କାଠଫାଳିଆରେ ପିଟି ପୁତୁରାକୁ ହତ୍ୟା

କେନ୍ଦୁଝର: କେନ୍ଦୁଝର ସଦର ଥାନା ତାଳପଦା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି କାଠଫାଳିଆରେ ପିଟି ପୁତୁରାକୁ ହତ୍ୟା କରିଛି ଦାଦା। ମୃତକ ଜଣଙ୍କ ହେଲେ ସେହି ଗ୍ରାମର କମଳାକାନ୍ତ ନାଏକ (୩୫)। ଏହି ଘଟଣାରେ ଅଭିଯୁକ୍ତ ଦାଦା ଶତ୍ରୁଘ୍ନ ନାଏକ (୫୫)ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, କମଳାକାନ୍ତ ବିଭିନ୍ନ ସମୟରେ ମଦ୍ୟପାନ କରି ଆସି ପତ୍ନୀକୁ ମାର୍‌ପିଟ୍‌ କରୁଥିଲେ। ୨୩ ତାରିଖ ରାତିରେ ମଧ୍ୟ ମଧ୍ୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଦାଦା ଶତ୍ରୁଘ୍ନ ବୁଝାଇବାକୁ ଯାଇଥିବା ବେଳେ କମଳାକାନ୍ତ ତାଙ୍କୁ ଓଲଟା ଆକ୍ରମଣ କରିଥିଲେ‌। ଏଥିରେ ଉତ୍ତ୍ୟକ୍ତ ହୋଇ ଦାଦା ଶତ୍ରୁଘ୍ନ ଏକ କାଠଫାଳିଆରେ କମଳାକାନ୍ତଙ୍କୁ ନିସ୍ତୁକ ପିଟିଥିଲେ। ଶତ୍ରୁଘ୍ନଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିବାରୁ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରଦିନ ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।

ଖବର ପାଇ ସଦର ଥାନା ଏସ୍‌ଆଇ ଦୁଷ୍ମନ୍ତ କୁମାର ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବ ଜବତ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛନ୍ତି। ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର