ଶେରଗଡ଼ : ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାର ଅନେକ ସଂସ୍କାର ଆଣୁଛନ୍ତି। ହେଲେ ଦୁଃଖର କଥା ହେଉଛି, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଶିକ୍ଷା ବ୍ୟବସ୍ଥା ଯେମିତି ଅବହେଳିତ ହୋଇ ପଡ଼ି ରହିଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି, ଶେରଗଡ଼ ବ୍ଲକ୍ର ଏକମାତ୍ର ଡିଗ୍ରୀ କଲେଜ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟ। ବାରମ୍ବାର ଦାବି ସତ୍ତ୍ବେ ଏହି ଶିକ୍ଷାନୁଷ୍ଠାନରେ ଆଜିଯାଏ ବାଣିଜ୍ୟ ଓ ବିଜ୍ଞାନ ସ୍ନାତକ ପାଠ୍ୟକ୍ରମ ଖୋଲିପାରୁନି। ଫଳରେ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଶେରଗଡ଼ କଲେଜରେ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ରହିଛି। ସେହିପରି ଯୁକ୍ତ ତିନିରେ କେବଳ କଳା ପାଠ୍ୟକ୍ରମ ସହ ସମସ୍ତ ବିଷୟରେ ଅନର୍ସ ପଢ଼ିବାର ସୁବିଧା ରହିଛି। କିନ୍ତୁ ବାଣିଜ୍ୟ ଓ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ଖୋଲିପାରିନି। ଫଳରେ ଏହି ଅଞ୍ଚଳରୁ ଯୁକ୍ତ ଦୁଇ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ଅନିଚ୍ଛା ସତ୍ତ୍ବେ ଯୁକ୍ତ ତିନି କଳାରେ ନାମ ଲେଖାଉଛନ୍ତି। କିଛି ଛାତ୍ରଛାତ୍ରୀ ଅନ୍ୟ ସହରର ଘରୋଇ କଲେଜରେ ପଢ଼ି ଖର୍ଚ୍ଚାନ୍ତ ହେଉଛନ୍ତି। କେବଳ ଏତିକି ନୁହେଁ, କିଛି ପିଲା ଅଧାରୁ ପାଠପଢ଼ା ବନ୍ଦ କରି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବାର ଅନେକ ନଜିର୍ ରହିଛି। ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟକୁ ସ୍ବୟଂଶାସିତର ମାନ୍ୟତା ଦେଇ ଏହାର ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଶେରଗଡ଼ କଲେଜ କାହିଁକି ଏଥିରୁ ବଞ୍ଚିତ ହୋଇ ରହିଛି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ପିଲାମାନେ ବସିବା ପାଇଁ ଆବଶ୍ୟକ ଶ୍ରେଣୀଗୃହର ଅଭାବ ରହିଛି। ଏଥିପାଇଁ କେତେବେଳେ ପିଲାମାନେ ବାହାରେ ବୁଲୁଛନ୍ତି ତ, ଆଉ କେତେବେଳେ ଗୋଟିଏ ଶ୍ରେଣୀଗୃହରେ ଭିନ୍ନ ଭିନ୍ନ ଶ୍ରେଣୀର ପିଲାମାନେ ବସୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ କଳା ବିଭାଗରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଆବଶ୍ୟକତାଠୁ କମ୍ ଶ୍ରେଣୀଗୃହ ଥିବାରୁ ସମସ୍ୟା ଉପୁଜୁଛି।
ସେହିପରି ପିତଳରେ ଥିବା ବ୍ଲକ୍ର ଦ୍ଵିତୀୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅବସ୍ଥା ନ କହିବା ଭଲ। ଏଠାରେ କେବଳ ଯୁକ୍ତଦୁଇ କଳା ପାଠ୍ୟକ୍ରମ ଥିବାରୁ ବିଜ୍ଞାନ ପଢ଼ିବାକୁ ବାହାରକୁ ଯାଇ ଛାତ୍ରଛାତ୍ରୀ ଖର୍ଚ୍ଚାନ୍ତ ହେଉଛନ୍ତି। ଯେଉଁମାନେ ଆର୍ଥିକ ଅନଗ୍ରସର ସେମାନେ କଳାରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି। ଏଦିଗରେ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଅବହେଳିତ ଶିକ୍ଷା ବ୍ୟବସ୍ଥା
ଶେରଗଡ଼ ଡିଗ୍ରୀ କଲେଜରେ ନାହିଁ ବିଜ୍ଞାନ, ବାଣିଜ୍ୟ ସ୍ନାତକ
/sambad/media/post_attachments/wp-content/uploads/2022/11/49-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)