ଅସୁରାଳି: ଧାମନଗର ବ୍ଳକର ଅସୁରାଳି ଠାରେ ନିର୍ମାଣାଧୀନ ସହିଦ ଷ୍ଟାଡିୟମର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ଏହି ପ୍ରକଳ୍ପ ପାଇଁ ହୋଇଥିବା ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଏବେ ପ୍ରାୟ ଚାରିବର୍ଷ ପୂରିବାକୁ ଯାଉଥିବା ବେଳେ ଅଧାପନ୍ତରିଆ କାମକୁ ନେଇ ଅଂଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଗତ ୨୦୧୯ମସିହା ସାଧାରଣ ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ଅର୍ଥାତ ଫେବ୍ରୁଆରି ମାସ ୧୬ତାରିଖ ଦିନ ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥ ପାର୍ଶ୍ୱରେ ସ୍ଥାନୀୟ ଆଞ୍ଚଳିକ ମହିଳା ମହାବିଦ୍ୟାଳୟ ନିକଟ ପଡିଆରେ ଅସୁରାଳି ସହିଦ ଷ୍ଟାଡିୟମ ପାଇଁ ଶିଳାନ୍ୟାସ କରାଯାଇଥିଲା। ତତ୍କାଳୀନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସମେତ ସେବେର ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ପ୍ରମୁଖ ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ।
ସେତେବେଳେ ରାଜ୍ୟ ସରକାର ଘୋଷଣା କରିଥିଲେ ପ୍ରତ୍ୟେକ ପଞ୍ଚାୟତରେ ଖେଳ ପଡିଆ ନିର୍ମାଣ ହେବ। ଏହି ଘୋଷଣା ସାଙ୍ଗକୁ ସ୍ଥାନୀୟ ଷ୍ଟାଡିୟମ ନିର୍ମାଣ ଆରମ୍ଭ ଘଟଣା ଆଞ୍ଚଳିକ ଜନତା ବିଶେଷ କରି ଯୁବବର୍ଗଙ୍କୁ ଖୁସି ଦେଇଥିଲା। ଷ୍ଟାଡିୟମ ପାଇଁ ଚିହ୍ନଟ ଜାଗାରେ କାର୍ଯ୍ୟ ଆରମ୍ଭ ହୋଇ ପ୍ରଥମେ ଦୁଇ ପାଖରେ ପାଚେରୀ ନିର୍ମାଣ ହୋଇଥିଲା। କିନ୍ତୁ କିଛି ଦିନ ପରେ ହଠାତ କାମ ବନ୍ଦ ହୋଇ ଯାଇଥିଲା। ଇତିମଧ୍ୟରେ ସାଢ଼େ ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଷ୍ଟାଡିୟମ ନିର୍ମାଣ କାମ ସେହି ଅଧା ପାଚେରୀରେ ଅଟକି ରହିଛି। ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଦୀର୍ଘ ଦିନ ଧରି ସ୍ଥାଣୁତା ଦେଖିବାକୁ ମିଳିଛି ଯାହା ସ୍ଥାନୀୟ ତିନି/ଚାରୋଟି ପଞ୍ଚାୟତର ଯୁବକମାନଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି। ଏହି ଷ୍ଟାଡିୟମ ତିଆରିରେ କେଉଁ ବିଭାଗର ଅର୍ଥ ମଞ୍ଜୁର ହୋଇ ବିନିଯୋଗ ହୋଇଛି ତାର କୌଣସି ସୂଚନା ନ ଥିବାରୁ ଦ୍ବନ୍ଦ୍ବ ପ୍ରକାଶ ପାଇଛି। ପ୍ରତି ପଞ୍ଚାୟତରେ ଖେଳ ପଡ଼ିଆ ତଥା ମିନି ଷ୍ଟାଡିୟମ ନିର୍ମାଣ ପ୍ରସଙ୍ଗ ଏବେ ସରକାରଙ୍କ ଫାଇଲରେ ରହି ଯାଇଥିଲା ଭଳି ଧାରଣା ସୃଷ୍ଟି ହୋଇଛି। ଅପରପକ୍ଷରେ ଧାମନଗର ବ୍ଳକର ସଦର କାଟଣାପାଇ (ବିଜୁ ପଟ୍ଟନାୟକ ଷ୍ଟାଡିୟମ)କୁ ଛାଡ଼ି ଅନ୍ୟ କୌଣସି ଜାଗାରେ ଷ୍ଟାଡିୟମ ପାଇଁ ଭିତ୍ତି ପଡ଼ିନଥିଲା ବେଳେ ସବୁଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବିବେଚିତ ଅସୁରାଳିରେ ପ୍ରସ୍ତାବିତ ଷ୍ଟାଡିୟମର ଆବଶ୍ୟକତା ରହିଛି। ଏଠାରେ ଅନେକ ପ୍ରମୁଖ ଏବଂ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରହିଥିବାରୁ ଷ୍ଟାଡିୟମ ପୂର୍ଣ୍ଣାଙ୍ଗ ହେଲେ ଏହା ବହୁବିଧ କାର୍ଯ୍ୟରେ ଲାଗିପାରିବ।