ପୁରୀ : ଓଡ଼ିଶାର ଗୌରବମୟ ଅତୀତର ମଙ୍ଗ ଧରିଥିବା ମହାପୁରୁଷମାନଙ୍କ ସ୍ମୃତି ଏବେ ଅଲୋଡ଼ା। ଶିକ୍ଷା ଜଗତରରେ ସଂସ୍କାର ଆଣିଥିବା ପ୍ରଣମ୍ୟ ପଞ୍ଚସଖାଙ୍କୁ ଗୋଟିଏ ସ୍ଥାନରେ ସମାଧି ଦିଆଯାଇଛି। ଅଥଚ ପବିତ୍ର ସମାଧିସ୍ଥଳ ଧୀରେଧୀରେ ଗୁରୁତ୍ବ ହରାଉଛି। ମହାପୁରୁଷଙ୍କ ଅବଦାନ ପ୍ରତି କୃତଜ୍ଞତା ବ୍ୟକ୍ତ କରିବାକୁ ଦିନେ ଯେଉଁ ପୀଠରେ ଭିଡ଼ ଜମୁଥିଲା, ଏବେ ସେ ସ୍ଥାନରେ ପାଦ ରଖିଲେ ଗନ୍ଧରେ ନାକ ଫାଟି ପଡ଼ୁଛି। ବଗିଚା ଓ ଫୁଲଗଛରେ ଶୋଭା ପାଉଥିବା ସମାଧିସ୍ଥଳ‌ରେ ଏବେ ଅନାବନା ଗଛର ଜଙ୍ଗଲ। ପଞ୍ଚସଖାଙ୍କ ସମାଧିପୀଠକୁ ଯିବା ପୂର୍ବରୁ ସ୍ଥାପିତ ହୋଇଥିବା ରାଧାନାଥ ରଥଙ୍କ ସମାଧିପୀଠ ରାସ୍ତା ମୁକ୍ତ ପାଇଖାନା ପାଲଟିଛି।

Advertisment

publive-image

୧୯୦୯ ମସିହାରେ ପଞ୍ଚସଖା ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମରେ ସତ୍ୟବାଦୀରେ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ ହୋଇଥିଲା। ଶିକ୍ଷାରେ ସଂସ୍କାର ଆଣିବା ଲାଗି ପଞ୍ଚସଖାଙ୍କ ଅବଦାନ ଏ ଜାତି ପାଇଁ ଆଶୀର୍ବାଦ ପାଲଟିଥିଲା। ମାତ୍ର କାଳକ୍ରମେ ମହାପୁରୁଷମାନଙ୍କ ଦେହାନ୍ତ ପରେ ବକୁଳବନ ଜଙ୍ଗଲ ପାଲଟିଗଲା। ପଞ୍ଚସଖାଙ୍କ ଅବଦାନକୁ ସ୍ମରଣୀୟ ରଖିବା ପାଇଁ ବକୁଳବନ ନିକଟରେ ସମାଧି ସ୍ଥାପନ ହୋଇଥିଲା। ଏହାକୁ ଲୋକାର୍ପଣ କରାଯିବା ସହ ପରିବେଶର ସାଜସଜା ଅତ୍ୟନ୍ତ ମନୋରମ କରାଯାଇଥିଲା। ସମାଧି ମନ୍ଦିର ସମେତ ଏହାକୁ ମାର୍ବଲ ଓ ଗ୍ରାନାଇଟ୍‌ରେ ନିର୍ମାଣ କରାଯାଇଥିଲା। ପଥଚଲା ରାସ୍ତା ସହ ଆଲୋକୀକରଣ, ଫୁଲ ବଗିଚା, ପୁଷ୍କରିଣୀ ଓ ଆକର୍ଷଣୀୟ ତୋରଣ କରାଯାଇଥିଲା। ତେଣୁ ଅପରାହ୍ନ ହେଲେ ଏଠାକୁ ଲୋକଙ୍କ ଆଗମନ ହେଉଥିଲା। ପର୍ଯ୍ୟଟକମାନେ ମଧ୍ୟ ସେଠାକୁ ଯାଇ ମହାପୁରୁଷଙ୍କ ସମାଧିକୁ ଦର୍ଶନ କରିବା ସହ ସେହି ପରିବେଶରେ ଫଟୋ ଉଠାଉଥିଲେ। ପୁଣ୍ୟପୀଠରେ ଚଳଚ୍ଚିତ୍ର ସୁଟିଂ ମଧ୍ୟ ହେଉଥିଲା। କିନ୍ତୁ ପ୍ରଶାସନିକ ଆନ୍ତରିକତାର ଅଭାବ ଓ ସମାଧିପୀଠର ରକ୍ଷଣାବେକ୍ଷଣ ଲାଗି କୌଣସି ବ୍ୟକ୍ତିଙ୍କୁ ନିୟୋଜିତ କରାନଯିବାରୁ ପୀଠର ସୌନ୍ଦର୍ଯ୍ୟ ଧୀରେଧୀରେ ଉଜୁଡ଼ିଗଲା।

publive-image

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପଞ୍ଚସଖା ସମାଧି ପୀଠ ସଂଲଗ୍ନ ରାଧାନାଥ ରଥଙ୍କ ସମାଧିସ୍ଥଳକୁ ଅନାବନା ଲଟା ମାଡ଼ି ଯାଇଥିବା ବ‌େଳେ ଏହା ନିକଟକୁ ଯାଇଥିବା ରାସ୍ତାକୁ କେତେକ ଲୋକ ମୁକ୍ତ ପାଇଖାନା ପରି ବ୍ୟବହାର କରୁଛନ୍ତି। ସମାଧିପୀଠର ମୁଖ୍ୟ ଫାଟକ ସବୁବେଳେ ଉନ୍ମୁକ୍ତ ରହୁଛି। ଆଜି ଯାଏ ଜଗୁଆଳିଟିଏ ଜଗିବା ପାଇଁ ନିୟୋଜିତ କରାଯାଇ ନାହିଁ। ଏହାମଧ୍ୟରେ ହୋଇଥିବା ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ସଞ୍ଜ ନଇଁଲେ ପୁଣ୍ୟ ପୀଠଟି ଗଭୀର ଅନ୍ଧାରରେ ବୁଡ଼ିରହୁଛି। ଅନ୍ଧାର ଓ ନିଛାଟିଆ ପରିବେଶର ସୁଯୋଗ ନିଶାଖୋର ଓ ଅସମାଜିକ ବ୍ୟକ୍ତିଙ୍କୁ ବେଶ୍‌ ସୁହାଉଛି। ଫଳରେ ସାଧାରଣ ଜନତା ଏ ସ୍ଥାନରେ ପାଦ ରଖିବାକୁ ସଙ୍କୋଚ କରୁଛନ୍ତି।

ନିକଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସତ୍ୟବାଦୀ ବିଦ୍ୟାଳୟ ଗସ୍ତ କରି ଏହି ସ୍ଥାନ ଆତ୍ମନିର୍ଭରଶୀଳ ଧନ୍ଦାମୂଳକ ଶିକ୍ଷା ପଦ୍ଧତିର ପ୍ରୟୋଗଶାଳା ପାଲଟିବ ବୋଲି କହିଥିଲେ। ସେଠାରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ଏପରିକି ଏହି ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ପରିଦର୍ଶନରେ ଆସିବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ମାତ୍ର ଏଯାଏ ଉନ୍ନତୀକରଣ କାମ ଆରମ୍ଭ ହେଲା ନାହିଁ। ଏହା ଅନ୍ତତଃ ଆରମ୍ଭ ହେଲେ ପଞ୍ଚସଖା ପୁଣ୍ୟ ସମାଧି ପୀଠ ତା’ର ପୂର୍ବ ଗୌରବ ଫେରିପାଇବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।