ଯଶିପୁର: ଯଶିପୁର ବ୍ଲକ୍‌ ବାଉଁଶନାଳି ପଞ୍ଚାୟତ ବନ୍ଦିରାପୋଷି ଗାଁର ନେହେରୁ ମହାନ୍ତ (୩୫)। ମୂଳରୁ ପାଠପଢ଼ି ନଥିଲେ ବି ନିଷ୍ଠା ଓ ଅଧ୍ୟବସାୟ ବଳରେ ଜଣେ ସଫଳ ଚାଷୀ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି। ଦୀର୍ଘଦିନ ଧରି ପଡ଼ିଆ ପଡ଼ିଥିବା ଉଜୁଡ଼ା ଜମିରେ ବୋଇତାଳୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ନେହେରୁ।

Advertisment

ଗାଁ ଲୋକଙ୍କଠାରୁ ୧୨ ଏକର ଜମି ଲିଜ୍‌ ସୂତ୍ରରେ ଆଣି ବୋଇତାଳୁ ଚାଷ କରିଛନ୍ତି। ସେ ‘ଅର୍ଜୁନ-୧୩୭’ କିସମ କଖାରୁ ଚାଷରେ ୧ ଲକ୍ଷ ୮୦ ହଜାର ଟଙ୍କା ବିନିଯୋଗ କରି ଭଲ ଦି ପଇସା ଲାଭ ପାଇଛନ୍ତି। ଗତ ୮ ବର୍ଷ ଧରି ସେ ବୋଇତାଳୁ ଚାଷରେ ନିମଗ୍ନ ଅଛନ୍ତି। ଚାଷଜମିରୁ ଅମଳ ବୋଇତାଳୁକୁ ସେ କୋଲକାତା, ବାଲେଶ୍ୱର ଓ ବ୍ରହ୍ମପୁର ସହରକୁ ପଠାଇଥାନ୍ତି। ଉତ୍ପାଦିତ ବୋଇତାଳୁ ସସ୍ ତିଆରିରେ ବ୍ୟବହୃତ ହୋଇଥାଏ ବୋଲି ନେହେରୁ କହିଛନ୍ତି। ତାଙ୍କୁ ଚାଷରେ ସହଯୋଗ କରିଥାନ୍ତି ସହଧର୍ମିଣୀ ଝିଲିମଣି। ଗତବର୍ଷ ବୋଇତାଳୁ ଚାଷରୁ ସେ ୧ ଲକ୍ଷ ଟଙ୍କା ଲାଭ ପାଇଥିଲେ। ନିଜସ୍ୱ ଉଦ୍ୟମରେ ଏହି ଚାଷରେ ଦିନରାତି ଲାଗିଥିଲେ ମଧ୍ୟ କୃଷି ଅଧିକାରୀ କିମ୍ବା ସରକାରୀ କର୍ତ୍ତୃପକ୍ଷ ତାଙ୍କୁ ସହାୟତାର ହାତ ବଢ଼ାଇନାହାନ୍ତି। ଚାଷଜମିକୁ ଜଳଯୋଗାଣ ପାଇଁ ବୋରିଂ ନଳକୂପର ଆବଶ୍ୟକତା ରହିଛି। ସରକାରୀ ଯୋଜନାରେ କୃଷି ଯନ୍ତ୍ରାଂଶ ସହ ନଳକୂପ ବୋରିଂ ପାଇଁ ସହାୟତା ମିଳିଲେ ଚାଷ ପ୍ରତି ଆଗ୍ରହ ବଢ଼ିବ ବୋଲି କହିଛନ୍ତି ମହାନ୍ତ ଦମ୍ପତି।

ସେ କିଛି ବର୍ଷ ମୁମ୍ବାଇରେ ରହିଥିବା ବେଳେ ସେଠାରେ ବିସ୍ତୃତ ଜମିରେ କଖାରୁ ଚାଷ ଦେଖି ସେଥିପ୍ରତି ଆକୃଷ୍ଟ ହୋଇଥିଲେ। ଘରକୁ ଫେରି  ନିଜସ୍ୱ ଉଦ୍ୟମରେ ପ୍ରଥମ ବର୍ଷ ଦେଢ଼ ଏକର ଜମିରେ ବୋତଇତାଳୁ ଚାଷ ଆରମ୍ଭ କରି ଆଉ ପଛକୁ ଫେରିନାହାନ୍ତି। ଏହି ଚାଷରେ ଭଲ ଲାଭ ମିଳୁଥିବାରୁ ଆଗକୁ ସେ ଅଧିକ ଜମିରେ ବୋଇତାଳୁ ଚାଷ କରିବେ  ବୋଲି କହିଛନ୍ତି।