ଅବହେଳିତ ସ‌ରେଇଁ ଗ୍ରାମ: ପିଇବାପାଣି, ଭତ୍ତା, ଆବାସ ସାତସପନ; ଗ୍ରାମବାସୀଙ୍କ ପ୍ରଶ୍ନ, ଭୋଟ୍ ଦେବୁ କାହିଁକି?

ଆନନ୍ଦପୁର : ଭୋଟ୍‌ ଆସିଲେ ମିଳେ ଗଦାଗଦା ପ୍ରତିଶ୍ରୁତି। ‌ହେଲେ ଭୋଟ୍ ସରିବା ପରେ ନେତାମାନେ ସବୁ ଭୁଲିଯାନ୍ତି। ବୃଦ୍ଧ ବୟସରେ ଲୋକଙ୍କୁ ଭତ୍ତା ମିଳୁ ନଥିବା‌ବେଳେ ପିଇବାପାଣି ପାଇଁ ବହୁ ଦୂର ଯିବାକୁ ପଡ଼ୁଛି। ଚାଳଛପର ଘରେ ଗରିବ ଲୋକ ଅତିଦୟନୀୟ ଅବସ୍ଥାରେ ରହୁଥିଲେ ମଧ୍ୟ ସେମାନଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଘସିପୁରା ବ୍ଲକ୍‌ ବଳରାମପୁର ପଞ୍ଚାୟତର ସରେଇଁ ଗ୍ରାମରେ।

ପଞ୍ଚାୟତ ଭୋଟ୍‌କୁ ନେଇ ଗାଁ କମ୍ପୁଥିବା ବେଳେ ୧୮ ନମ୍ବର ୱାର୍ଡର ବାସିନ୍ଦାଙ୍କ ମଧ୍ୟରେ ନିର୍ବାଚନକୁ ନେଇ କୌଣସି ଉତ୍ସାହ ନାହିଁ। ସରେଇଁ ଗ୍ରାମର ଏହି ବସ୍ତିରେ ରହନ୍ତି ୧୭ ପରିବାର। ସମସ୍ତ ପରିବାର ଗରିବ ଶ୍ରେଣୀର। ମୂଲମଜୁରି ଲାଗି ପରିବାର ପ୍ରତିପୋଷଣ କରନ୍ତି। ସବୁ ଗ୍ରାମକୁ ବସୁଧା ଯୋଜନା‌ରେ ପିଇବାପାଣି ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେ‌ଳେ ଏହି ବସ୍ତିରେ ନଳକୂପଟିଏ ବସାଯାଇ ନାହିଁ। ଲୋକମାନେ ୭ଶହ ମିଟର ଦୂରରେ ଥିବା ସ୍କୁଲର ନଳକୂପ ଉପରେ ପିଇବାପାଣି ପାଇଁ ନିର୍ଭର କରୁଥିବାବେଳେ କୁଶେଇ ନଦୀକୁ ସ୍ନାନଶୌଚ ପାଇଁ ଯାଇଥାନ୍ତି। ବସ୍ତିର ବୁଢ଼ାବୁଢ଼ୀମାନଙ୍କୁ ମଧ୍ୟ ଭତ୍ତା ମିଳୁନି। ଅଖଜି ସାମଲ (୬୫), ଉଷା ସାମଲ (୬୩), ଜାନକୀ ସାମଲ (୭୨), ସୁର୍ଯ୍ୟ ସାମଲ (୬୫)ଙ୍କୁ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ସେମାନଙ୍କୁ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି।

ବସ୍ତିର ନବ ସାମଲ, ବଇ ସାମଲ, କୁଶ ସାମଲ, ନିରଞ୍ଜନ ସାମଲ, ବିଶ୍ବନାଥ ସାମଲ, ମଦନ ସାମଲ, ଅର୍ଜୁନ ସାମଲ, ଅରୁ ସାମଲ, କାଠିଆ ସାମଲ, ବିଦ୍ୟାଧର ସାମଲଙ୍କ ପରିବାର ଅତି ଦୟନୀୟଭାବେ ଚାଳଛପର ଘରେ ପଲିଥିନ୍ ଟାଙ୍ଗି ରହୁଛନ୍ତି। ସେମାନଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଇଛି। ବାରମ୍ବାର ଦାବି ପରେ ମଧ୍ୟ ଆବାସ ମିଳୁ ନଥିବାବେଳେ ପକ୍କାଘରେ ଥିବା ଲୋକଙ୍କୁ ଆବାସ ପ୍ରଦାନ କରାଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଲୋକଙ୍କୁ ସବୁ ସରକାରୀ ଯୋଜନାରୁ ଉଦ୍ଦେଶ୍ୟମୂଳକ ଭାବେ ବଞ୍ଚିତ କରାଯାଉଥିବାବେଳେ ଆମେ କାହିଁକି କାହାକୁ ଭୋଟ୍ ଦେବୁ ବୋଲି ବସ୍ତିବାସିନ୍ଦା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର