ଦଶରଥପୁର: ଦଶରଥପୁର ବ୍ଲକ୍ ଅଧୀନ ଦତ୍ତପୁର ପଞ୍ଚାୟତର ଦତ୍ତପୁର ଠାରେ ବୈତରଣୀ ନଦୀରେ ଏକ ସେତୁ ନିର୍ମାଣ ପାଇଁ ୨୦୧୯ ମସିହା ଫେବ୍ରୁଆରି ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଏଥିସେତୁ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୪୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ହେଲେ ଶିଳାନ୍ୟାସକୁ ୫ ବର୍ଷ ପୂରିବାକୁ ଯାଉଥିବା ବେଳେ ଏହି ସେତୁ ଭୂଇଁରୁ ଉଠୁନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ପ୍ରତିବର୍ଷ ବର୍ଷା ଦିନରେ ଦତ୍ତପୁର ଠାରେ ଥିବା ବୈତରଣୀ ନଦୀ ସ୍ଥାନୀୟ ଲୋକଙ୍କ ପାଇଁ ନାହିଁ ନଥିବା ଅସୁବିଧା ସୃଷ୍ଟି କରିଥାଏ।
ଖରାଦିନରେ ଏଠାରେ ଅସ୍ଥାୟୀ ପୋଲ ନିର୍ମାଣ କରି ଲୋକମାନେ ନଦୀ ପାର ହେଉଥିଲେ ବି ବର୍ଷାଦିନରେ ଏଠାରେ ନଦୀ ପାର ହେବା ସମ୍ଭବ ହୋଇନଥାଏ। ଦତ୍ତପୁର ଗ୍ରାମବାସୀ ନଦୀରେ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରି ସେଥିରେ ଆରପଟକୁ ଯାତାୟାତ କରିଥାନ୍ତି। ହେଲେ ନଦୀରେ ବନ୍ୟା ଆସିଲେ ଏହି ବାଉଁଶ ପୋଲ ଖୋଲା ହୋଇଯାଇଥାଏ। ଭରାନଦୀ ପାର ହେବାପାଇଁ ଲୋକମାନେ ଡଙ୍ଗାକୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହୋଇଥାନ୍ତି। ପ୍ରକାଶ ଯେ, ଗତବର୍ଷ ବନ୍ୟା ଆସି ବାଉଁଶ ପୋଲଟିକୁ ଭସାଇ ନେଇଥିଲା। ଏହି ପୋଲଟି ଭଦ୍ରକ ଏବଂ ଯାଜପୁର ମଧ୍ୟରେ ସଂଯୋଗର ମାଧ୍ୟମ ହୋଇଥିବାରୁ ଲୋକମାନେ ଏହା ଉପରେ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରନ୍ତି। ଶିଳାନ୍ୟାସକୁ ୫ ବର୍ଷ ପୂରିବାକୁ ଯାଇଥିବା ବେଳେ ଏବେ କାମ ଆରମ୍ଭ ହେଉଛି ବୋଲି ଜଣାପଡ଼ିଛି। ତୁରନ୍ତ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଲୋକେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।