ଜମି ବିବାଦକୁ ନେଇ ହତ୍ୟାକାଣ୍ଡ: ପୁତୁରାର କୁରାଢ଼ି ଚୋଟରେ ଗଡ଼ିଲା ବଡ଼ବାପା ମୁଣ୍ଡ

ଉମରକୋଟ: ଜମିଜମା ବିବାଦକୁ ନେଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ । ପୁତୁରାର ଟାଙ୍ଗିଆ ଚୋଟ ଓ ଛୁରୀମାଡ଼ରେ ବଡ଼ବାପାଙ୍କ ମୃତ୍ୟୁ ହୋଇଛି। ଭାଇ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବୁର୍ଜା ଗ୍ରାମରେ। ମୃତକ ହେଲେ ଖାଡ଼ି ଗଣ୍ଡ (୫୭)। ଆହତଙ୍କ ନାଁ ରବୀନ୍ଦ୍ର ଗଣ୍ଡ (୨୫)।

ପ୍ରାପ୍ତ ସୂଚନା ମୁତାବକ ବୁର୍ଜା ଗ୍ରାମର ବାଘପାରା ସାହିରେ ରହୁଥିବା ଖାଡି ଗଣ୍ଡ ଓ ତାଙ୍କ ସାନ ଭାଇଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା । ଖାଡି ଗଣ୍ଡ ନିଜ ପରିବାର ସହ ଘରେ ରହିଥିବା ସମୟରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ତାଙ୍କ ସାନ ଭାଇଙ୍କ ଦୁଇ ପୁଅ ଫୁଲଦାସ ଗଣ୍ଡ ଓ ସୁଶାନ୍ତ ଗଣ୍ଡ ହଠାତ ତାଙ୍କ ଘର ମଧ୍ୟକୁ ପଶି ଆସି ଟ।ଙ୍ଗିଆ ଓ ଏକ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ମୃତ ଖାଡୀ ଗଣ୍ଡଙ୍କ ଜୁ।ଇଁ ରମେଶ ଗଣ୍ଡ । ନିଜ ପୁତୁରାର ଟାଙ୍ଗିଆ ଚୋଟରେ ଖାଡି ଗଣ୍ଡଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ରବୀନ୍ଦ୍ର ଗଣ୍ଡଙ୍କ ବାମ କାନ୍ଧ ଓ ଛାତିରେ ଆଘାତ ଲାଗିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ସଂକଟାପନ୍ନ ଅବସ୍ଥା ଥିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିବା ଡାକ୍ତର ଅବିନାଶ ମହାନ୍ତି ପ୍ରକାଶ କରିଛନ୍ତି।

ସେପଟେ ଘଟଣାର ଖବର ପାଇ ଉମରକୋଟ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଉକ୍ତ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏହି ଘଟଣାରେ ଉମରକୋଟ ପୁଲିସ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପଛରେ ଆଉ କାହାର ହାତ ଅଛି, ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଥାନା ଅଧିକାରୀ ନରେଶ କୁମାର ପ୍ରଧାନ। ଲିଖିତ ଅଭିଯୋଗକୁ ଆଧାର କରି ଜଣେ ଅଭିଯୁକ୍ତ ଫୁଲଦାସ ଗଣ୍ଡ(୧୯) କୁ ଗିରଫ କରାଯାଇଛି ଓ ଅନ୍ୟ ଅଭିଯୁକ୍ତ ସୁଶାନ୍ତ ଗଣ୍ଡ (୨୨)ଙ୍କୁ ଅତି ଶୀଘ୍ର ଧରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସୁଶାନ୍ତ ବର୍ତ୍ତମାନ ଫେରାର ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର