ଅନିଲ କୁମାର ପଣ୍ଡା
ଯାଜପୁରସଦର: ଦେଶ ପାଇଁ ବଳିଦାନ ଦେଇଥିବା ଜଣେ ଯବାନଙ୍କ ପରିବାର ୧୫ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ। ଏ ଦପ୍ତରରୁ ସେ ଦପ୍ତର ଧାଇଁଧାଇଁ ନିରାଶ ହେଲେଣି। କାହାରିକୁ ନିଯୁକ୍ତି ମିଳିଲା ନାହିଁ। ତାଙ୍କ ସ୍ମୃତିସ୍ତମ୍ଭ ମଧ୍ୟ ଅବହେଳିତ। ଦେଶର ଆଭ୍ୟନ୍ତରୀରଣ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଏହି ଯବାନ ହେଉଛନ୍ତି ଯାଜପୁର ଜିଲ୍ଲା ବୃନ୍ଦାବନପୁରର ସହିଦ ହୃଷୀକେଶ ମଲିକ। ସେ ସିଆର୍ପିଏଫ୍ର ୬୨ ବାଟାଲିୟନ୍ରେ କାର୍ଯ୍ୟ କରୁଥିଲେ। ସେଦିନ ଥିଲା ୨୦୧୦ ଏପ୍ରିଲ ୬ ତାରିଖ। ଛତିଶଗଡ଼ ଦାନ୍ତେୱାଡ଼ାରେ ଯବାନଙ୍କ ଉପରେ ଛାତିଥରା ଆକ୍ରମଣ କରିଥିଲେ ନକ୍ସଲ। ଏଥିରେ ହୃଷୀକେଶଙ୍କ ସମେତ ୭୬ ଜଣ ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ। ଇତିମଧ୍ୟରେ ଅନେକ ବର୍ଷ ବିତିଯାଇଛି। ପରିବାର ଓ ପତ୍ନୀ ଅହଲ୍ୟାଙ୍କ ଆଖିରୁ କିନ୍ତୁ ଲୁହ ଶୁଖୁନାହିଁ। ହୃଷୀକେଶଙ୍କ ମୁଣ୍ଡରେ ଗୋଟିଏ ଗୁଳି ବାଜିଥିଲା। ସେହି ଅବସ୍ଥାରେ ସେ ଫୋନ୍ କରିଥିଲେ। ପତ୍ନୀଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ। ଠିକ୍ ଏହି ସମୟରେ ଆଉ ଦୁଇଟି ଗୁଳି ମୁଣ୍ଡ ଓ ଛାତିରେ ଲାଗିଥିଲା।
ଫୋନ୍ରେ ଶୁଭିଥିଲା କେବଳ ଗୁଳିଗୋଳାର ଶବ୍ଦ ଓ ଆର୍ତ୍ତ ଚିତ୍କାର। ଏବେ ବି କାନରେ ପ୍ରତିଧ୍ବନିତ ହେଉଛି ଶେଷ ଫୋନ୍ କଲ୍ର ଶବ୍ଦ। ସନ୍ଧ୍ୟାରେ ଟିଭିରେ ପ୍ରସାରିତ ଭୟଙ୍କର ଦୃଶ୍ୟ ଆଖି ଆଗରେ ଭାସିଉଠୁଛି। ପତ୍ନୀ ଅହଲ୍ୟା ଓ ପୁଅଙ୍କୁ ଛାଡ଼ି ଚାଲିଗଲେ ହୃଷୀକେଶ। ଏବେ ଅବହେଳିତ ଅବସ୍ଥାରେ ରହିଛି ତାଙ୍କ ସ୍ମୃତିପୀଠ। ଅଳିଆ ଆବର୍ଜନାମୟ ପରିବେଶ। ଅବଶ୍ୟ ନିଜସ୍ୱ ଅର୍ଥରେ ପରିବାର ଲୋକେ ଏହି ସ୍ମୃତିସ୍ତମ୍ଭ ନିର୍ମାଣ କରିଥିଲେ। ସରକାରଙ୍କ ପକ୍ଷରୁ ତାଙ୍କ ନାମରେ କୌଣସି ଅନୁଷ୍ଠାନର ନାମକରଣ କରିବାକୁ ଗ୍ରାମବାସୀ ଦାବି କରି ଆସୁଛନ୍ତି। ଏଯାଏଁ ତାହା ପୂରଣ ହୋଇନାହିଁ। ସେଦିନର ନାବାଳକ ପୁଅ ପରମେଶ୍ବରଙ୍କୁ ସରକାର କୌଣସି ନିଯୁକ୍ତି ଦେଇନାହାନ୍ତି। ସେନାରେ ଯୋଗ ଦେବା ନିମନ୍ତେ ୨୦୨୪ ସେପ୍ଟେମ୍ବରରେ ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ମଧ୍ୟ ଉଚ୍ଚତା ମାପରେ ସେ କଟିଯାଇଥିଲେ। ସହିଦଙ୍କ ପରିବାରକୁ ଜମି ଦେବାର ନିୟମ ଥିଲେ ବି ତାଙ୍କୁ ମିଳିନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ କେବେ କୌଣସି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇନାହିଁ। ସହିଦଙ୍କୁ ଉପଯୁକ୍ତ ସମ୍ମାନ ଦାବି କରିଆସୁଛନ୍ତି ପରିବାର ଲୋକ ଓ ଗ୍ରାମବାସୀ। ଏ ନେଇ ସ୍ଥାନୀୟ ଲୋକ ବିଞ୍ଝାରପୁର ବିଧାୟିକାଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା କହିଛନ୍ତି। ଇତିମଧ୍ୟରେ ରାଜ୍ୟରେ ସରକାର ମଧ୍ୟ ବଦଳିଯାଇଛି। ମାତ୍ର ସହିଦ ପରିବାରକୁ ନ୍ୟାୟ ମିଳିପାରିନାହିଁ। ସାଧାରଣତନ୍ତ୍ର ଦିବସ ଅବସରରେ ଏ ଦିଗରେ ପ୍ରଶାସନ କିଛି ପଦକ୍ଷେପ ନେବ ବୋଲି ଗାଁ ଲୋକେ ଆଶାବାଦୀ ଅଛନ୍ତି।