ନିଜକୁ ଜାଣିଲେ ବିଶ୍ୱକୁ ଜାଣିବ: ରାଜା ଜ୍ଞାନେନ୍ଦ୍ର

ପୁରୀ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକର ୨୫ବର୍ଷ ପୂର୍ତ୍ତିି ସମାରୋହ

ପୁରୀ : ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ରଜତ ଜୟନ୍ତୀ ସମାରୋହ ଆରମ୍ଭ ହୋଇଛି। ଏହି ଅବସରରେ ଗୋବର୍ଦ୍ଧନ ପୀଠରେ ଆୟୋଜିତ ଦୁଇଦିନିଆ ଅନ୍ତରାଷ୍ଟ୍ରୀୟ ବିଦ୍ଵତ ସଂଗୋଷ୍ଠୀକୁ ନେପାଳ ରାଜା ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଶ୍ରୀଜଗନ୍ନାଥ-ଗୋରଖନାଥ-ପଶୁପତିନାଥଙ୍କ ସମ୍ପର୍କ ବର୍ଣ୍ଣନା କରିବା ସହ ସନାତନ ଧର୍ମ ହିଁ ସବୁ ଧର୍ମ ଠାରୁ ଶ୍ରେଷ୍ଠ ବୋଲି କହିଥିଲେ। ସେ କହିଥିଲେ, ଜଗଦ୍‌ଗୁରୁଙ୍କ ଦ୍ଵାରା ନେପାଳ-ଶ୍ରୀକ୍ଷେତ୍ର ସମ୍ପର୍କ ରକ୍ଷା ସମ୍ଭବ ହୋଇଛି। ସନାତନ ଧର୍ମ ଆମକୁ ଶିକ୍ଷା ଦେଉଛି ଯେ ନିଜକୁ ଜାଣ, ନିଜକୁ ଜାଣିଲେ ବିଶ୍ୱକୁ ଜାଣିବା ସମ୍ଭବ ହେବ। ବଞ୍ଚିିବା ଶିଖିବା ପରିବର୍ତ୍ତେ ଆମେ ଅବସ୍ଥିତି ପାଇଁ ଲଢ଼େଇ କରୁଛେ। ବାସ୍ତବରେ ହିନ୍ଦୁ ଧର୍ମ ତାହା ନୁହେଁ। ସନାତନ ବୈଦିକ ଧର୍ମକୁ ପୁଣି ଥରେ ମୂଳ ବାଟକୁ ଆଣିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ଉଦ୍‌ବୋଧନରେ କହିଥିଲେ, ବୈଦିକ ସନାତନ ଧର୍ମର ପ୍ରତିଷ୍ଠା ପାଇଁ ଆଦି ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଜି ପର୍ଯ୍ୟନ୍ତ କଣ ଅବଦାନ ରହିଛି ତାହା ସରକାର ଭୁଲି ଯାଇଛନ୍ତି। ଆଦି ଶଙ୍କରାଚାର୍ଯ୍ୟ ଆସିବା ବେଳେ ରତ୍ନ ସିଂହାସନରେ ଦାରୁ ବିଗ୍ରହ ନଥିଲେ। ସେ ତାଙ୍କୁ ପ୍ରତିଷ୍ଠା କରିଥିଲେ। ଯାହାଙ୍କୁ ନେଇ ଶ୍ରୀକ୍ଷେତ୍ର ବିଶ୍ୱବିଦିତ ତାଙ୍କୁ ପ୍ରତିଷ୍ଠା କରିଥିବା ଶଙ୍କରାଚାର୍ଯ୍ୟ ସରକାରୀ ଷଡ଼ଯନ୍ତ୍ରର ଶିକାର ହୋଇ ତାଙ୍କ ଠାରୁ ଦୂରରେ। ସରକାରଙ୍କୁ ଶୋଧନ କରିବାର ଆବଶ୍ୟକତା ରହିଛି।

ଗଜପତି ମହାରାଜା ଦିବ୍ୟସିଂହ ଦେବ ସମାରୋହ ପରିଚାଳନା କରି କହିଛନ୍ତି, ସନ୍ଥଙ୍କ ଦ୍ଵାରା ଧର୍ମ ପ୍ରତିଷ୍ଠା ସମ୍ଭବ। ଆଜି ସନାତନ ଧର୍ମ ପ୍ରତି ବିପଦ ଆସିଛି। ପୂର୍ବରୁ ପ୍ରାଚୀନ ଭାରତ ସମଗ୍ର ବିଶ୍ୱର ଗୁରୁ ଥିବା ବେଳେ ଆଜି ଆଧୁନିକ ଭାରତ ନେଇ ଅନେକ ପ୍ରଶ୍ନ ଉଠିଛି। ଏଣୁ ପୁଣି ଥରେ ଧର୍ମ ପ୍ରତିଷ୍ଠାର ଆବଶ୍ୟକତା ରହିଛି।

କାର୍ଯ୍ୟକ୍ରମକୁ ମନୋଜ ରଥ ସଞ୍ଚାଳନ କରିଥିବା ବେଳେ ସ୍ୱାମୀ ନିର୍ବିକଳ୍ପାନନ୍ଦ, ପ୍ରଫେସର ହରେକୃଷ୍ଣ ଶତପଥୀ, ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ନେପାଳରୁ ବିଶ୍ୱ ହିନ୍ଦୁ ଫେଡ଼େରେସନର ସଭାପତି ଭାରତ କେଶର ସୁଇଚା, ବରିଷ୍ଠ ଉପସଭାପତି ସମ୍‌ହିତଶାସ୍ତ୍ରୀ ଅର୍ଜୁନ ପ୍ରସାଦ ବାସ୍ତୋଲା, ଉପସଭାପତି ପ୍ରମୋଦ ଛାବରିଆ, ସାଧାରଣ ସମ୍ପାଦିକା ଅସ୍ମିତା ଭଣ୍ଡାରୀ, ନିର୍ବାହୀ ସଦସ୍ୟ ଅମର କେଶର ସୁଇଚା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର