ନେପାଳରେ ବିମାନ ଦୁର୍ଘଟଣା: ଓଡ଼ିଶାର ୪ ସମେତ ୨୨ ନିଖୋଜ

ବିମାନରେ ଭୁବନେଶ୍ବରର ଗୋଟିଏ ପରିବାରର ୪ ଜଣ ଥିଲେ

ଭୁବନେଶ୍ବର/ବଲାଙ୍ଗୀର : ରବିବାର ସକାଳେ ନେପାଳର ପୋଖରାରୁ ୨୨ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କୁ ନେଇ ଯାଉଥିବା ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଭୁବନେଶ୍ବରର ଗୋଟିଏ ପରିବାରର ୪ ଜଣ ଥିବା ଜଣାପଡ଼ିଛି। ବିମାନର ଭଗ୍ନାବଶେଷ ମିଳିଥିବା ବେଳେ ଯାତ୍ରୀମାନଙ୍କର କୌଣସି ପତ୍ତା ମିଳିନାହିଁ।

ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଭୁବନେଶ୍ବରର ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ ତ୍ରିପାଠୀ, ପୁଅ ଧନୁଷ ଓ ଝିଅ ରିତିକା। ଅଶୋକଙ୍କ ଶ୍ବଶୁର ଘର ମୁମ୍ବାଇରେ। ପୁଅ ଓ ଝିଅ ସହ ପତ୍ନୀ ମୁମ୍ବାଇ ବାପ ଘରେ ରହୁଥିଲେ। ଅଶୋକ ଭୁବନେଶ୍ବରରେ ରହି ପିନାକିଲ୍‌ ସଫ୍ଟୱେର ସଂସ୍ଥାରେ କା‌ମ କରୁଥିଲେ। ଅଶୋକ ହେଉଛନ୍ତି ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ସ୍ବର୍ଗତ କୃଷ୍ଣ ପ୍ରସାଦ ତ୍ରିପାଠୀଙ୍କ ପୁଅ। ସେ ସୋନପୁରର ମୂଳବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିଲେ।

ଗତ ୨୬ ତାରିଖ ଦିନ ଅଶୋକଙ୍କ ପରିବାର କାଠମାଣ୍ଡୁ ଗସ୍ତ କରିଥିଲେ। ପତ୍ନୀ, ପୁଅ ଓ ଝିଅ ଗୋଟିଏ ଫ୍ଲାଇଟରେ କାଠମାଣ୍ଡୁ ପହଞ୍ଚିଥିଲେ। ଅଶୋକ ଅନ୍ୟ ଏକ ଫ୍ଲାଇଟରେ କାଠମାଣ୍ଡୁ ଯାଇଥିଲେ। ଅଶୋକ ତାଙ୍କ ପରିବାର ସହ ଆସନ୍ତା ୬ ତାରିଖ ଫେରିବାର କାର୍ଯ୍ୟକ୍ରମ ରଖିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ନେପାଳରେ ଶୁକ୍ର ଓ ଶନିବାର ବୁଲିବା ପରେ ରବିବାର ଦିନ ସେମାନେ ଘରୋଇ ବିମାନ ସେବା ସଂସ୍ଥା ‘ତାରା ଏୟାର୍‌’ ୯ ଏନ୍‌-ଏଇଟି ବିମାନ ଯୋଗେ ଜୋମ୍‌ସୋମ୍‌ ଯିବାକୁ ଟିକେଟ୍‌ ବୁକ୍‌ କରିଥିଲେ। ସକାଳ ୯ଟା ୫୫ମିନିଟ୍‌ରେ ବିମାନଟି ପୋଖରା ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ଦୁଇଜଣ ପାଇଲଟ୍‌ ଓ ଜଣେ ହୋଷ୍ଟେସ୍‌ ଓ ୧୯ ଜଣ ଯାତ୍ରୀଙ୍କ ସହ ମୋଟ ୨୨ ଜଣ ଥିଲେ। ବିମାନଟି ଜୋମ୍‌ସୋମ୍‌ରେ ପହଞ୍ଚିବାକୁ ୧୯ ମିନିଟ୍‌ ଲାଗେ। କିନ୍ତୁ ଅବତରଣ କରିବାର ୫ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ସକାଳ ୧୦ଟା ୯ ମିନିଟ୍‌ରେ ଏୟାରଲାଇନ୍‌ସ୍‌ ସହ ଯୋଗାଯୋଗ ହରାଇଥିଲା।

ଖବର ପାଇ ନେପାଳ ଆର୍ମି ହେଲିକପ୍ଟର ବିମାନକୁ ଖୋଜିବା ପାଇଁ ଯାଇଥିଲେ ମଧ୍ୟ ପାଗ ଖରାପ ହେତୁ ଖୋଜି ନ ପାରି ଫେରି ଆସିଥିଲା। ଅପରାହ୍ନ ସାଢ଼େ ୩ଟା ପରେ କ୍ୟାପ୍‌ଟେନ୍‌ଙ୍କ ଫୋନ୍‌ରୁ ଲୋକେସନ ମିଳିବା ପରେ ବିମାନ ଠାବ ହୋଇଥିବା ଜଣାପଡ଼ିଛି। ବିମାନ ଏକ ପାହାଡ଼ିଆ ଅଞ୍ଚଳରେ ପଡ଼ିଥିବା ଏବଂ ଏଥିରେ ନିଆଁ ଲାଗିଥିବା ଦେଖାଯାଇଛି। ଅଧିକ ଖବର ମିଳିନାହିଁ।

ଅଶୋକଙ୍କ ଭୁବନେଶ୍ବର ଘରେ ରହୁଥିବା ଢେଙ୍କାନାଳର ଟିକନ ସାମଲ କହିଛନ୍ତି, ବାବୁ ଗୁରୁବାର ଗଲେ। କରୋନା ଠାରୁ ବୁଲିବାକୁ ଯାଇନଥିବାରୁ ୧୫ ଦିନ ବିଭିନ୍ନ ଜାଗା ବୁଲିବା ପରେ ଫେରିବେ ବୋଲି କହିଥିଲେ। ଶନିବାର ମୁଁ କଥା ହେଇଥିଲି। ଫୋନ୍‌ ଲାଗିବନି ବୋଲି ହ୍ବାଟ୍‌ସ୍‌ ଆପ୍‌ରେ ଯୋଗ‌ାଯୋଗ କରିବାକୁ କହିଥିଲେ। ରବିବାର ସକାଳୁ ଫୋନ୍‌ ଲାଗୁନି କି ହ୍ବାଟ୍‌ସ୍‌ ଆପ୍‌ରେ ମଧ୍ୟ ଯୋଗାଯୋଗ ହୋଇ ପାରୁନି।

IndiaTV News

ନେପାଳରେ ଅବସ୍ଥିତ ଭାରତୀୟ ଦୂତାବାସରୁ ଖବର ପାଇ ଆମେରିକାରେ ରହୁଥିବା‌ ଅଶୋକଙ୍କ ସାନ ଭାଇ ରାଜନ ତ୍ରିପାଠୀ (ସୁରୁ) ଆଜି ଅପରାହ୍ନରେ ପୁଣେ ପହଞ୍ଚିଛନ୍ତି। ସେ କହିଛନ୍ତି, ଦୂତବାସ ସହ ଯୋଗାଯୋଗରେ ଅଛି। ଦୂତବାସ ଠାରୁ ସୂଚନା ମିଳିଲେ ମୁଁ ନେପାଳ ଯିବି।

ସୂଚନାଯୋଗ୍ୟ ଯେ ଅଶୋକଙ୍କ ପୁଅ ଧନୁଷ ଇଞ୍ଜିନିୟରିଂ ପାସ୍‌ କରି କୌଣସି ଏକ ସଂସ୍ଥାରେ ଚାକିରି କରୁଥିଲେ। ଝିଅ ଦଶମ ଶ୍ରେଣୀରେ ପାଠ ପଢୁଥିଲେ ବୋଲି ସଂପର୍କୀୟଙ୍କ ସୂତ୍ରରୁ ଜଣାପଡ଼ିଛି। ଅଶୋକ ବଲାଙ୍ଗୀର ପି.ଆର୍‌. ହାଇସ୍କୁଲରେ ପାଠ ପଢ଼ିବା ପରେ ଆଇଆଇଟି ପାସ୍‌ କରି ୧୯୯୪ରୁ ଭୁବନେଶ୍ୱରରେ ସେ ନିଜ ବ୍ୟବସାୟ ଆରମ୍ଭ କରିଥିଲେ। ସୋନପୁରରେ ବର୍ତ୍ତମାନ ତାଙ୍କ ଗୋଟିଏ ଭାଇଙ୍କ ପରିବାର ରହୁଛନ୍ତି। ଅନ୍ୟ ଭାଇମାନେ ବାହାରେ ଚାକିରି କରୁଛନ୍ତି।

ସମ୍ବନ୍ଧିତ ଖବର