶ୍ରମିକଙ୍କୁ ଆଣି କାମରେ ଲଗାଉଛନ୍ତି। କାମ ଅନ୍ବେଷଣରେ ମଧ୍ୟ ପରିବାର ସହ ବହୁ ଲୋକ ଆସି ପହଞ୍ଚୁଛନ୍ତି। ସେମାନେ ପୂରା ପରିବାର ଛୁଆପିଲା ସହ ଆସିଯାଉଥିବାରୁ ଝୁମ୍ପୁଡ଼ି ଅସ୍ଥାୟୀ ଚାଳମାରି ଆଶ୍ରୟ ନେଉଛନ୍ତି। ସକା‌ଳ ହେଲେ କ୍ଷେତରେ ଯାଇ ଖଟୁଛନ୍ତି। ସାମାନ୍ୟ ବଡ଼ ପିଲାମାନେ ମଧ୍ୟ କ୍ଷେତରେ ବାପାମା’ଙ୍କ ସହ କାମ କରୁଛନ୍ତି। ଛୋଟଛୋଟ ପିଲାମାନେ ଦିନସାରା କ୍ଷେତରୁ କୁଡ଼ିଆଯାଏ ଘୂରିବୁଲୁଛନ୍ତି। ସେମା‌ନଙ୍କ ମୂଲ୍ୟବାନ ଶୈଶବ କଟିଯାଉଛି କିନ୍ତୁ ପାଠପଢ଼ା ଆରମ୍ଭ ହୋଇପାରୁନାହିଁ।

ଯଦିଓ ଶିକ୍ଷା ଅଧିକାର ଆଇନକୁ ମୌଳିକ ଅଧିକାର ପରିସରଭୁକ୍ତ କରାଯାଇଛି ତଥାପି ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଏଥିରେ ସାମିଲ ହୋଇପାରୁ ନଥିବା ଦେଖିବାକୁ ମିଳିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଅଧିକାର ନିୟମ ଓ ଯୋଜନା ଫେଲ୍‌ ମାରିବା ସହ ଶିଶୁଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି। ଏଭଳି ରାସ୍ତା କଡ଼ରେ ଆଶ୍ରିତ ଶିଶୁଙ୍କ ସର୍ବେକ୍ଷଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ମନ୍ତ୍ରଣାଳୟ ନିର୍ଦେଶ ଦେଇଥିଲେ ମଧ୍ୟ ବାସ୍ତବରେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ଏକ ପ୍ରଶ୍ନବାଚୀ। ଯଦି ଠିକ ଭାବେ ଏସବୁ ଆଇନ କାର୍ଯ୍ୟକାରୀ ହେଉଥାନ୍ତା ତେବେ ଏଭଳି ଅବହେଳିତ ଅସ୍ବାସ୍ଥ୍ୟକର ଅବସ୍ଥାରେ ଶିଶୁମାନେ ପଡ଼ିରହନ୍ତେ ନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର