ନେପାଳ ଷ୍ଟଡି ମିସନର ଓଡ଼ିଶା ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ

ଭୁବନେଶ୍ବର : ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟାୟନକୁ ଅନୁଧ୍ୟାନ କରିଛନ୍ତି ନେପାଳର ଷ୍ଟଡି ମିସନ। ଏସଂକ୍ରାନ୍ତରେ ଲୋକସେବା ଭବନରେ ଟିମ୍‌ ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ମୁଖ୍ୟ ଶାସନ ସଚିବ କହିଛନ୍ତି, କୌଣସି ବ୍ୟକ୍ତି ଅନାହାରରେ ରହିବେ ନାହିଁ ଏହି ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଛି ଖାଦ୍ୟ ମିସନ। ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ, କୃଷି ବିଭାଗ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ, ଜଳସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ, ଗୃହ ନଗର ଉନ୍ନୟନ ବିଭାଗ ସମନ୍ବିତ ଭାବରେ ଏହି କାର୍ଯ୍ୟ କରୁଛନ୍ତି। ଏହା ଅନ୍ତର୍ଗତରେ ଶିଶୁ, ଗର୍ଭବତୀଙ୍କୁ ଅତିରିକ୍ତ ପୁଷ୍ଟି ଯୋଗାଣ, ଭିନ୍ନକ୍ଷମ ଓ ଅସହାୟମାନଙ୍କୁ ଭତ୍ତା ବଣ୍ଟନ, ଆହାର କେନ୍ଦ୍ର ବ୍ୟବସ୍ଥା, ଅଙ୍ଗନବାଡ଼ିରେ ରନ୍ଧା ଖାଦ୍ୟ ଆଦି ଦିଆଯାଉଛି। ଆଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କୌଶଳ ପ୍ରୟୋଗ କରି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ ଏବଂ ଲକ୍ଷ୍ୟଭେଦୀ କରାଯାଇଛି।

ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ କହିଛନ୍ତି, ଖାଦ୍ୟରେ ବର୍ତ୍ତମାନ ଓଡ଼ିଶା ଏକ ବଳକା ରାଜ୍ୟ ହୋଇ ସାରିଛି। ୨୦୦୩ ମସିହାରୁ ଓଡ଼ିଶା କେନ୍ଦ୍ରୀୟ ଖାଦ୍ୟ ସଂଗ୍ରହ ଯୋଜନାରେ ସାମିଲ ହୋଇ ସାରିଛି। ବର୍ତ୍ତମାନ ରାଜ୍ୟ ନିଜ ଚାଷୀଙ୍କ ଠାରୁ ୭୬ ଲକ୍ଷ ନିୟୁତ ଟନ ଧାନ ସଂଗ୍ରହ କରୁଛି। ଏଥିରୁ ୫୨ ଲକ୍ଷ ନିୟୁତ ଟନ ଚାଉଳ ଉତ୍ପାଦିତ ହେଉଛି। ୩୦ ଲକ୍ଷ ନିୟୁତ ଟନ ଚାଉଳ ନିଜ ପାଖରେ ରଖି ଅବଶିଷ୍ଟ ୨୨ ଲକ୍ଷ ନିୟୁତ ଟନ ଚାଉଳ କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାରକୁ ଦିଆଯାଇଛି। କେନ୍ଦ୍ରକୁ ସର୍ବାଧିକ ଚାଉଳ ଦେଉଥିବା ଦେଶ ମଧ୍ୟରେ ଓଡ଼ିଶାର ସ୍ଥାନ ଚତୁର୍ଥ ରହିଛି। ରାଜ୍ୟରେ ୯୫.୭୪ ଲକ୍ଷରୁ ଉର୍ଧ୍ବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଯାହାକି ସମୁଦାୟ ଜନସଂଖ୍ୟାର ୮୦ ପ୍ରତିଶତ। ବର୍ତ୍ତମାନ ସମୁଦାୟ ୧୨,୧୨୪ ସୁଲଭ ଖୁଚୁରା ଦୋକାନ ମାଧ୍ୟମରେ ୧.୮୭ ଲକ୍ଷ ନିୟୁତ ଟନ ଖାଦ୍ୟ ଶସ୍ୟ ଯୋଗାଣ କରାଯାଇଛି। ୧ ଟଙ୍କାରେ କିଲୋ ଚାଉଳ, ଖାଦ୍ୟସାରଯୁକ୍ତ ଚାଉଳ ଯୋଗାଣ ଏବଂ ଖାଦ୍ୟ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଥିଲା। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଅତିରିକ୍ତ ପୁଷ୍ଟି ଯୋଗାଣ, ମଧ୍ୟାହ୍ନ ଭୋଜନ, ବିଭିନ୍ନ ପ୍ରକାର ଭତ୍ତା ସମ୍ପର୍କରେ ସୂଚନା ଦେଇଥିଲେ। ନେପାଳ ଜାତୀୟ ଯୋଜନା କମିସନ ସଦସ୍ୟ ଡ. ଦିଲ ବାହାଦୁର ଗୁରୁଙ୍କ ନେତୃତ୍ବରେ ନେପାଳ ସରକାରଙ୍କ ଅର୍ଥ, କୃଷି, ପଶୁପାଳନ, ଯୋଜନା ଆଦି ବିଭାଗର ଅଧିକାରୀମାନେ ଓଡ଼ିଶା ଆସିଥିଲେ। ରାଜ୍ୟ ଏବଂ କେନ୍ଦ୍ର ସମନ୍ବୟ ରକ୍ଷା କରି ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଠିକ ଭାବରେ କାର୍ଯ୍ୟକାରୀ କରାଯାଇଥିବା ଏହି ଅବସରରେ କୁହାଯାଇଥିଲା।

ସମ୍ବନ୍ଧିତ ଖବର