ଭିମ୍‌ସାରରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ମାମଲା: ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ଦ୍ବାରା ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଭିମ୍‌ସାର୍‌)ରେ କରୋନା ଦ୍ବିତୀୟ ଲହର ସମୟରେ ରୋଗୀଙ୍କ ଚିକିତ୍ସାରେ ଅବହେଳା ପ୍ରସଂଗର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ଭିମ୍‌ସାର୍‌ରେ କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରା ନ ଯିବା ଅଭିଯୋଗର ତଦନ୍ତ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜ୍ଞାନଦତ୍ତ ଚୌହାନଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ କନେରା ଦ୍ବିତୀୟ ଲହର ସମୟରେ ଭିମସାର୍‌ରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଆବେଦନାରୀ ହାଇକୋର୍ଟରେ ପିଟିସନ୍ ଦାୟର କରିଥିଲେ। ଆବେଦନକାରୀ ବରଗଡ ଜିଲ୍ଲାର ବାସିନ୍ଦା ହୋଇଥିବା ‌ବେ‌େଳ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ଆଇନ ଛାତ୍ର। ଭିମ୍‌ସାର୍‌ରେ କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉନାହିଁ। ଅନେକ ସମୟରେ ଡାକ୍ତର ଅନୁପସ୍ଥିତ ରହୁଥିବା ବେଳେ ଔଷଧ ବାହାରୁ ଆଣିବାକୁ ରୋଗୀଙ୍କୁ କୁହାଯାଉଥିବା ସେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ତିନି ଜଣିଆ କମିଟି ଗଠନ କରି ଘଟଣାର ତଦନ୍ତ କରିଥିଲା। ମେ ୨୬ରେ କମିଟି ଏହାର ତଦନ୍ତ ରିପୋର୍ଟ ଦାଖଲ କରିଥିବା ବେଳେ ଏହାର କପି ଆବେଦନକାରୀଙ୍କୁ ପ୍ରଦାନ କରିବା ପାଇଁ ହାଇକୋର୍ଟ ନି‌େର୍ଦ୍ଦଶ ଦେଇଥିଲେ। କିନ୍ତୁ କମିଟି ରିପୋର୍ଟରେ ଥିବା ତଥ୍ୟ ଠିକ୍ ନଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଜବାବ ଦାଖଲ କରିଥିଲେ। କରୋନା ଦ୍ବିତୀୟ ଲହରରେ ଚିକିତ୍ସାରେ ଅବହେଳା ବା ଉପଯୁକ୍ତ ସମୟରେ ଚିକିତ୍ସା ନ ମିଳିବା ଭଳି ଘଟଣାର ପୀଡ଼ିତ ବା ସେମାନଙ୍କ ସଂପର୍କୀୟଙ୍କ ସତ୍ୟପାଠ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ କହିଥିଲେ। ଅତିକମ୍‌ରେ ଏଭଳି ୫ଜଣ ପୀଡିତଙ୍କ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଜୁନ୍ ୮ରେ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୀଡିତ ଓ ସେମାନଙ୍କ ସଂପର୍କୀୟଙ୍କ ପକ୍ଷରୁ ଚିକିତ୍ସାରେ ଅବହେଳା ପ୍ରସଂଗରେ ୫ଟି ସତ୍ୟପାଠ ଦାଖଲ କରାଯାଇଥିଲା। ସତ୍ୟପାଠରେ ରହିଥିବା ତଥ୍ୟ ପ୍ରମାଣକୁ ବିଚାରକୁ ନେଇ ହାଇକୋର୍ଟ ଭିମ୍‌ସାର୍‌ରେ ଚିକିତ୍ସା ଅବହେଳା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର