ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ୍‌ରେ କ୍ଷୁଦ୍ର ଜଳସେଚନ ବିଭାଗ ବହୁ ଅବହେଳିତ ହୋଇ ପଡ଼ିଛି। ବିଭାଗର କନିଷ୍ଠ ଯନ୍ତ୍ରୀ(ଜେଇ)ଙ୍କ କାର୍ଯ୍ୟାଳୟ ୫୦ କି.ମି. ଦୂରକୁ ଉଠାଇ ନିଆଯାଇଥିବାବେଳେ ବିଭାଗରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ତେଣୁ ଠିକ୍‌ ଭାବେ ଜଳ‌ସେଚନ ହୋଇପାରୁନାହିଁ। ଏଥିଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ୍‌ର ଅଧିକାଂଶ ଜମି ଜଳସେଚନ ଉପରେ ନିର୍ଭର କରିଥାଏ। ୨୦ ବର୍ଷ ପୂର୍ବରୁ ଛେଣ୍ଡିପଦାରେ ବିଭାଗର କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଥିଲା। ସେତେବେଳେ ୮ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ(ପଏଣ୍ଟ) ଥିବାବେଳେ ସେଥିରେ ୪ ଜଣ ଖଲାସୀ କାର୍ଯ୍ୟ କରୁଥିଲେ। ଗତ ୮ ବର୍ଷ ହେଲା ପ୍ରକଳ୍ପ ସଂଖ୍ୟା ବୃଦ୍ଧି ପାଇ ୨୦ରେ ପହଞ୍ଚିଛି।

Advertisment

ବିଭାଗର କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବୈତରଣୀ(ପଶ୍ଚିମ) କୋଲ ବ୍ଲକ୍‌ ସୁରକ୍ଷା ଅଞ୍ଚଳରେ ଥିବାରୁ ଏହି ଅଞ୍ଚଳରେ ଏମ୍‌ସିଏଲ୍‌ ପକ୍ଷରୁ କୋଇଲା ଖନନ କରାଯିବ। ତେଣୁ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁଗୁଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଛେଣ୍ଡିପଦାରୁ ୫୦ କି.ମି. ଦୂରରେ ସେଠାରେ କନିଷ୍ଠ ଯନ୍ତ୍ରୀ ରହି ଛେଣ୍ଡିପଦା ବ୍ଲକ୍‌ର ପ୍ରକଳ୍ପ ଗୁଡିକୁ ବୁଝାସୁଝା କରୁଛନ୍ତି। ପର୍ଯ୍ୟାୟକ୍ରମେ ବିଭାଗର ଅନେକ କର୍ମଚାରୀ ଅବସର ନେଇଥିବାବେଳେ କେତେକଙ୍କର ଅପସାରଣ କରାଯାଇଛି। ତେଣୁ ବ୍ଲକ୍‌ରେ ଏବେ ଜଣେ ମାତ୍ର ଖଲାସୀ ଅଛନ୍ତି। ତାଙ୍କ ଦାୟିତ୍ବରେ ପାତ୍ରପଡ଼ା, ବାଲିବନ୍ଧ, କାଂଶବାଂଶ, ଜମେଇଝରଣ, ରାଇଝରଣ, ପରଙ୍ଗ, କୁକୁରପେଟା, କୁମ୍ଭୀରା, ଛେଣ୍ଡିପଦା ଜଙ୍ଗଲ, କୁଶକିଳା, ଝିଣ୍ଟିପାଳ, କେରେଜେଙ୍ଗ, ତେବୁଡ଼, ଶିମିଳିସାହି, ସାନସନ୍ତରାବନ୍ଧ, ଉଗୀ, କତଡ଼ା ଆଦି ୨୦ଟି ପ୍ରକଳ୍ପ ରହିଛି। ଜଣେ ଖଲାସୀଙ୍କ ପକ୍ଷେ ଏତେ ପ୍ରକଳ୍ପର ଜଳସେଚନ ବ୍ୟବସ୍ଥା ବୁଝିବା ସମ୍ଭବ ହୋଇପାରୁନାହିଁ। ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇପାରୁନଥିବାରୁ କେନାଲ ଗୁଡିକର ଆବଶ୍ୟକ ରକ୍ଷଣାବେକ୍ଷଣ ହୋଇପାରୁନାହିଁ।

ତେଣୁ ଜମିମାନଙ୍କୁ ଜଳର ସୁଷମ ବଣ୍ଟନ ହୋଇପାରୁନାହିଁ। ଏଥିଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗକୁ ଆବଶ୍ୟକ ଅନୁଦାନ ମିଳୁନଥିବାବେଳେ କର୍ମଚାରୀ ଅଭାବ ଯୋଗୁଁ ପ୍ରକଳ୍ପ ଅଧୀନରେ ଥିବା ଜମିମାନଙ୍କରେ ଜଳସେଚନ କମୁଛି। ସରକାର ନିଜ ସ୍ବାର୍ଥରେ ବିଭିନ୍ନ ଘରୋଇ କମ୍ପାନିକୁ ଜମି ଯୋଗାଇ ଦେଉଛନ୍ତି। ଅଥଚ ବ୍ଲକ୍‌ର ଚାଷୀମାନଙ୍କ ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଛେଣ୍ଡିପଦା ବ୍ଲକ୍‌ରେ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ଜମି ଯୋଗାଇ ଦେବା ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହୋଇଛି।