ଗାଁ’ରେ କେହି ଆବାସ ଯୋଜନାରେ ଘର ପାଇ ନାହାନ୍ତି
ଶିଶୁମାନଙ୍କ ପାଇଁ ଗାଁ’ରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ମଧ୍ୟ ନାହିଁ
ସ୍କୁଲ ନ ଆସି ପିଲାଏ ସଂଗ୍ରହ କରୁଛନ୍ତି ମହୁଲ, ଖଲି ପତ୍ର, ଜାଳେଣୀ କାଠ
ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ନେପାଳ ଆଦିବାସୀ ଅଞ୍ଚଳ ପ୍ରଶାସନର ଉଦାସୀନତା ଯୋଗୁ ସମାଜରେ ଅଜଣା ଅଚିହ୍ନା ହୋଇ ରହିଛି। ଗାଁର ବିକାଶ କଥା ଚିନ୍ତା କରିବାକୁ ପ୍ରଶାସନ କେବେ ବି ଚେଷ୍ଟା କରିନି। ବର୍ଷାଦିନ ହେବା ମାତ୍ରେ ଆଦିବାସୀମାନେ ଗାଁରେ ବନ୍ଦୀ ହୋଇ ରୁହନ୍ତି। ଦୁର୍ଗମ ଅଞ୍ଚଳର ଏହି ଚିତ୍ର ସରକାରଙ୍କ ପାଖରେ କେବେ ପହଞ୍ଚିବ ଏବଂ ସେମାନଙ୍କୁ ସର୍ବନିମ୍ନ ସୁବିଧାସୁଯୋଗ ମିଳିବ, ସେ ନେଇ ଏହି ଗାଁର ଲୋକେ ସନ୍ଦିହାନ।
ଆଜି ନୟାଗଡ଼ ଜିଲ୍ଲା ସାରା ଓଡ଼ିଶାରେ ବହୁ ପାଦ ଆଗକୁ ଯାଇଛି। ଜିଲ୍ଲାରେ ସମସ୍ତ ବିଭାଗର କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି। କିନ୍ତୁ ଓଡ଼ଗାଁର ନେପାଳ ଗାଁ ଆଜି ବି ଅବହେଳିତ ହୋଇ ରହିଛି। ଗାଁକୁ ରାସ୍ତାଘାଟଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ ଓ ପରିମଳ ଆଦି ସୁବିଧା ପହଞ୍ଚି ପାରିନାହିଁ। କିନ୍ତୁ ନିର୍ବାଚନ ସମୟରେ ନେତାମାନେ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଗାଁର ବିକାଶ ସରକାରଙ୍କ ନାଲିଫିତା ତଳେ ଚାପି ହୋଇ ରହିଯାଏ। ନେପାଳ ଗାଁଠାରୁ ପଞ୍ଚାୟତ ୮କିଲୋମିଟର ଦୂରତା ହୋଇଥିବା ବେଳେ ସବୁବେଳେ ଯିବା ଆସିବା କରିବା କଷ୍ଟସାଧ୍ୟ ହେଉଛି। ପାହାଡ଼ିଆ ଆବୁଡ଼ା ଖାବୁଡ଼ା ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ଏତେଦୂର ପାଠ ପଢିବାକୁ ଆସି ନ ପାରି ଜଙ୍ଗଲରୁ ମହୁଲ, ଖଲି, ଜାଳେଣୀ କାଠ ଆଦି ସଂଗ୍ରହ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଗ୍ରାମର କେହି ଜଣେ ହେଲେ ଦଶମ ଶ୍ରେଣୀ ପାସ୍ କରିନଥିବା ଜଣାପଡ଼ିଛି। ସାଧାରଣ କଥା ଦେଖିବାକୁ ଗଲେ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିନାହିଁ। କେବଳ ସେତିକି ନୁହଁ ବର୍ଷାଦିନେ ଗାଁରେ କାହାରି ଦେହ ଖରାପ ହେଲେ ଗାଁକୁ ଗାଡ଼ି ମୋଟର ତ ଦୂରର କଥା ଖାଲି ପାଦରେ ଚାଲି ଚାଲି ଯିବା ଅସମ୍ଭବ ହୋଇଥାଏ। ରାସ୍ତା ନଥିବାରୁ ରୋଗୀ ଯନ୍ତ୍ରଣାରେ ଛଟଛଟ ହୋଇ ଶେଷରେ ମୃତ୍ୟୁବରଣ କରିଥାଏ।
ଏଭଳି ଅନେକ ଉଦାହରଣ ଗାଁରେ ଥିଲେ ମଧ୍ୟ ବ୍ଲକ୍ ଏବଂ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଛି। ଗାଁର ବିକାଶ ତଥା ରାସ୍ତାଘାଟ ପାଇଁ ବାରମ୍ଭାର ବ୍ଲକ୍ ପ୍ରଶାସନ ଏବଂ ନେତା, ମନ୍ତ୍ରୀଙ୍କୁ ଗୁହାରି କରାଯାଇଛି କିନ୍ତୁ ସେହି ରାସ୍ତା ଜଙ୍ଗଲ ବିଭାଗରେ ଥିବାରୁ ରାସ୍ତା ନିର୍ମାଣ ହୋଇ ପାରୁନଥିବା କହି ନିଜ ଉପରୁ ଦୋଷ ଛଡ଼ାଇ ଦିଅନ୍ତି। ଏଠି ପ୍ରଶ୍ନ ଉଠୁଛି ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ଜଙ୍ଗଲ ବିଭାଗର ଅନୁମତି ଆଣି ଜଙ୍ଗଲ, ପାହାଡ଼ କାଟି ରେଳପଥ କାର୍ଯ୍ୟ ତ୍ବରାନ୍ବିତ କରୁଛନ୍ତି। ଗୋଟିଏ କି ଦୁଇ କିଲୋମିଟର ନୁହେଁ, ଶହ ଶହ କିଲୋମିଟର ପାଇଁ ଅନୁମତି ମିଳୁଛି କିନ୍ତୁ ଏଠାରେ ୮କିଲୋମିଟର ରାସ୍ତା ନିର୍ମାଣ ପାଇଁ ୭୦ବର୍ଷ କାଳ ଲୋକଙ୍କୁ ଅପେକ୍ଷା କରିବାକୁ ପଡିଛି।
ସୂଚନା ଯୋଗ୍ୟ ଯେ ନେପାଳ ଗାଁରେ ୪୦ ପରିବାର ବସବାସ କରନ୍ତି। ଲୋକମାନେ କାମଧନ୍ଦା ନ ପାଇ ଗାଁର ଅଧାରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଇଛନ୍ତି। ଗାଁର ଲୋକେ ସାଧାରଣତଃ ଚାଷବାସ ଉପରେ ନିର୍ଭର କରୁଥିବା ବେଳେ ମହିଳାମାନେ ଜଙ୍ଗଲରୁ ପତ୍ର ସଂଗ୍ରହ କରନ୍ତି। ନୁଆଁଣିଆ ଘରେ ନିଜ ପରିବାରକୁ ଧରି ଦୟନୀୟ ଅବସ୍ଥାରେ ବସବାସ କରନ୍ତି। ଆଜି ପର୍ଯ୍ୟନ୍ତ ଗାଁରେ କେହି ଆବାସଯୋଜନାରେ ଘରଟିଏ ପାଇନଥିବା ଗାଁ ଲୋକେ କହିଛନ୍ତି। ଏପଟେ ଅର୍ଥ ଅଭାବରୁ କାହାରି ମୁଣ୍ତରେ ତେଲ ନାହିଁ କି ପେଟକୁ ଦାନା ମିଳୁନି। ଗାଁର ବିକାଶ ପାଇଁ ରାସ୍ତାଘାଟ ନିମାର୍ଣ କରାଗଲେ ଲୋକମାନେ ବାହାରକୁ ଯାଇ ଦି ପଇସା ରୋଜଗାର କରିପାରିବେ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।