କରୋନା ରୋଗୀଙ୍କ ଚିକିତ୍ସାରେ ଅଭାବନୀୟ ଚିତ୍ର : ଜଣଙ୍କ ସ୍ଥାନରେ ଆଉ ଜଣଙ୍କୁ ଚିକିତ୍ସା; ସୁସ୍ଥ ହେଉଥିବା ରୋଗୀ ଗୁରୁତର ହୋଇ ଆଖିବୁଜିଲେ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ଚିକିତ୍ସାରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ରୋଗୀଙ୍କ ନାଁରେ ଅନ୍ୟ ଜଣେ ରୋଗୀଙ୍କୁ ରେଫର୍ ଓ ସେହି ରୋଗୀର ମେଡ଼ିସିନରେ ଚିକିତ୍ସା କରିବାରୁ ସୁସ୍ଥ ଥିବା ରୋଗୀ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ମୃତାଙ୍କ ନାତି ଧର୍ମେନ୍ଦ୍ର ସାହୁ । ସିଟି ହସ୍ପିଟାଲ କୋଭିଡ଼ ସେଂଟର ଓ ପାରଳା ମହାରାଜା କୋଭିଡ଼୍ କେୟାରୂ ସେଣ୍ଟର କର୍ତ୍ତୃପକ୍ଷ ନିଜ ଭୁଲକୁ ଲୁଚାଇବାକୁ ଯାଇ ରେଫ୍ରାଲ କାଗଜରେ ବି ନା କୁ କାଟି ସଂଶୋଧନକୁ କରିଥିବା ସେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ବଡବଜାର ଥାନାରେ ସେ ଏତଲା ଦାଏର କରିବେ ବୋଲି ମଧ୍ୟ କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ବଡ ବଜାର ଅଂଚଳର ମାଲୁ ବେହେରା ସାହିର ଦମୟନ୍ତୀ ସାହୁ ଗତ ୧୩ତାରିଖରେ କୋଭିଡ଼୍ ଟେଷ୍ଟ କରିଥିଲେ । ୧୮ତାରିଖରେ କୋଭିଡ଼ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ପାରଳା ମହାରାଜା କୋଭିଡ଼୍ କେୟାର ସେଟଂରରେ ଭର୍ତି ହୋଇଥିଲେ । ସେଠାରେ ୧୨ଦିନ ରହିବା ପରେ ଘର ଲୋକଙ୍କ ସହ ଦମୟନ୍ତୀ କଥାବର୍ତା ହୋଇ ସୁସ୍ଥ ଥିବା କହିଥିଲେ । ୩୦ତାରିଖରେ ପରିବାର ଲୋକ ଜାଣିବାକୁ ପାଇଲେ ଯେ, ଦମୟନ୍ତୀଙ୍କୁ ପାରାଳା ମହାରାଜା ସେଣ୍ଟରରୁ ସିଟି ହସ୍ପିଟାଲ କୋଭିଡ଼୍ ସେଂଟରକୁ ରେଫର କରାଯାଇଛି । ଦମୟନ୍ତୀ ପଣ୍ଡାଙ୍କ ରେଫର ସ୍ଥାନରେ ସୁସ୍ଥ ଥିବା ଦମୟନ୍ତୀ ସାହୁଙ୍କୁ ରେଫର କରି ଦିଆଯାଇଛି । ରେଫର କାଗଜରେ ବି ଦମୟନ୍ତୀ ପଣ୍ଡା ଲେଖା ହୋଇଛି । ଦମୟନ୍ତୀ ପଣ୍ଡାକୁ କାଟି ଦମୟନ୍ତୀ ସାହୁ ସଂଶୋଧନ କରି ଲେଖାହୋଇଛି । ସିଟି ହସ୍ପିଟାଲ କୋଭିଡ଼ ସେଂଟରରେ ଦୁଇଦିନର ଚିକିତ୍ସା ପରେ ଦମୟନ୍ତୀ ସାହୁ ଆଜି ଭୋରରୁ ଆଖି ବୁଜିଛନ୍ତି । ଖାଲି ସେତିକି ନୁହେଁ, ଉଭୟ ସିଟି ହସ୍ପିଟାଲ ଓ ପାରଳା ମହାରାଜା କୋଭିଡ଼୍ କେୟାର ସେଂଟରରେ ଦମୟନ୍ତୀ ସାହୁ ନୁହେଁ ପଣ୍ଡାଙ୍କୁ ହିଁ ରେଫର କରାଯାଇଥିବା ମୋବାଇଲରେ ଯୋଗାଯୋଗ ବେଳେ ଦମୟନ୍ତୀ ସାହୁଙ୍କ ପରିବାର ଲୋକଙ୍କୁ କହିଥିବାର କଲ ରେକର୍ଡ ବି ରହିଛି ।


Jagran English

ଅନ୍ୟପକ୍ଷରେ ସିଟି କୋଭିଡ଼୍ ହେଲଥ୍ ସେଟଂରକୁ ଆଣି ଦମୟନ୍ତୀ ସାହୁଙ୍କୁ ଚିକିତ୍ସା କରାଯାଇଥିଲା । ଏଠାକୁ ଆସିବା ପରେ ସେ ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ହେବା ପରେ ଦମୟନ୍ତୀ ସାହୁଙ୍କୁ ସିଟି ହସ୍ପିଟାଲ କୋଭିଡ଼୍ ସେଂଟର ପକ୍ଷରୁ ଟାଟା କୋଭିଡ଼୍ ଆଇସିୟୁକୁ ନେବାକୁ ବ୍ୟବସ୍ଥା କରାଯାଇଥିଲା । ତେବେ ଠିକ୍ ସମୟରେ ଟାଟା କୋଭିଡ଼୍ ପକ୍ଷରୁ କଲ ରିସିଭ କରାଯାଇ ନଥିବା ସିଟି ହସ୍ପିଟାଲ କୋଭିଡ଼ ସେଟଂର ପକ୍ଷରୁ କୁହାଯାଉଥିବା କଲ ରେକର୍ଡ ରହିଛି । ଅନ୍ୟପକ୍ଷରେ ଦମୟନ୍ତୀ ସାହୁଙ୍କ ପରିବାର ଲୋକେ ଟାଟା କୋଭିଡ଼୍ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ ତେବେ ଆଇସିୟୁ ଖାଲି ନାହିଁ ଏଠାକୁ ଆଣନ୍ତୁ ନାହିଁ କହି ଟାଟା କୋଭିଡ଼୍ କର୍ତୃପକ୍ଷ ଫୋନ କାଟି ଦେଇଥିଲେ । ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପାରଳା ମହରାଜାରେ ଚିକିତ୍ସିତ ହେଉଥିବା ଦମୟନ୍ତୀ ପଣ୍ଡା ସୁସ୍ଥ ହୋଇ ଘରୁ ଫେରିଥିବା ଜଣାପଡ଼ିଛି ।

ଏ ସଂକ୍ରାନ୍ତରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଦମୟନ୍ତୀ ପଣ୍ଡା ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଦମୟନ୍ତୀ ସାହୁଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସଂକ୍ରାନ୍ତରେ ପାରଳା ମହାରାଜା କୋଭିଡ ସେଂଟରକୁ ସବିଶେଷ ରିପୋର୍ଟ ମାଗିଛି । ଅନ୍ୟପକ୍ଷରେ ଏହି ଘଟଣା ସଂକ୍ରାନ୍ତରେ ଏଡ଼ିଏମ୍ଓଙ୍କ କାର୍ଯ୍ୟାଳୟକୁ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ସବିଶେଷ ରିପୋର୍ଟ ମାଗିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର