ଭୁବନେଶ୍ୱରରେ ନେପାଳ ନରେଶ, କାଲି ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ଯିବେ ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉମାନଙ୍କୁ କରିବେ ପୂଜାର୍ଚ୍ଚନା

ଭୁବନେଶ୍ୱର/ପୁରୀ: ନେପାଳର ରାଜା ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହ ବୁଧବାର ୬ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଏଥି ପାଇଁ ବିମାନ ବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରାଜା ଜ୍ଞାନେନ୍ଦ୍ର ଆଗାମୀ ଫେବ୍ରୁଆରି ୧୨ ପର୍ଯ୍ୟନ୍ତ ରହିବାକୁ ଥିବାରୁ ତାଙ୍କୁ ରାଜ୍ୟ ସରକାର ଅତିଥି ଭାବରେ ଘୋଷଣା କରିଛନ୍ତି।

ପ୍ରାଚୀନ କାଳରୁ ଶ୍ରୀମନ୍ଦିର ସହ ନେପାଳର ଘନିଷ୍ଠ ସମ୍ପର୍କ

ମାଦଳାପାଞ୍ଜିରୁ ମିଳିଥିବା ତଥ୍ୟ ଅନୁସାରେ ଶ୍ରୀମନ୍ଦିର ସଂସ୍କୃତି ସହିତ ନେପାଳ ରାଜାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ଶ୍ରୀମନ୍ଦିର ଭିତରକୁ ବିଦେଶୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ବଡ଼ କଟକଣା ଥିବା ସତ୍ତ୍ୱେ ନେପାଳ ରାଜା ଶ୍ରୀମନ୍ଦିରର ରତ୍ନ ସିଂହାସନକୁ ଚଢ଼ି ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରିବାର ଅଧିକାର ପାଇଛନ୍ତି। ନେପାଳର କସ୍ତୁରୀ ବିଶ୍ୱ ପ୍ରସିଦ୍ଧି ଲାଭ କରିଛି। ଏଠାରୁ ଶ୍ରୀଜିଉମାନଙ୍କ ଶୃଙ୍ଗାର ପାଇଁ ନେପାଳର ରାଜବଂଶ ଯୋଗାଇ ଥାଆନ୍ତି। କେବଳ ସେତିକ ନୁହେଁ ନେପାଳର ରାଜା ଶ୍ରୀମନ୍ଦିର ପାଇଁ ଧନ, ସମ୍ପତ୍ତି ସହଯୋଗ କରି ଆସୁଛନ୍ତି। ସୂର୍ଯ୍ୟବଂଶୀ ରାଜା ହୋଇଥିବାରୁ ପୁରୀ ଗଜପତିଙ୍କ ସହିତ ବୈବାହିକ ସମ୍ପର୍କ ସ୍ଥାପନ କରି ପାରିଛନ୍ତି।

ନେପାଳ ନରେଶଙ୍କୁ ଗଜପତିଙ୍କ ଅଧିକାର
ନେପାଳର ରାଜାଙ୍କୁ ଶ୍ରୀମନ୍ଦିରରେ ଗଜପତିଙ୍କ ଅଧିକାର ଦିଆଯାଇଛି। ଏହାରି ପଛରେ ଅନେକ କାରଣ ରହିଛି। କାରଣ ନେପାଳ ରାଜାମାନେ ଅତୀତରେ ଶ୍ରୀମନ୍ଦିରକୁ ଅନେକ ଶାଳଗ୍ରାମ ଦେଇଥିଲେ। ରାଜା ଜ୍ଞାନେନ୍ଦ୍ର ଏକ ସ୍ୱତନ୍ତ୍ର ନୀତି ଅନୁସାରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ। ପୁରୀ ଗଜପତି ରାଜା ଯେମିତି ଦର୍ଶନ କରଥାନ୍ତି, ନେପାଳର ରାଜା ମଧ୍ୟ ସେମିତି ଦର୍ଶନ କରିବେ। ଏହା ପୂର୍ବରୁ ରାଜା ଜ୍ଞାନେନ୍ଦ୍ର ୨୦୦୩ରେ ପୁରୀ ଆସିଥିଲେ। ସେହିଭଳି ତାଙ୍କର ବଡ଼ଭାଇ ୧୯୯୩ରେ ଆସିଥିବା ବେଳେ ୧୯୬୫ରେ ତାଙ୍କର ପିତା ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।

ରାଜା ଜ୍ଞାନେନ୍ଦ୍ର ଜଟଣୀର ରଥୀପୁରରେ ଗତ ଫେବ୍ରୁଆରି ୪ରୁ ଆରମ୍ଭ ହୋଇଥିବା ଗୋ-ବିଶ୍ୱଶାନ୍ତି ଯଜ୍ଞରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ସେ ଗୁରୁବାର ସକାଳୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ଶ୍ରୀକ୍ଷେତ୍ର ଭ୍ରମଣରେ ଯିବେ। ପୁରୀରେ ଏକ ସ୍ୱତନ୍ତ୍ର ନୀତି ଅନୁସାରେ ରାଜା ପୂଜା କରିବେ। ପୂଜା ସମୟରେ ବେଢ଼ା ଭିତରେ ଥିବା ସମସ୍ତ ମନ୍ଦିରରେ ତାଲା ପଡ଼ିବ। ମନ୍ଦିର ଭିତରେ ନେପାଳର ପାରମ୍ପରିକ ବେଶରେ ସେ ପୁରୀ ଗଜପତି ମହାରାଜଙ୍କ ଭଳି ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବା ସହିତ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହି ସମୟରେ ସାଧାରଣ ଦର୍ଶକ ଓ ସେବାୟତମାନେ ମଧ୍ୟ ମନ୍ଦିର ପରିସରରେ ରହି ପାରିବେ ନାହିଁ। ନେପାଳ ନରେଶଙ୍କ ପୁରୀ ଗସ୍ତକୁ ନଜରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର