କୋଣାର୍କ: କୋଣାର୍କର ଅନତି ଦୂରରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ଏକ ଐତିହାସିକ ବୌଦ୍ଧପୀଠ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ସୂଚନା ମୁତାବକ, କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ମାତ୍ର ୬ କିଲୋମିଟର ଦୂରରେ କୁରୁମ ଗ୍ରାମ ରହିଛି। ୭୦ ଦଶକରେ କୁରୁମ ଗ୍ରାମ ବିଦ୍ୟାଳୟର ଶିକ୍ଷକ ବ୍ରଜବନ୍ଧୁ ଦାଶ ବିଦ୍ୟାଳୟ ପରିସରରେ ଗଛ ଲଗାଇବାକୁ ଗାତ ଖୋଳିବା ସବୟରେ ଏହି ସ୍ଥାନରୁ ଖପରା, ପୁରୁଣା ଇଟା ଭଳି ସମାଗ୍ରୀ ପାଇଥିଲେ। କ୍ରମେ ଗ୍ରାମର ଲୋକମାନେ ମଧ୍ୟ ଘର ତିଆରି ପାଇଁ ନିଅଁ ଖୋଳିବା ସମୟରେ ବିଭିନ୍ନ ପ୍ରାଚୀନ ସାମଗ୍ରୀ ପାଇଥିଲେ। ଏ ସମ୍ପର୍କରେ ଐତିହାସିକ ବାମଦେବ ମହାପାତ୍ରଙ୍କୁ ଗ୍ରାମବାସୀମାନେ ଅବଗତ କରାଇବା ପରେ ଶ୍ରୀ ମହାପାତ୍ର ଓ ଶ୍ରୀ ଦାଶଙ୍କ ପ୍ରଚେଷ୍ଟାରେ ଏହି ସ୍ଥାନ ଖନନ କରାଯାଇଥିଲା।

Advertisment

୧୯୭୧ରେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଖୋଳାଯିବାରେ ଏଠାରୁ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିର ଭଗ୍ନାବଶେଷ ମିଳିଥିଲା। ନିକଟରେ ଥିବା ଧରୁମୁ ପୋଖରୀର ତୁଠ ପଥରକୁ ଓଲଟାଯିବା ପରେ ତାହା ୫ ଫୁଟ ଉଚ୍ଚ ଓ ୩ ଫୁଟ୍ ଓସାରର ଏକ ବୁଦ୍ଧ ମୂର୍ତ୍ତି ବୋଲି ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଏଠାରୁ ବିଷ୍ଣୁଙ୍କ ବାମନ ଅବତାର ମୂର୍ତ୍ତି, ଏକ ଯମାନ୍ତକ ମୂର୍ତ୍ତି(ହେରକ) ଓ ଏକ ଅବଲୋକେତେଶ୍ବରଙ୍କ ମୂର୍ତ୍ତି ଉଦ୍ଧାର ହୋଇଥିଲା। ଯାହାକି ଏବେ ଏହି ସ୍ଥାନରେ ପୂଜା ପାଉଛନ୍ତି। ଗ୍ରାମର ନବଘନ ପଣ୍ଡା (ସ୍ବାଧୀନତା ସଂଗ୍ରାମୀ) ଓ ଓଗେରଙ୍କ ମାର୍ଫତରେ ଥିବା ୨୯ ଡେସିମିଲ ସ୍ଥାନରୁ ବୌଦ୍ଧ କୀର୍ତ୍ତିରାଜିର ଭଗ୍ନାବଶେଷ ଉଦ୍ଧାର କରାଯାଇଥିଲା। ଯାହାକି ଏବେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ରହିଛି। ୨୯ ଡେସିମିଲ ସ୍ଥାନର କ୍ଷତିପୂରଣ ପାଇବା ପାଇଁ ବାରମ୍ବାର ସରକାରୀ ଅଫିସ୍‌କୁ ଦୌଡ଼ିଦୌଡ଼ି ନବଘନ ନିରାଶ ହୋଇଥିଲେ। ୨୦୧୬ରେ ସେ ପ୍ରାଣ ହରାଇଛନ୍ତି। କୌଣସି କ୍ଷତିପୂରଣ ନମିଳିବାରୁ ବର୍ତ୍ତମାନ ଏହି ସ୍ଥାନ ଉପରେ ସ୍ବର୍ଗତ ପଣ୍ଡାଙ୍କ ଉତ୍ତରାଧିକାରୀମାନେ ଖଜଣା ଦେଇ ପାଉତି କାଟୁଛନ୍ତି।

publive-image

ଖନନ ହୋଇଥିବା ସ୍ଥାନରେ ଦଶବଖରାରୁ ଅଧିକ ଘର, ମଣ୍ଡପ ଭଳି ଐତିହାସିକ କୀର୍ତ୍ତିରାଜି ଥିବା ବେଳେ ଏବେ ଏଠାରେ ଗୋବର ଘସି ଶୁଖୁଥିବା ଦେଖିବାକୁ ମିଳିଛି। କେହିକେହି ପାଳଗଦା କରିଥିବା ବେଳେ ଆଉ କେହି ଧାନ ଶୁଖାଉଥିବା ଦେଖାଯାଉଛି। ପର୍ଯ୍ୟଟନ ବିଭାଗ ପୀଠକୁ ପର୍ଯ୍ୟଟନ କ୍ୟାଲେଣ୍ଡର୍‌ରେ ରଖିଥିବା ବେଳେ ସ୍ଥାନର ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହି ସ୍ଥାନ କଥା ଭୁଲିଯାଇଥିବା ଭଳି ମନେ ହେଉଛି। ବିଭାଗର କୌଣସି ଅଧିକାରୀ ଏଠାକୁ ପରିଦର୍ଶନରେ ଆସିଥିବା ନେଇ ସୂଚନା ମଧ୍ୟ ନାହିଁ। ଏବେ କୁରୁମ ଓ ଏହାର ଆଖପାଖ ଗ୍ରାମର ଗ୍ରାମବାସୀଙ୍କୁ ନେଇ ଗଠିତ ଉନ୍ନୟନ କମିଟି ଏହି ପୀଠର ବିକାଶ ଲାଗି ଅଣ୍ଟା ଭିଡ଼ିଛନ୍ତି। ମାତ୍ର ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଉଦାସୀନତା ପାଇଁ ଏହି ସ୍ଥାନ ଏବେ ଅସ୍ତିତ୍ବ ହରାଇବାକୁ ବସିଛି। ସରକାର ଦୃଷ୍ଟି ଦେଇ ଏହି ଐତିହାସିକ ସ୍ଥାନର ବିକାଶ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଅନୁରୂପ ଭାବେ ପର୍ଯ୍ୟଟନ ବିଭାଗ ଏହି ପ୍ରାଚୀନ ବୌଦ୍ଧପୀଠର ବିକାଶ ପାଇଁ ପ୍ରଚାରପ୍ରସାର ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।