ଲଙ୍କାଗଛ ଭାଙ୍ଗିଦେଲା ବୋଲି ଅଢ଼େଇ ବର୍ଷର ଶିଶୁକୁ ଟେକି ଫୋପାଡ଼ି ଦେଲେ ପଡ଼ୋଶୀ

ଜଳେଶ୍ବର: ଜଳେଶ୍ବର ଥାନା ନାମ୍ପୋ ଫାଣ୍ଡି ଅଧୀନସ୍ଥ ଝାଡ଼ପିପଳ ଗ୍ରାମରେ ଅଭାବନୀୟ ଘଟଣା। ଅଢ଼େଇ ବର୍ଷର ଶିଶୁପୁତ୍ର ପଡ଼ୋଶୀଙ୍କର ଲଙ୍କାଗଛ ଭାଙ୍ଗି ଦେଲା ବୋଲି ତାକୁ ଟେକି ଫୋପାଡ଼ି ଦେବା ସହିତ ତାର ଜେଜେବାପାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଗ୍ରାମର ସୃଷ୍ଟିଧର ଦଳାଇଙ୍କ ପତ୍ନୀ ବାସନ୍ତୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଅଢ଼େଇ ବର୍ଷର ନାତି ପଡ଼ୋଶୀ ସନ୍ତୋଷ ଦଳାଇଙ୍କ ଘରକୁ ଯିବା ସହ ସେଠାରେ ଥିବା ଗୋଟିଏ ଲଙ୍କାଗଛ ଭାଙ୍ଗି ଦେଇଥିଲା। ଏହି ଘଟଣାରେ ସନ୍ତୋଷ ପ୍ରତିକ୍ରିୟାଶୀଳ ହୋଇ ଅଶ୍ରାବ୍ୟ ଭାଷାରେ ବାସନ୍ତୀଙ୍କ ପରିବାରକୁ ଗାଳିଗୁଲଜ କରିବା ସହ ଛୁଆଟିକୁ ଟେକି ଫୋପାଡ଼ି ଦେଇଥିଲେ। ବାସନ୍ତୀ, ସୃଷ୍ଟିଧର ଓ ତାଙ୍କ ପୁତ୍ରବଧୂ ଛୁଆକୁ ଉଦ୍ଧାର କରିବାକୁ ସେଠାକୁ ଯିବାରୁ ସନ୍ତୋଷ ଏକ ମାରଣାସ୍ତ୍ରରେ ସୃଷ୍ଟିଧରଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସୃଷ୍ଟିଧର ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲ ଓ ସେଠାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ସେହିପରି ସୃଷ୍ଟିଧରଙ୍କ ପୁତ୍ରବଧୂଙ୍କୁ ମଧ୍ୟ ସନ୍ତୋଷ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ସନ୍ତୋଷ ଓ ତାଙ୍କ ପରିବାରର ଅନ୍ୟମାନଙ୍କ ବିରୋଧରେ ବାସନ୍ତୀ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର