ଭୁବନେଶ୍ୱର: ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତିକୁ ନେଇ ଦୀର୍ଘ ଦିନର ଆନ୍ଦୋଳନ ଓ ଆଲୋଚନା ପରେ ମଧ୍ୟ ଚଳିତ ମାସ ୯ ତାରିଖରେ ଷ୍ଟାଫ୍ ସିଲେକସନ୍ କମିସନ ପକ୍ଷରୁ ୬ହଜାର ଶିକ୍ଷକ ନିଯୁକ୍ତି ବିଜ୍ଞାପନରେ ହିନ୍ଦୀ, ସଂସ୍କୃତ, ତେଲୁଗୁ, ଉର୍ଦ୍ଦୁ, ବିଜ୍ଞାନ, ପିଇଟି ଆଦି ଶିକ୍ଷକ ପାଇଁ ନିଯୁକ୍ତି ବାହାରିଥିବା ବେଳେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ବିଷୟ ନଥିଲା। ତେଣୁ ଏହାର ପ୍ରତିବାଦରେ ଗତ ୨୦ ତାରିଖରେ ଭାଷା ଆନ୍ଦୋଳନ ଓଡ଼ିଶାର ଆବାହକ ପବିତ୍ର ମହାରଥା ଓ ବିଜେପିର ନିର୍ବାଚନୀ ସଂକଳ୍ପ ପତ୍ର କମିଟିର ପ୍ରଭାରୀ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ଶତାଧିକ ଛାତ୍ରଛାତ୍ରୀ ଏକ ଆଭାସୀ ସଭାରେ ଏକତ୍ରିତ ହୋଇ ଓଡ଼ିଆରେ ଓଡ଼ିଶାର ଶାସନ, ଆଇନରେ ସଂଶୋଧନ ଏବଂ ମାତୃଭାଷା କିଭଳି ପେଟପାଟଣାର ଭାଷା ହୋଇପାରିବ ସେଥିପାଇଁ ଆଲୋଚନା କରିଥିଲେ।
ସେହି ଆଲୋଚନାର ଫଳସ୍ୱରୂପ ପ୍ରଫେସର ମଲ୍ଲିକ, ଶ୍ରୀ ମହାରଥା ଓ ଶାନ୍ତିନିକେତନର ଇନ୍ଦ୍ରମଣି ସାହୁଙ୍କ ନେତୃତ୍ୱରେ ଓଡ଼ିଆ ସମ୍ମାନ ଛାତ୍ର ସଂସଦର ଗୀତାଞ୍ଜଳି ସାହୁ, ସୌଭାଗ୍ୟମୟୀ ସେଠୀ ଓ ସୁମନ୍ତ କୁମାର ଭୋଇ ପ୍ରମୁଖ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ଓ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ପ୍ରମୁଖଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନା କରିଥିଲେ। ସମସ୍ତ ସ୍କୁଲଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକ ଯେପରି ତୁରନ୍ତ ନିଯୁକ୍ତି ପାଇବେ ସେଥିପାଇଁ ପ୍ରୟାସ କରିବାକୁ ସେମାନେ କହିଥିଲେ। ବିଭାଗୀୟ ସଚିବ ଶ୍ରୀମତୀ ପଣ୍ଡିତ ସ୍କୁଲଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକ ପଦବି ବିଷୟରେ ବିଭାଗୀୟ ଅଧିକାରୀମାନଙ୍କଠାରୁ ବୁଝିବା ସହିତ ଆଗାମୀ ଦିନରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ବିଶେଷ ଧ୍ୟାନ ଦିଆଯିବ ଏବଂ ସ୍ବତନ୍ତ୍ର ଭାବେ ନିଯୁକ୍ତି ବିଜ୍ଞାପନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।