ଭୁବନେଶ୍ବର : ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଓ ଟେକ୍ନୋଲୋଜିର ଯୁଗ। ଭାରତରେ ଉପଲବ୍ଧ ଥିବା ଜ୍ଞାନର ଭଣ୍ଡାର, ସୃଜନଶୀଳ ସମ୍ବଳ, ସୁଦୃଢ଼ ବଜାର ମାଧ୍ୟମରେ ଏକବିଂଶ ଶତାବ୍ଦୀରେ ସବୁ କ୍ଷମତାକୁ ଉପଯୋଗ କରି ଭାରତ ବ୍ୟାପକ ପରିବର୍ତ୍ତନର ସାରଥୀ ହେବ। ଏହି ଶତାବ୍ଦୀରେ ଭାରତ ବିଶ୍ୱ ଆକାଂକ୍ଷାକୁ ପୂରଣ କରିବ। ଅଟୋମେସନ, ମେକାନାଇଜେସନ, ଡିଜିଟାଇଜେସନ ଓ ଟେକ୍ନୋଲୋଜି କାର୍ଯ୍ୟ କରିବାର ପୁରୁଣା ପଦ୍ଧତିକୁ ପରିବର୍ତ୍ତନ କରୁଛି। ନୂଆ ନୂଆ ଚାକିରି ସୁଯୋଗ ସୃଷ୍ଟି କରୁଛି। ଏହାର ଅର୍ଥ ହେଉଛି ଆମକୁ ସବୁବେଳେ ସ୍କିଲ୍, ରି-ସ୍କିଲ୍ ଓ ଅପ-ସ୍କିଲ୍ର ଆବଶ୍ୟକତା ରହିଛି। କୋ-ୱିନ୍ ଆପ୍ରେ ଟିକାକରଣ ହେଉ କି ୟୁପିଆଇ ପେମେଣ୍ଟ ଭାରତର ଡିଜିଟାଲ କ୍ଷମତାର ଶକ୍ତିକୁ ଦର୍ଶାଉଛି। ନୂତନ ଜାତୀୟ ଶିକ୍ଷା ନୀତି(ଏନ୍ଇପି) ଏକ ଦସ୍ତାବିଜ ନୁହେଁ, ବରଂ ବିଶ୍ୱ କଲ୍ୟାଣର ରୋଡମ୍ୟାପ୍।
ଜି-୨୦ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ ଉଦ୍ଘାଟିତ
ଆଇଏମଏମଟି ପରିସରରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ଅବସରରେ ଆୟୋଜିତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’କୁ ଉଦ୍ଘାଟନ କରି ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୪୭ ସୁଦ୍ଧା ବିଶ୍ୱର ଯୁବବର୍ଗଙ୍କ ସଂଖ୍ୟାରେ ୨୫% ଯୁବବର୍ଗ ଭାରତର ରହିବ। ତେଣୁ ଆସନ୍ତା ୨୫ ବର୍ଷର ଅମୃତ କାଳରେ ଡିଗ୍ରି ନୁହେଁ ଦକ୍ଷତା ଓ ସାମର୍ଥ୍ୟ ହିଁ ଗୁରୁତ୍ୱ ବହନ କରିବ। ତେଣୁ ଏହି ସମୟରେ ଆଗାମୀ ଦିନର କାର୍ଯ୍ୟଶୈଳୀର ରୂପରେଖ
ଅନୁସାରେ ଦେଶର ଯୁବ ସମ୍ବଳ ପ୍ରସ୍ତୁତ କରିବାକୁ ହେବ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ଜି-୨୦ର ପ୍ରେସିଡେନ୍ସି କରୁଛି। ‘ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ’ ବିଷୟବସ୍ତୁ ସହ ଭାରତ ବିଶ୍ୱ କଲ୍ୟାଣରେ ବ୍ରତୀ ହୋଇଛି। ବସୁଧୈବ କୁଟୁମ୍ବକମ୍ ଆମର ମୂଳ ମନ୍ତ୍ର ରହି ଆସିଛି।
ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଅତୁଲ କୁମାର ତିୱାରି ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଜି-୨୦ ଜନଭାଗିଦାରୀରେ ଓଡ଼ିଶାବାସୀଙ୍କ ଯୋଗଦାନ ଉତ୍ସାହପୂର୍ଣ୍ଣ। ମାସେବ୍ୟାପୀ ଚାଲିଥିବା ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ୧ ଲକ୍ଷ ଯୁବକ ଯୁବତୀଙ୍କ ଅଂଶଗ୍ରହଣ ପ୍ରଶଂସନୀୟ। ଭାରତ ବିଶ୍ବର ‘ସ୍କିଲ୍ କ୍ୟାପିଟାଲ’ ହେବା ପାଇଁ ସମସ୍ତ ପ୍ରକାର ଦକ୍ଷତା ରହିଥିବା ସେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତୁଲ୍ କେଶପ୍, ଚନ୍ଦ୍ରଜିତ୍ ବାନାର୍ଜୀ, ବିପିନ୍ ସୋଧି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଳ୍ପସମୂହ, ଶିକ୍ଷାନୁଷ୍ଠାନ, ଷ୍ଟର୍ଟଅପ୍ ପରିସଂସ୍ଥାନ ଓ ଅଂଶୀଦାରମାନେ ଜି-୨୦ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ଫ୍ରେମଓ୍ୱାର୍କରେ ସାମିଲ ହୋଇ ଭାରତକୁ ବିଶ୍ୱ ମାନବ ସମ୍ବଳର ପେଣ୍ଠସ୍ଥଳୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀରେ ଶିକ୍ଷା, ସ୍ୱାସ୍ଥ୍ୟ, ମୋବିଲିଟି, ମେଟାଭର୍ସ, ରିଭର୍ସ ଇଞ୍ଜିନିୟରିଂ, ଡ୍ରୋନ ଟେକ୍ନୋଲୋଜି ସହ ହସ୍ତତନ୍ତ, ଓଡ଼ିଆ ଭାସ୍କର୍ଯ୍ୟ, କଳା ସଂସ୍କୃତି, ପାଶ୍ଚାତ୍ୟ ପଢ଼ାଶୈଳୀକୁ ନେଇ ବିଭିନ୍ନ ସାମଗ୍ରୀ ସାମିଲ ହୋଇଥିଲା।