ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ ନେପାଳ ନରେଶ

ପୁରୀ: ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ ଶ୍ରୀମନ୍ଦିର ରତ୍ନ ସିଂହାସନରେ ରବିବାର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ରତ୍ନ ସିଂହାସନରେ ସେ ସଂକଳ୍ପ କରିବା ସହ ତର୍ପଣ କରିଛନ୍ତି। ଶାଳଗ୍ରାମ ଓ ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରିଛନ୍ତି।  ଏହା ସହିତ ସ୍ୱତନ୍ତ୍ର ଆଳତି କରିଛନ୍ତି।

ଦକ୍ଷିଣଦ୍ଵାରରେ ପୂର୍ବାହ୍ନ ୧୧ଟା ବେଳେ ନରେଶଙ୍କ ପହଞ୍ଚି ଥିଲେ। ସେଠାରେ ତାଙ୍କୁ ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ନେପାଳ ପଣ୍ଡା(ସର୍ବାଧିକ ୪) ସ୍ୱାଗତ କରିଥିଲେ। ଗଜପତି ମହାରାଜା ପୂର୍ବରୁ ଯାଇ ଜଗମୋହନର ଭିତରକାଠ ନିକଟରେ ପ୍ରତୀକ୍ଷା କରିଥିଲେ। ସେଠାରେ ସେ ନରେଶଙ୍କୁ ସ୍ୱାଗତ କରିଥିଲେ। ପୂର୍ବାହ୍ନ ୧୧ଟା ୧୦ ମିନିଟରେ ନେପାଳ ନରେଶ ବଟ ଗଣେଶଙ୍କ ନିକଟରେ ପହଞ୍ଚି ଥିଲେ। ସେଠାରେ ପୂଜା କରିବା ପରେ ବାଟମଙ୍ଗଳାଙ୍କୁ ଦର୍ଶନ କରିଥିଲେ। ଏହା ପରେ ୧୧ଟା ୨୦ରେ ପଣ୍ଡାଦ୍ଵାର ଦେଇ ନାଟମଣ୍ଡପ ପ୍ରବେଶ କରିଥିଲେ। ସେଠାରେ ଗରୁଡ଼ସ୍ତମ୍ଭ ଦର୍ଶନ କରି ପ୍ରଦକ୍ଷିଣ କରିବା ପରେ ଜଗମୋହନ ଜୟବିଜୟ ଦ୍ଵାର ଦେଇ ଭିତରକାଠ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଗଜପତି ମହାରାଜା ତାଙ୍କୁ ଗର୍ଭଗୃହକୁ ପାଛୋଟି ନେଇଥିଲେ। ତାଙ୍କ ସହିତ ୪ ନେପାଳ ପଣ୍ଡା, ସ୍ୱୀକୃତିପ୍ରାପ୍ତ ଅଧିକାରୀ, ଲାଲମୋହରିଆ ପଣ୍ଡା ଗର୍ଭଗୃହରେ ପ୍ରବେଶ କରିଥିଲେ।

ନରେଶ ରତ୍ନ ସିଂହାସନ ଚଢ଼ିବା ପରେ ଲାଲ ମୋହରିଆ ପଣ୍ଡା ତାଙ୍କୁ ସମସ୍ତ ପ୍ରକାରର ପୂଜା ସାମଗ୍ରୀ ବଢ଼ାଇ ଥିଲେ। ସେଠାରେ ସମସ୍ତ ପୂଜା ସହ ନୈବେଦ୍ୟ ଅର୍ପଣ ପରେ ନରେଶ ୧୨ଟା ବେଳେ ପ୍ରତ୍ୟାବର୍ତ୍ତନ କରିଥିଲେ।  ସେଠାରୁ ଫେରି ନୃସିଂହ ମନ୍ଦିର ଦର୍ଶନ କରିଥିଲେ।  ମା’ ବିମଳା ମନ୍ଦିରରେ ସେ ମଧ୍ୟ ପୂଜା କରିଥିଲେ।  ଏହା ପରେ ମା’ ଲକ୍ଷ୍ମୀ ମନ୍ଦିରରେ ପୂଜା ଅର୍ପଣ କରିଥିଲେ।  ଅପରାହ୍ନ ୧୨ଟା ୧୫ ମିନିଟରେ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ଶେଷରେ ସେ ପୁଣି ଥରେ ବଟ ଗଣେଶଙ୍କ ନିକଟରେ ଦର୍ଶନ ସାରି ଦକ୍ଷିଣଦ୍ଵାର ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧିତ ଖବର