ଦାଉ ସାଧୁଛନ୍ତି ପଡ଼ୋଶୀ: ମହାନଦୀ ପରେ ଏବେ ଛତିଶଗଡ଼ ଟାର୍ଗେଟରେ ଇବ୍‌ ନଦୀ

ଉଦୟପୁର ବେଳାଭୂମିକୁ ଆଖେଇଛି ପଶ୍ଚିମବଙ୍ଗ, ଇବ୍‌ ପାଣିକୁ ବି ଅଟକାଉଛି

ଭୋଗରାଇ/ଚନ୍ଦନେଶ୍ୱର-୧,: ବଙ୍ଗ-ଓଡ଼ିଶା ମଧ୍ୟରେ ସୀମା ବିବାଦ ବେଳକୁବେଳ ଜଟିଳ ହେବାରେ ଲାଗିଛି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅଧୀନ ଉଦୟପୁରସ୍ଥିତ ବିବାଦୀୟ ସୀମାରେ ପଶ୍ଚିମବଙ୍ଗ ପ୍ରଶାସନ ବେଆଇନ ପାଚେରି ନିର୍ମାଣ କରିବାକୁ ବାରମ୍ବାର ଉଦ୍ୟମ ଚଳାଇଛି। କିଛିଦିନ ତଳେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ବିବାଦୀୟ ଜାଗାରେ ୧୪୪ ଧାରା ଜାରି କରାଯାଇଥିଲା। ବଙ୍ଗ ପ୍ରଶାସନ ଏହାକୁ ଭ୍ରୂକ୍ଷେପ ନକରି ଆଜି ପୁଣି ସେଠାରେ ପାଚେରି ନିର୍ମାଣ ଉଦ୍ୟମ କରିଛି।
ପଶ୍ଚିମବଙ୍ଗର ଦୀଘା ବେଳାଭୂମି ଏବଂ ଓଡ଼ିଶାର ଭୋଗରାଇ ବ୍ଲକ୍‌ ଅଧୀନ ଉଦୟପୁର ବେଳାଭୂମି ମଧ୍ୟବର୍ତ୍ତୀ ୩ଶହ ମିଟର ଅଞ୍ଚଳକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ଦେଖାଦେଇଛି। ବର୍ଷ ବର୍ଷ ବିତି ଯାଇଥିଲେ ବି ବିବାଦ ତୁଟି ପାରିନି। ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗ ସରକାରଙ୍କ ଜଳସମ୍ପଦ ବିଭାଗ ଉକ୍ତ ବିବାଦୀୟ ସ୍ଥାନରେ ପାଚେରି ନିର୍ମାଣ ପାଇଁ ବାରମ୍ବାର ଉଦ୍ୟମ କରୁଛି। ଗତ ୭ ତାରିଖ ଦିନ ମଧ୍ୟ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ବିବାଦୀୟ ଜାଗାରେ ପାଚେରି ନିର୍ମାଣ କାମ ଆରମ୍ଭ କରିଥିଲା। ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା ସୂଚନା ପାଇ ସେଠାରେ ପହଞ୍ଚି ନିର୍ମାଣ କାମ ବନ୍ଦ କରାଇଥିଲେ। ସେହିପରି ୮ ତାରିଖ ଦିନ ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକବିବାଦୀୟ ସ୍ଥାନ ପରିଦର୍ଶନ କରିବା ସହ ଆପୋସ ବୁଝାମଣା ମାଦ୍ୟମରେ ସୀମା ସମସ୍ୟାର ସମାଧାନ ହେବ ବୋଲି କହିଥିଲେ।

୧୪୪ ସତ୍ତ୍ବେ ପଶ୍ଚିମବଙ୍ଗର ପାଚେରି ନିର୍ମାଣ

ଅନ୍ୟପଟେ ୧୪ ତାରିଖରେ ଭୋଗରାଇ ତହସିଲ ପକ୍ଷରୁ ବିବାଦୀୟ ସ୍ଥାନରେ ୧୪୪ ଧାରା ମଧ୍ୟ ଜାରି ହୋଇଥିଲା। ନାଲି ପତାକା ପୋତି ସେଠା‌ରେ କୌଣସି ନିର୍ମାଣ କାର୍ଯ୍ୟ ହେବନାହିଁ ବୋଲି ମାଇକ୍‌ ଯୋଗେ ପ୍ରଚାର କରାଯାଇଥିଲା। ହେଲେ ଏହାକୁ ପଶ୍ଚିମବଙ୍ଗ ସରକାରଙ୍କ ଜଳସଂପଦ ବିଭାଗ ବେଖାତିର କରି ଆଜି ପୁଣି ପାଚେରି ନିର୍ମାଣ କରୁଥିଲା। ଖବର ପାଇ ଭୋଗରାଇ ତହସିଲଦାର ଶ୍ରୀ ପଣ୍ଡା ଓ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସହ ସୀମାବର୍ତ୍ତୀ ଗାଁ ଲୋକ ଓ ତାଳସାରୀ ମେରାଇନ୍‌ ପୁଲିସ ପହଞ୍ଚି ନିର୍ମାଣ କାମ ବନ୍ଦ କରିଛନ୍ତି। ସେହିପରି ଅପରାହ୍ନରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଭୋଗରାଇ ତହସିଲରେ ପହଞ୍ଚି ସମସ୍ୟା ସମ୍ପର୍କରେ ଆଲୋଚନା ଓ ସ୍ଥିତି ସମୀକ୍ଷା କରିଥିବା ଜଣାଯାଇଛି।

ଇବ୍‌ ପାଣିକୁ ବି ଅଟକାଉଛି

ସୀମାନ୍ତରେ ଦୁଇଟି ଷ୍ଟିଲ୍‌, ପାୱାର ପ୍ଲାଣ୍ଟ ନିର୍ମାଣ ଯୋଜନା
ସଂରକ୍ଷିତ ଜଙ୍ଗଲର ବି ପରିବେଶ ନଷ୍ଟ ହେବ

ସୁନ୍ଦରଗଡ଼: ମହାନଦୀ ଭଳି ଇବ୍‌ ନଦୀର ପାଣିକୁ ଏକପ୍ରକାର କବ୍‌ଜା କରିସାରିଛି ଛତିଶଗଡ଼। ଏଥିପାଇଁ ରାଜ୍ୟର ବହୁ ଅଞ୍ଚଳରେ ଜଳସଙ୍କଟ ଦେଖାଦେଉଛି। ଏବେ, ସୁନ୍ଦରଗଡ଼ ଜିଲ୍ଲା ହେମଗିର ସୀମାନ୍ତରେ ଦୁଇଟି ଷ୍ଟିଲ୍‌ ଓ ପାୱାର ପ୍ଲାଣ୍ଟ୍‌ ନିର୍ମାଣ ସହ ସମ୍ପ୍ରସାରଣ ଯୋଜନା କରି ଏହି ନଦୀର ପାଣିକୁ ଆହୁରି ଅଟକାଇବାର ଯୋଜନା କରୁଛି ପଡ଼ୋଶୀ ରାଜ୍ୟ। ଏହିଭଳି ଏକ ନିର୍ମାଣ ଯୋଜନା ଯୋଗୁ ରାଜ୍ୟର ବହୁ ଗ୍ରାମ ପ୍ରଭାବିତ ହେବା ସହିତ ବହୁ ସଂରକ୍ଷିତ ଜଙ୍ଗଲର ପରିବେଶ ନଷ୍ଟ ହେବାର ଆଶଙ୍କା ରହିଛି। ମାତ୍ର, ଏଥିପ୍ରତି ଛତିଶଗଡ଼ ପକ୍ଷରୁ କୌଣସି ଗୁରୁତ୍ବ ଦିଆଯାଇନଥିବାବେଳେ ଓଡ଼ିଶା ସରକାର ବି ପାଟି ଖୋଲିନାହାନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ମହାନଦୀର ଉପର ମୁଣ୍ଡରେ ବହୁ ବ୍ୟାରେଜ ନିର୍ମାଣ କରିବା ସହିତ ପାଣି ଅଟକାଉଛି ପଡ଼ୋଶୀ ରାଜ୍ୟ ଛତିଶଗଡ଼। ସୁନ୍ଦରଗଡ଼ ଦେଇ ବହି ଯାଉଥିବା ଇବ୍‌ ନଦୀକୁ ମଧ୍ୟ ସମାନ ପଦ୍ଧତିରେ ନିଜ କବ୍‌ଜାକୁ ନେଇଯାଇଛି। ଛତିଶଗଡ଼ର କୁନ୍‌କୁରିରୁ ବାହାରିଥିବା ଇବ୍‌ ନଦୀ ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଠାରେ ମହାନଦୀରେ ମିଶିଛି। ସୁନ୍ଦରଗଡ଼ର ଉପରମୁଣ୍ତ ତେଲିଯୋର ଠାରୁ ଶେଷ ମୁଣ୍ତ ଭଷ୍ମା ଯାଏଁ ୭୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀ କିଛିବର୍ଷ ହେଲା ଶୁଖିଲା ରହୁଛି। ବର୍ଷାଋତୁରେ ଯାହା ପାଣି ରହୁଛି, ଅନ୍ୟ ଦିନମାନଙ୍କରେ ପ୍ରାୟତଃ ଶୁଖିଲା ରହୁଛି। ଉପରମୁଣ୍ଡରେ ଛତିଶଗଡ଼ ସରକାର ବନ୍ଧ ପରେ ବନ୍ଧ ବାନ୍ଧି ଇବ୍‌ ପାଣିକୁ ଅଟକାଇ ରଖିଛି। ୨୦୦୭ ମସିହାରୁ ଛତିଶଗଡ଼ ଜଳସମ୍ପଦ ବିଭାଗ କୁନକୁରି ଠାରୁ ୩୦ କିଲୋମିଟର ଦୂର ଗୁଲ୍ଲୁ ଗାଁ ପାଖ
ଦୁର୍ଗମ ପାହାଡ଼ି ଅଞ୍ଚଳରେ ଗୁଲ୍ଲୁ ଜଳବିଦ୍ୟୁତ ପ୍ରକଳ୍ପର ନିର୍ମାଣ କରିଥିଲା। ଏହାପରେ ଓଡ଼ିଶା ସୀମାରୁ ୨୦ କିଲୋମିଟର ଦୂର କତେବିରା ଠାରେ ୧୫ କୋଟି ଅଟକଳରେ ଏକ ଆନିକଟ ନିର୍ମାଣ କରିଛି। ଇବ୍‌ ନଦୀରେ ଛତିଶଗଡ଼ର ବନ୍ଧ ସମ୍ପର୍କରେ ରାଜ୍ୟ ସରକାର ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ରାଜ୍ୟ ସରକାରଙ୍କ ଏହି ଉଦାସୀନତାର ସୁଯୋଗ ନେଇ ଛତିଶଗଡ଼ ଇବନଦୀରେ ଆଉ ଗୋଟେ, ଯୋଡ଼େ ବ୍ୟାରେଜ ତିଆରି କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଅନ୍ୟପଟେ ସୀମାନ୍ତ ହେମଗିର ବ୍ଲକ୍‌ସ୍ଥିତ ଗର୍ଜନପାହାଡ଼-ଧନୁବାଉଁଶ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ପଡୋଶୀ ଛତିଶଗଡ଼ ରାଜ୍ୟ ରାଏଗଡ଼ ଜିଲ୍ଲା ଜାମଗାଁରେ ମେସର୍ସ ଏମ୍‌ଏସ୍‌ପି ଷ୍ଟିଲ୍‌ ଓ ପାୱାର ପ୍ଳାଣ୍ଟର ବଡ଼ଧରଣର ସଂପ୍ରସାରଣ ଓ ନୂତନ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି ଏହି ପଡ଼ୋଶୀ ରାଜ୍ୟ।
ଏହି ସଂପ୍ରସାରଣ ଓ ନୂତନ ନିର୍ମାଣ ଯୋଗୁଁ କେବଳ ଛତିଶଗଡ଼ ନୁହେଁ, ହେମଗିର ବ୍ଳକର ଜୁଲୁମବାହାଲ ଗ୍ରାମପଞ୍ଚାୟତର ବେହେରାମୁଣ୍ଡା, ବଡରାମ୍ପିଆ, ଚିଟକିଖାଡୁ, ଲିପସପାଲି, ନାକାଡେରା ଗାଁ, ସମେତ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକର ଅତାବିରା ଗ୍ରାମପଞ୍ଚାୟତର କଟାପାଲି, ଭୋନ୍ଦୁପାଲି, କୁମର, ଅତାବିରା ଗାଁ ଗୁଡ଼ିକ ପ୍ରଭାବିତ ହେବେ। ଆଉ ଏକ ଚିନ୍ତାଜନକ ବିଷୟ ହେଲା, ଏଥିରେ ଏକମାତ୍ର ବିରଳ କଳାବାଘ ସମେତ ଏକାଧିକ ବିରଳ ବନ୍ୟଜନ୍ତୁ ଓ ବୃକ୍ଷରାଜିର ପ୍ରାକୃତିକ ଆଶ୍ରୟସ୍ଥଳୀ ଗର୍ଜନପାହାଡ- ଧନୁବାଉଁଶ ସଂରକ୍ଷିତ ଜଙ୍ଗଲ ମଧ୍ୟ ବହୁ ବହୁ ଭାଗରେ ପ୍ରଭାବିତ ହେବ।
କିନ୍ତୁ, ଆଶ୍ଚର୍ଯ୍ୟଜନକ ଭାବେ ପରିବେଶ ଜନଶୁଣାଣିରେ ପ୍ରଭାବିତ ଓଡ଼ିଶା ଗାଁଗୁଡ଼ିକୁ ବାଦ୍‌ ଦିଆଯାଇଛି। ଯାହାକୁ ନେଇ ହେମଗିରର ପରିବେଶ କର୍ମୀ ରାଜେନ୍ଦ୍ର ନାଏକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି , ‘ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ୯ ଟି ଗାଁ ସହ କାରଖାନାର ଅତି ନିକଟତର ଥିବା ଏକମାତ୍ର ବିରଳ କଳାବାଘର ସୁରକ୍ଷିତ ବାସସ୍ଥଳୀ ଗର୍ଜନପାହାଡ଼- ଧନୁବାଉଁଶ ସଂରକ୍ଷିତ ଜଙ୍ଗଲକୁ ଜାଣିଶୁଣି ବାଦ୍ ଦେବା ଆଗାମୀ ଦିନରେ ପରିବେଶୀୟ ସନ୍ତୁଳନ ପ୍ରତି ଅଧିକ ବିପଦ ସୃଷ୍ଟି କରିବ।’ , ଇତିମଧ୍ୟରେ ଜନଶୁଣାଣିକୁ ଛତିଶଗଡ଼ ସରକାର ସ୍ଥଗିତ ରଖିଛନ୍ତି।
ତେବେ, ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଅଞ୍ଚଳରେ ଏନ୍‌ଟିପିସିର ୧୬ ଶହ ମେଗାୱାଟ ଲାରା ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ ୨୦୧୨ରେ ଜନଶୁଣାଣି ହୋଇଥିଲେ ମଧ୍ୟ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ୍‌ର କନକତୋରା, ବାଦିମାଲ, ପିଥିଣ୍ଡା, ଚାରପାଲି, ରେମତା, କଣ୍ଡେଇକେଲା ପଞ୍ଚାୟତକୁ ବାଦ୍‌ ଦିଆଯାଇଥିଲା। ଯାହାର କୁପ୍ରଭାବ ଏ ଅଞ୍ଚଳବାସୀ ଭୋଗି ଚାଲିଛନ୍ତି। ଓଡ଼ିଶା ସରକାର ନ ଚେତିଲେ ଏସବୁ ସୀମାନ୍ତରେ ଥିବା ଓଡ଼ିଆ ଆଗକୁ ଅଧିକ ତଳିତଳାନ୍ତ ହେବା ଆଶଙ୍କା ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର