ବ୍ରହ୍ମପୁର/ଭଞ୍ଜନଗର : ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ଧାନମଣ୍ଡି ଖୋଲିଛି। ହାତଗଣତି କିଛି ମଣ୍ଡି ଛାଡ଼ି ଦେଲେ ଅନ୍ୟ ସମସ୍ତ ଧାନକ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ରହି ସରକାରୀ ହିସାବରେ ଦର୍ଶାଯାଉଛି। ୧୫ଦିନରୁ ଅଧିକ ସମୟ ହେଲା ଧାନମଣ୍ଡି ଖୋଲି ସାରିଲାଣି। ଅଦ୍ୟାବଧି ୨୨ଟି ବ୍ଲକ୍ରୁ ଚଳିତ ଖରିଫ୍ ଋତୁରେ ଗଞ୍ଜାମ ଜିଲ୍ଲାରୁ ମୋଟ ୩୬ଲକ୍ଷ ୭୪ହଜାର କ୍ବିଣ୍ଟାଲ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ତନ୍ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୧୪ଲକ୍ଷ ୨୮ହଜାର କ୍ବିଣ୍ଟାଲ୍ର ଧାନ ସଂଗ୍ରହ କରିବା ପାଇଁ ମଣ୍ଡିଗୁଡ଼ିକୁ କୋଟା ରିଲିଜ୍ କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୬ହଜାର କ୍ବିଣ୍ଟାଲ୍ ଧାନ ସଂଗ୍ରହ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ବେଗୁନିଆପଡ଼ା ବ୍ଲକ୍ରେ ଦୁଇ ସପ୍ତାହ ମଧ୍ୟରେ ଜଣେ ହେଲେ ଚାଷୀ ଧାନ ବିକ୍ରି କରିପାରି ନଥିଲେ। ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଏବେ ଧାନକ୍ରୟ ଆରମ୍ଭ ହୋଇଛି। ବେଗୁନିଆପଡ଼ା ବ୍ଲକ୍ରୁ ମୋଟ ୭୬୩ କ୍ବିଣ୍ଟାଲ୍ ଧାନକ୍ରୟ କରା ଯାଇଥିବା ସୂଚନା ମିଳିଛି। ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାର ମୋଟ ୭ହଜାର ୫୪୮ଜଣ ଚାଷୀ ଧାନ ବିକ୍ରି କରିଛନ୍ତି, ଯାହାକି ସମୁଦାୟ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟାର ୬ ପ୍ରତିଶତ। ସେହିପରି ଭଞ୍ଜନଗର ଉପଖଣ୍ଡରେ ୪୨ ହଜାର ୧ ଜଣ ଚାଷୀ ଧାନ ବିକିବାକୁ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୧ ହଜାର ୯୨୭ ଜଣ ଚାଷୀ ଧାନ ବିକ୍ରି କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ହଜାର ଚାଷୀ ଧାନ ବିକ୍ରି କରିଛନ୍ତି। ଯାହାକି ମୋଟ ପଞ୍ଜୀକରଣର ମାତ୍ର ୧୦ ପ୍ରତିଶତ।
୧୫ ଦିନରେ ୬ ପ୍ରତିଶତ ପଞ୍ଜୀକୃତ ଚାଷୀ ଧାନ ବିକିଛନ୍ତି
ଟାର୍ଗେଟ୍ ୩୬.୭୪ ଲକ୍ଷ କ୍ବିଣ୍ଟାଲ୍ରୁ ସଂଗ୍ରହ ହୋଇଛି ୪ ଲକ୍ଷ କ୍ବିଣ୍ଟାଲ୍
ଭଞ୍ଜନଗର ଉପଖଣ୍ଡରେ ୧୦ % ଚାଷୀ ବିକିଛନ୍ତି
ବେଗୁନିଆପଡ଼ାରେ ସର୍ବନିମ୍ନ ୭ଶହ କ୍ବିଣ୍ଟାଲ୍ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ ଧାନକ୍ରୟ ପ୍ରକ୍ରିୟାରେ ସାମିଲ ହେବା ପାଇଁ ମୋଟ ୧ଲକ୍ଷ ୩୨ହଜାର ୬୫୧ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ଯାଞ୍ଚ ଓ ଡ୍ରୋନ୍ ସର୍ଭେ ପରେ ପ୍ରାୟ ୮ହଜାର ଚାଷୀ ଏଥିରୁ ବାଦ୍ ପଡ଼ିଛନ୍ତି। ପ୍ରାୟ ୧ଲକ୍ଷ ୨୪ହଜାର ଚାଷୀ ଏଥର ସରକାରଙ୍କୁ ମଣ୍ଡି ଜରିଆରେ ଧାନ ବିକ୍ରି କରିବେ। ଗତ ୧୬ତାରିଖରୁ ଗଞ୍ଜାମ ଜିଲ୍ଲାରେ ଧାନକ୍ରୟ ଆରମ୍ଭ ହୋଇଛି। କେତେକ ମଣ୍ଡିରେ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ ଧାନ ଗଚ୍ଛିତ କରି ରଖାଯାଇପାରୁ ନାହିଁ। ଗଞ୍ଜାମ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ମୋଟ ୪ଲକ୍ଷ ୬ହଜାର ୪୮୧କ୍ବିଣ୍ଟାଲ୍ ଧାନ ସଂଗ୍ରହ କରାଯାଇଛି। ବେଗୁନିଆପଡ଼ା ବ୍ଲକ୍ରୁ ସର୍ବନିମ୍ନ ଧାନ କ୍ରୟ କରାଯାଇଛି। ସେହିପରି ଜିଲ୍ଲା ସଦର ମହକୁମା ଛତ୍ରପୁରରେ ମଧ୍ୟ ଧାନକ୍ରୟ ମନ୍ଥର ଗତିରେ ଚାଲିଛି। ଛତ୍ରପୁର ବ୍ଲକ୍ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ହଜାର କ୍ବିଣ୍ଟାଲ୍ ଧାନ ସଂଗ୍ରହ ହୋଇଛି। ସେହିପରି ଗଞ୍ଜାମ ବ୍ଲକ୍ରୁ ୨ହଜାର କ୍ବିଣ୍ଟାଲ୍ ଧାନକ୍ରୟ ହୋଇଥିବା ବେଳେ ରଂଗେଇଲୁଣ୍ଡା, ପୁରୁଷୋତ୍ତମପୁର, ଖଲ୍ଲିକୋଟ, କବିସୂର୍ଯ୍ୟନଗରରେ ମଧ୍ୟ ଧାନ ସଂଗ୍ରହ ଧିମା ଚାଲିଛି। ଚଳିତବର୍ଷ ଭଲ ଅମଳ ସତ୍ତ୍ବେ ଧାନକିଣା ବିଳମ୍ବ ହେଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଛି। ଭଞ୍ଜନଗର ଉପଖଣ୍ଡକୁ ବିଚାରରେ ନେଲେ, ୮ ଟି ବ୍ଲକ୍ ପାଇଁ ଧାନକ୍ରୟ ପାଇଁ ୪ ଲକ୍ଷ ୯୯ ହଜାର ୭୯୦ କ୍ବିଣ୍ଟାଲ୍ ଟାର୍ଗେଟ ଆସିଥିବା ବେଳେ ଏଯାବତ୍ ୨ଲକ୍ଷ ୧୩୩୦ କ୍ବିଣ୍ଟାଲ୍ ଧାନ କିଣାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅପପୁଷ୍ଟି ରୋକିବା ଦିଗରେ ରାଜ୍ୟ ସରକାର ଚଳିତବର୍ଷ ଗୁରୁତ୍ବ ଦେଇ ରାଇସ୍ ମିଲ୍ରେ ଚାଉଳ ମିଶ୍ରଣ ଯନ୍ତ୍ର ବା ରାଇସ୍ ବ୍ଲେଡ଼ିଂ ମେସିନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଚାଉଳ ବାହାରିବା ପରେ ଉକ୍ତ ମେସିନ୍ ଦ୍ବାରା ଚାଉଳରେ ଆଇରନ୍, ଭିଟାମିନ୍ ବି-୧୨, ଫଲିକ ଏସିଡ୍ ଓ ଜିଙ୍କ୍ ଆଦି ମିଶ୍ରଣ କରାଯାଇ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଡିସେମ୍ବର ସୁଦ୍ଧା ସମସ୍ତ ମିଲ୍ରେ ଏହି ଯନ୍ତ୍ର ଲଗାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ହେଁ, ଏହି ପ୍ରକ୍ରିୟା ଅଦ୍ୟାବଧି ସଂପୂର୍ଣ୍ଣ ହୋଇନି। ଯେଉଁ ମିଲର୍ ମେସିନ୍ ଲଗାଇ ସାରିଛନ୍ତି ସେମାନେ ଦେଇଥିବା ସିକ୍ୟୁରିଟି ଡିପୋଜିଟର ୬ ଗୁଣ ଅର୍ଥାତ୍ ୧: ୬ରେ ଟାର୍ଗେଟ୍ ଦିଆଯାଉଛି। ମେସିନ୍ ଲଗାଇ ନଥିଲେ ୧: ୩ରେ ଟାର୍ଗେଟ୍ ଦିଆଯାଉଥିବା ଉପଖଣ୍ଡ ଯୋଗାଣ ଅଧିକାରୀ ଅସିତ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ୧୨ ତାରିଖ ସୁଦ୍ଧା ପ୍ରାୟ ସମସ୍ତ ମିଲ୍ରେ ଏହି ମେସିନ୍ ଲାଗିଯିବ। ଏହାପରେ ଅଧିକ ଟାର୍ଗେଟ୍ ମିଳିବ ବୋଲି ସେ କହିଛନ୍ତି।