ଅବହେଳିତ ୫୮ବର୍ଷର ପୁରୁଣା ସ୍କୁଲ , ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

କୋଇଡ଼ା: ୫୮ବର୍ଷର ପୁରୁଣା କୋଇଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ ହତଶିରୀ ହୋଇଯାଇଛି। ଶ୍ରେଣୀଗୃହ ଅଭାବରୁ ପିଲା ବାରଣ୍ଡାରେ ବସି ପଢ଼ୁଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି ସ୍କୁଲଟି କୋଇଡ଼ା ବିଇଓ ଅଫିସ ପରିସର ମଧ୍ୟରେ ରହିଥିଲେ ମଧ୍ୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନଜର ପଡ଼ୁନି। ଘରନାହିଁ, ଅଫିସ ନାହିଁ, ଭଙ୍ଗାଘରେ, ତଳେ ଓ ବାରଣ୍ଡାରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏହି ଅବହେଳିତ ବିଦ୍ୟାଳୟଟି ରହିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ର କୋଇଡ଼ା ପଞ୍ଚାୟତରେ।

୧୯୬୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଚରମ ଅବହେଳାର ଶିକାର ହୋଇଛି। ଏହି ସ୍କୁଲରେ ୧ମରୁ ୮ମ ପର୍ଯ୍ୟନ୍ତ ୪୭୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ପୂର୍ବରୁ ୮ଟି ଶ୍ରେଣୀ ପାଇଁ ୮ଟି କୋଠରୀ ଥିବାବେଳେ ସେଥିରୁ ୪ଟି ଶ୍ରେଣୀଗୃହକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ବର୍ତ୍ତମାନ ସେହି ୪ଟି ଅସୁରକ୍ଷିତ ଶ୍ରେଣୀଗୃହକୁ ଭଙ୍ଗାଯାଇ ନୂଆ ନିର୍ମାଣ କରାଯାଉଛି। ତେବେ ୪ଟି ଶ୍ରେଣୀର ପିଲା କୋଠରୀରେ ପଢ଼ୁଥିବାବେଳେ ଅନ୍ୟ ୪ଟି ଶ୍ରେଣୀର ଛାତ୍ରଛାତ୍ରୀ ବାରଣ୍ଡାରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଶ୍ରେଣୀଗୃହ କମ୍‌ ଥିବାରୁ ପିଲା ବାରଣ୍ଡାରେ ବସି ପଢ଼ୁଛନ୍ତି ବୋଲି କୋଇଡ଼ା କ୍ଲଷ୍ଟର ସିଆରସିସି ମନୋଜ ନାଥ କହିଛନ୍ତି। ଅନ୍ୟପକ୍ଷରେ ସ୍କୁଲରେ ପିଲାଙ୍କୁ କାମ କରାଉଥିବା ଅଭିଯୋଗ ହେଉଛି।

ଏ ବିଷୟରେ ସୂଚନାପାଇ ସ୍କୁଲରେ ପହଞ୍ଚିବାବେଳକୁ ଜନୈକ ଶିକ୍ଷକଙ୍କ ତତ୍ତ୍ବାବଧାନରେ ୮ମ ଶ୍ରେଣୀର ପିଲାମାନେ ବଡ଼ବଡ଼ ପେଟି ବୋହୁଥିବା ଦେଖିବାକୁ ମିଳିଥିଲା। ଏ ବିଷୟରେ ସମ୍ପୃକ୍ତ ଶିକ୍ଷକଙ୍କୁ ପଚାରିବାରୁ ପିଲା କାମକରିବେ ନାହିଁ କ’ଣ ଆମେ କାମକରିବୁ ବୋଲି ଉତ୍ତର ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ଥିବାରୁ କୌଣସି ସୂଚନା ମିଳିପାରିଲା ନାହିଁ। ଏ ନେଇ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କୁ ପଚାରିବାରୁ ପିଲାଙ୍କୁ କାମ କରାଇବା ନିୟମବିରୁଦ୍ଧ। ଛୋଟପିଲାଙ୍କୁ ବର୍ଷାକାଦୁଅରେ ତଳେ ବସାଇବା ଉଚିତ ନୁହେଁ।  ଏ ନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର