ଅବହେଳିତ ଖେଳପଡ଼ିଆ ପାଲଟିଛି ଚାରଣଭୂମି: ସରକାରୀ କାର୍ଯ୍ୟକ୍ରମ ପାଇଁ ଭାଙ୍ଗିଦେଲେ ପାଚେରି

ଗୁରୁଣ୍ଡିଆ: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କ୍ରୀଡ଼ାକ୍ଷେତ୍ରରେ ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। କ୍ରୀଡ଼ା ଭିତ୍ତିଭୂମି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଗୁରୁଣ୍ଡିଆରେ ଥିବା ଏକମାତ୍ର ଖେଳପଡ଼ିଆ ନଜର ଆ​ଢ଼ୁଆଳରେ ରହିଯାଇଛି। ଏହି ପଡ଼ିଆରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମାତ୍ର ପଡ଼ିଆର ଉନ୍ନତି ପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ। ଏବେ ପୁଣି ୮ ତାରିଖରେ ‘ମୋ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଏହି ପଡ଼ିଆରେ ଆୟୋଜିତ ହେବ। ଜାଗା ନିଅଣ୍ଟହେବା ଚିନ୍ତାରେ ପ୍ରଶାସନ ପକ୍ଷରୁ ଗୋଟିଏ ପଟରେ ଏହାର ପାଚେରି ଭାଙ୍ଗି ଦିଆଯାଇଛି। କାର୍ଯ୍ୟକ୍ରମ ସରିଲେ ପୁନଃନିର୍ମାଣ ହେବ। ପଞ୍ଚାୟତ ସମିତି ଉଚ୍ଚବିଦ୍ୟାଳୟ ନାମରେ ଉଦ୍ଦିଷ୍ଟ ଥିବା ଏହି ଖେଳପଡ଼ିଆର ବହୁମୁଖୀ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ରକ୍ଷଣାବେକ୍ଷଣ ପ୍ରତି ଅଣଦେଖା କରାଯାଉଛି।

ପରିସୀମା ଦୃଷ୍ଟିରୁ ଏହା ଖେଳପଡ଼ିଆ ଉପଯୁକ୍ତ ନୁହେଁ। ଦର୍ଶକ ରାସ୍ତା ଉପରେ ବିପଦପୂର୍ଣ୍ଣ ଭାବେ ବସି ଖେଳ ଦେଖିଥାନ୍ତି। ହେଲେ ପ୍ରଶାସନ ଏ ପର୍ଯ୍ୟନ୍ତ ଏହାର ଉନ୍ନତି ପାଇଁ ଧ୍ୟାନ ଦେଇନାହିଁ। ଝଡ଼ତୋଫାନରେ ଖେଳପଡ଼ିଆ ମଧ୍ୟରେ ଥିବା ଏକ ବିଦ୍ୟୁତ୍‌ଖୁଣ୍ଟ ବିପଦପୂର୍ଣ୍ଣ ଭାବେ ରାସ୍ତା ଆଡ଼କୁ ନଇଁଛି। ୧୧ କେଭି ବିଦ୍ୟୁତ୍‌ ତାର ପଡ଼ିଆ ମଧ୍ୟଦେଇ ଯାଇଛି। ଅନେକତ୍ର ପାଚେରି ଦଦରା ହୋଇଗଲାଣି। ଅଳ୍ପ ଉଚ୍ଚତାର ପାଚେରି ନ ଥିବା ସହ ସମାନ। ଚାରିଆଡ଼େ ମୁକୁଳା ଥିବାରୁ ବୁଲାପ୍ରାଣୀ ଅବାଧରେ ପଶୁଛନ୍ତି। ଆସନ୍ତା ୮ ତାରିଖ କାର୍ଯ୍ୟକ୍ରମ ଏହି ପଡ଼ିଆରେ ଅନୁଷ୍ଠିତ ହେବ। ଏଥିପାଇଁ ସ୍ଥାନ ଅଭାବ ହେବାରୁ ପାଚେରି ଭଙ୍ଗା ଯାଇଛି। କାର୍ଯ୍ୟକ୍ରମ ସରିଲେ ପୁଣି ତିଆରିହେବ। ତେବେ ଏହି ସମୟରେ ପଡ଼ିଆର ସମ୍ପୂର୍ଣ୍ଣ ଉନ୍ନତୀକରଣ ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର