ଝାରସୁଗୁଡ଼ା: ‘ନା ମୁଁ ଭଲ ପୁଅ ହେଇପାରିଲି, ନା ଭଲ ଭାଇ, ନା ଭଲ ମାମୁ, ନା ଭଲ ସାଙ୍ଗ। ଜୀବନରେ ଗୋଟିଏ ଭୁଲ ଯୋଗୁ ଜୀବନ ହରେଇବାକୁ ବାଧ୍ୟ ହେଉଛି। କଲର୍‌ ଟ୍ରେଡିଂ ଆପ୍‌ରେ ସବୁ ପଇସା ହରେଇବସିଲି। ୨୦-୨୫ ଲକ୍ଷର ଲୋନ୍‌ ବି କରିଦେଇଥିଲି, ଏଥିରୁ ଓଭରକମ୍‌ କରିବା ପାଇଁ। କିନ୍ତୁ ସଫଳ ହୋଇପାରିଲିନି। ଏତେ ବଡ଼ ଭୁଲ ମୋ’ ଦ୍ବାରା କେମିତି ହୋଇଗଲା, ଜାଣି ହେଲାନି। ଲୋନ୍‌ ଆମାଉଣ୍ଟର ପ୍ରେସର ସହିଲା ଭଳି ମୋ’ ପାଖରେ ସାହସ ନାହିଁ। ‌ଶେଷ ନିଶ୍ବାସ ଯାଏ ବହୁତ ଚେଷ୍ଟା କଲି। ଆଉ ଲେଟ୍‌ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ ମୋ’ ପାଇଁ। ଯେତେ ବି ଲୋନ୍‌ କରିଛି ସବୁତକ ପର୍ସନାଲ ଲୋନ୍‌। କୌଣସି ବନ୍ଧକ ଋଣ ନାହିଁ କି କେହି ଗ୍ୟାରେଣ୍ଟର ନାହାନ୍ତି। କାହାର କିଛି ଅସୁବିଧା ହେବନି। ଲୋନ୍‌ ମ୍ୟାଟରରେ, ଏତିକି ଭରସା ଦେଇଯାଉଛି। ସର୍ବଶେଷରେ ଏତିକି ଅନୁରୋଧ ମୋତେ କ୍ଷମା କରିଦେବେ, ମୋ’ ଭୁଲ ପାଇଁ ମୁଁ ହିଁ ଦାୟୀ’। 

Advertisment

ଟ୍ରେଡିଂ ଆପ୍ ନେଲା ଆଉ ଏକ ଜୀବନ
ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ କେନ୍ଦ୍ରାପଡ଼ାର ଅଚ୍ୟୁତାନନ୍ଦ
ସପ୍ତାହେ ପରେ ହୋଇଥାନ୍ତା ବିବାହ

ଜୀବନ ହାରିବା ପୂର୍ବରୁ ପରିବାର, ସାଙ୍ଗସାଥୀଙ୍କ ଉଦ୍ଦେଶ୍ୟରେ ଏମିତି ବେଦନାଭରା ସୁଇସାଇଡ୍‌ ନୋଟ୍‌ ଛାଡ଼ିଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ (୩୧)। ଟ୍ରେଡିଂ ଆପ୍‌ରେ ଲକ୍ଷାଧିକ ଟଙ୍କା ହରାଇବା ପରେ ଅଚ୍ୟୁତାନନ୍ଦ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଆର୍‌ପି ଥାନା ଅନ୍ତର୍ଗତ ବାଲିଜୁରୀରେ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆସନ୍ତା ୧୭ ତାରିଖରେ ଅଚ୍ୟୁତାନନ୍ଦଙ୍କ ବିବାହ ସ୍ଥିର ହୋଇଥିଲା। ଏହାର ସପ୍ତାହେ ପୂର୍ବରୁ ତାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି। ସୂଚନା ଅନୁସାରେ, ଅଚ୍ୟୁତାନନ୍ଦ ଝାରସୁଗୁଡ଼ା ସହରର ଏକ ହୋଟେଲରେ ମୁଖ୍ୟ କ୍ୟାସ୍‌ ପରିଚାଳକ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ଅପରାହ୍ଣ ୪ଟାରେ ତାଙ୍କ ଡ୍ୟୁଟି ଶେଷ ହୋଇଥିଲା। ଏହା ପରେ ସେ ହୋଟେଲରୁ ବାହାରି ଯାଇଥିଲେ। କିଛି ସମୟ ପରେ ସେ ତାଙ୍କ ଘରକୁ ଏକ ଲମ୍ବା ସୁଇସାଇଡ୍‌ ନୋଟ୍‌ ହ୍ବାଟସ୍‌ଆପ୍‌ ଯୋଗେ ପଠାଇଥିଲେ। ଯେଉଁଥିରେ ସେ ଟେଡ୍ରିଂ ଆପ୍‌ରେ ଟଙ୍କା ହରାଇଥିବା କାରଣରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଉଲ୍ଲେଖ କରିଥିଲେ। ଉକ୍ତ ମେସେଜ୍‌ ପରେ ପରିବାର ଲୋକେ ହୋଟେଲ କର୍ତ୍ତୃପକ୍ଷଙ୍କୁ ରାତି ୯ଟାରେ ଯୋଗାଯୋଗ କରିଥିଲେ। ଝାରସୁଗୁଡ଼ା ପୁଲିସ୍‌ ଅଚ୍ୟୁତାନନ୍ଦଙ୍କ ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରି ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ସେତେବେଳକୁ ସବୁ କିଛି ସରି ସାରିଥିଲା। ଅଚ୍ୟୁତାନନ୍ଦ କୌଣସି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରି ସାରିଥିବା ବେଳେ ତାଙ୍କ କ୍ଷତବିକ୍ଷତ ମୃତଦେହ ରେଳଧାରଣାରେ ପଡ଼ିଥିଲା। ଶବ ବ୍ୟବଚ୍ଛେଦ ପରେ ଆଜି ଅଚ୍ୟୁତାନନ୍ଦଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି।