ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରେ ଜଣେ ବୃଦ୍ଧାଙ୍କୁ ହାଣି ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ୍ କୁମାର ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।

Advertisment

ମାମଲାରୁ ଜଣାଯାଏ ଯେ, ଗୋରୁମହିଷାଣୀ ଥାନା ଅର୍ନ୍ତଗତ ଛାମୁଡାଡିହି ଗ୍ରାମର ରଘୁନାଥ କାଳନ୍ଦୀଙ୍କ ପୁଅ ଧ୍ରୁବ କାଳନ୍ଦୀ(୪୫) ଓ ତାଙ୍କ ଖୁଡି ରାଇମଣୀ କାଳନ୍ଦୀ(୬୫)ଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ଝଗଡା ଲାଗି ରହିଥିଲା । ତେବେ ୨୦୧୯ ମସିହା ମାର୍ଚ୍ଚ ୧୬ ତାରିଖ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ସମୟରେ ଧୃବ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ଖୁଡ଼ି ରାଇମଣୀଙ୍କୁ ହତ୍ୟା କରିଥିଲେ। ପୁଲିସ ଧୃବକୁ ଗିରଫ କରି ଗୋରୁମହିଷାଣୀ ଥାନାରେ କେସ୍ ନଂ ୧୬/୧୯ ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଏନେଇ ଆଜି ହତ୍ୟାକାରୀ ଧୃବକୁ ହତ୍ୟା ମାମଲାରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ୍ କୁମାର ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ଏଡିଜେ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି। ସରକାରୀ ଓକିଲ ପଙ୍କଜ କୁମାର ଦାସ ଏହି ମାମଲାକୁ ପରିଚାଳନା କରିଥିଲେ।