ମନ୍ତ୍ରୀ ପଦ ସମ୍ଭାଳିବେ ନା ଜିଲ୍ଲା ସଂଗଠନ: ବିଶ୍ବେଶ୍ବରଙ୍କ ଆଗରେ ବଡ଼ ଆହ୍ବାନ

ବାରିପଦା: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜନଜାତି ଓ ଜଳଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ନିଜ ସଂସଦୀୟ କ୍ଷେତ୍ରକୁ ଆସିଛନ୍ତି ମୟୂରଭଞ୍ଜ ସାଂସଦ ଇଂ. ବିଶ୍ବେଶ୍ବର ଟୁଡ଼ୁ। ହେଲେ ସେ ଏମିତି ସମୟରେ ଫେରିଛନ୍ତି, ଯେତେବେଳେ ମୟୂରଭଞ୍ଜର ରାଜନୈତିକ ବାତାବରଣ ସମ୍ପୂର୍ଣ୍ଣ ଗୋଳିଆ । ତାଙ୍କ ଦଳ ବିଜେପି ଏବେ ନେତୃତ୍ବ ସଙ୍କଟ ପାଇଁ ଜିଲ୍ଲାରେ ଭାଗଭାଗ ହେବାକୁ ବସିଛି। ଏଭଳି ପରିସ୍ଥିତିରେ ବିଶେଶ୍ବର ଦଳ ସଜାଡ଼ିବେ ନା ନିଜ ବିଭାଗ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ମୟୂରଭଞ୍ଜରେ ମିଳିଥିଲା ବିପୁଳ ସଫଳତା। ମୋଟ୍‌ ୯ରୁ ୭ଟି ବିଧାନସଭା ଆସନ ଓ ସାଂସଦ ପଦ ହାତେଇ ଏକପ୍ରକାର ମୟୂରଭଞ୍ଜ ଗଡ଼କୁ ଦଖଲ କରିନେଇଥିଲା ବିଜେପି। ହେଲେ ଗଲା ୨ ମାସ ଭିତରେ ଅନ୍ତଃକନ୍ଦଳ ଦଳ ପାଇଁ ବୁମେରାଂ ସାଜିଛି। ବିଜେପିରୁ ନିର୍ବାଚିତ ହୋଇଥିବା ୧୫ ଜିଲ୍ଲା ପରିଷଦ ସଦସ୍ୟ ଦଳରୁ ଇସ୍ତଫା ଦେଇ ସାରିଛନ୍ତି। ଯଦିଓ ପରେ ଦଳକୁ ୫ ଜଣ ପ୍ରତ୍ୟାବର୍ତ୍ତନ କରିଛନ୍ତି, ତେବେ ଜୋରଜବରଦସ୍ତ ସେମାନଙ୍କୁ ଦଳକୁ ଫେରାଇ ନିଆଯାଇଥିବା ସେମାନଙ୍କ ଭିତରୁ କିଛି ସଦସ୍ୟ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସେମାନେ ଲେଖିଥିବା ଇସ୍ତଫାପତ୍ରରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀଙ୍କ ସହିତ ଜିଲ୍ଲାର ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ସମ୍ପର୍କ ଭଲ ନଥିବା ଖୋଲାଖୋଲି ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲା ବିଜେପିର ମଙ୍ଗ କିଏ ଧରିବ, କାହା ନେତୃତ୍ବରେ ଦଳ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ, ସେ ନେଇ କାର୍ଯ୍ୟକର୍ତ୍ତାମାନେ ସଂଶୟରେ ଅଛନ୍ତି।

ଯେହେତୁ ବିଶ୍ବେଶ୍ବରଙ୍କୁ ଦଳ କେନ୍ଦ୍ରମନ୍ତ୍ରୀ ଆସନରେ ବସାଇଛି, ସ୍ବାଭାବିକ ଭାବେ ସେ ହିଁ ଜିଲ୍ଲାରେ ଦଳର ପୋଷ୍ଟର ବୟ ସାଜିବେ। ମାତ୍ର ସାଂସଦଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାରେ ଦଳ ମଜବୁତ ହେବା ପରିବର୍ତ୍ତେ ଦୁର୍ବଳ ହୋଇଛି। ଯାହାର ଉଦାହରଣ ହେଉଛି ଏତେ ସଂଖ୍ୟକ ଜିଲ୍ଲା ପରିଷଦ ସଦସ୍ୟଙ୍କ ଏକକାଳୀନ ଇସ୍ତଫା। କେନ୍ଦ୍ରମନ୍ତ୍ରୀ ହୋଇ ସୁଦ୍ଧା ଜିଲ୍ଲାରେ ସଂଗଠନକୁ ସଠିକ୍‌ ଢଙ୍ଗରେ ପରିଚାଳନା କରିନପାରି ପଡ଼ୋଶୀ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ପ୍ରତାପ ଷଡ଼ଙ୍ଗୀ ଯେଉଁ ଦଶା ଭୋଗିଲେ ତାହା ସମସ୍ତଙ୍କୁ ଜଣା। ତେଣୁ ବିଶ୍ବେଶ୍ବରଙ୍କ ପାଇଁ ଏକସଙ୍ଗେ ମନ୍ତ୍ରୀପଦ ସମ୍ଭାଳିବା ଓ ଜିଲ୍ଲାରେ ସଂଗଠନ ସଜାଡ଼ିବା ଏତେ ସହଜ ହେବନି ବୋଲି ଚର୍ଚ୍ଚା ହେଉଛି।
ଏହି ସମୟରେ ମାତ୍ର ୨ ଜଣ ବିଧାୟକଙ୍କୁ ନେଇ ବିଜେଡି ସଂଗଠନ ସମ୍ପାଦକ ବବି ଦାସ ମୟୂରଭଞ୍ଜରେ ବିଜେପିକୁ ଯେଉଁଭଳି ଭାବେ ଚ୍ୟାଲେଞ୍ଜ୍‌ ଦେଉଛନ୍ତି ତାର ମୁକାବିଲା କରିବା ବିଶ୍ବେଶ୍ବରଙ୍କ ପକ୍ଷେ ଆଦୌ ସହଜ ହେବନି ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଲେଣି। ବେଳ ଥାଉ ଥାଉ ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ବିଶାଳ ସଂଗଠନକୁ ଯଦି ବିଶ୍ବେଶ୍ବର ସଜାଡ଼ି ପାରିବେ, ତେବେ ସାଧାରଣ ନିର୍ବାଚନ ପରି ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପି ନିଜ ପୂର୍ବ ସଫଳତାକୁ ଦୋହରାଇ ପାରିବ, ଏହା ନିଃସନ୍ଦେହରେ କୁହାଯାଇ ପାରେ।

ସମ୍ବନ୍ଧିତ ଖବର