ଖୁଡ଼ୀଙ୍କୁ ହତ୍ୟା କରିବା ପରେ ପୁତୁରାର ଆତ୍ମହତ୍ୟା

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଏକସୁଧା ଗାଁରେ ଅଭାବନୀୟ ଘଟଣା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ତଥା ଏକତରଫା ପ୍ରେମ କରି ପୁତୁରାର କୁରାଢ଼ି ଚୋଟରେ ଖୁଡ଼ୀଙ୍କର ମୃତ୍ୟୁ ହୋଇଛି। ତା ପରେ ମାନସିକ ଭାରସାମ୍ୟ ହରାଇ ଅଭିଯୁକ୍ତ ପୁତୁରା ଦେବୀ ପ୍ରସାଦ ଜେନା ଗାଁ ଶେଷ ମୁଣ୍ଡରେ ଥିବା ଏକ ଗଛରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଜଗତସିଂହପୁର ଏସଡିପିଓ ପ୍ରିୟରଞ୍ଜନ ଶତପଥୀ ଓ ସଦର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାରୁ ଯାହା ଜଣାପଡ଼ିଛି ଯେ ଦୀର୍ଘ ଦିନ ଧରି ପୁତୁରା ଦେବୀ ପ୍ରସାଦ ଜେନା ଦାଦା ଓ ଖୁଡ଼ୀଙ୍କ ସହିତ ଜମିବାଡ଼ିକୁ ନେଇ କଳି ଝଗଡ଼ା କରୁଥିବା ବେଳେ ଅନେକ ସମୟରେ ଖୁଡ଼ୀଙ୍କୁ ଏକତରଫା ପ୍ରେମ କରି ଅଶାଳୀନ ବ୍ୟବହାର କରିଥିଲା। ପୁତୁରା ଦେବୀ ବିଭିନ୍ନ ସମୟରେ ବହୁ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲା। ତେବେ ଆଜି ସକାଳ ପ୍ରାୟ ନଅଟା ପାଖାପାଖି ଖୁଡ଼ୀ ଲିପ୍ସା ଜେନା ଘର ପଛପଟକୁ ଅଳିଆ ପକାଇବାକୁ ଯାଇଥିଲା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପୁତୁରା ଏକ କୁରାଢ଼ିରେ ମୁଣ୍ଡକୁ ଆକ୍ରମଣ କରିଥିଲା। ଏହା ଫଳରେ ଘଟଣାସ୍ଥଳରେ ଲିପସାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଅଭିଯୁକ୍ତର ବାପା ଓ ମାଆଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର